କ୍ରାଇମ

ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ ପରିବାର, କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର

ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଗାଁକୁ ଯାଇଥିଲେ ପରିବାର ଲୋକେ । ଆଉ ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଚୋର । ମହିଳାଙ୍କ ଜୀବନ ସାରାର ଜମାପୁଞ୍ଜିକୁ ଏକାବେଳେ ଲୁଟିନେଇଛନ୍ତି ଲୁଟେରା । ସୁନା ଅଳଙ୍କାର ଠାରୁ ଆରମ୍ଭ କରି ନଗଦ ୩ ଲକ୍ଷ ଟଙ୍କା ଚୋରି ହୋଇଛି ।

ତେବେ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କ ଘରେ ଲୁଟ ହୋଇଛି । ଘରର ତାଲା ଭାଙ୍ଗି ୩ ଲକ୍ଷ ରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସହ ସୁନା ଗହଣା ଏବଂ ଆସବାବପତ୍ର ଲୁଟି ନେଇଛନ୍ତି ଚୋର । ପରିବାର ଲୋକେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଗାଁକୁ ଯାଇଥିବା ବେଳେ ଘରର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଲୁଟେରା । ସୂଚନା ଅନୁଯାୟୀ କାନପୁର ଗାଁର ରଞ୍ଜିତ ଦାସ  ପରିବାର ସହ କମର୍ଦ୍ଦା ବଜାର ନିକଟରେ ଘର ଭଡା ନେଇ ରହୁଛନ୍ତି । ପରିବାର ଲୋକ ଘରେ ନଥିବାର ସୁଯୋଗ ନେଇ ଦୁର୍ବୁର୍ତ୍ତ ମାନେ ଘରର ତାଲା ଭାଙ୍ଗି ଗଡ୍ରେଜରେ ଥିବା ନଗଦ ଟଙ୍କା ଏବଂ ସୁନା ଗହଣା ଲୁଟ କରି ଚମ୍ପଟ ମାରିଛନ୍ତି । ସକାଳେ ପଡୋଶୀ ଲୋକ ଘରର ତାଲା ଭାଙ୍ଗିଥିବା ଦେଖି ଘର ମାଲିକ ଏବଂ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ରଞ୍ଜିତ ଦାସ ବ୍ୟବସାୟ କରି ଯାହା ଆଣନ୍ତି ସେଥିରେ କିଛି ସୁନା ଅଳଙ୍କାର କରି ଘରେ ରଖିଥିଲେ । କିନ୍ତୁ ତାଙ୍କ ସଞ୍ଚିତ ଅର୍ଥ ଓ ସୁନା ଗହଣା ଏମିତି ଲୁଟ ହେବ ସେ କେବେ ବି ଭାବିନଥିଲେ । ଏ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରି ଲୁଟେରାଙ୍କୁ ଧରାଯାଉ ବୋଲି ସାଧାରଣରେ ଦାବି ଜୋର ଧରିଛି । ଏହି ଅଞ୍ଚଳରେ ଚୋରି ଓ ରାହାଜାନିର ଖବର ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ରାତି ହେଲେ ପୋଲିସ ପାଟ୍ରୋଲିଂ କରାଯିବା ପାଇଁ ମଧ୍ୟ ଦାବି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button