ଦୁଃଖ ଭୁଲିବାକୁ ସାଇକେଲ୍ ଯାତ୍ରା – Utkal Mail
ସ୍କଟ୍ଲାଣ୍ଡ୍ର ଜଣେ ୮୫ ବର୍ଷ ବୟସ୍କ ବୃଦ୍ଧା ଏକ ନିଆରା ଉଦ୍ଦେଶ୍ୟରେ ଦୀର୍ଘ ୧,୫୦୦ କି.ମି. ସାଇକେଲ୍ ଯାତ୍ରା କରି ସାରିଲେଣି। ତାଙ୍କ ନାମ ମାର୍ଭିସ ପାଟରସନ୍, କିନ୍ତୁ ‘ଗ୍ରାନ୍ନି ମେଭ୍’ ନାମରେ ସୁପରିଚିତ। ଏହି ବୃଦ୍ଧା ଚାରି ବର୍ଷ ଭିତରେ ନିଜର ତିନିଜଣ ଯାକ ବୟସ୍କ ସନ୍ତାନଙ୍କୁ ହରାଇଥିଲେ। ୨୦୧୨ରେ ସାଣ୍ଡି, ୨୦୧୩ରେ କ୍ୟାଟି ଓ ୨୦୧୬ରେ ବବ୍ ନାମକ ତାଙ୍କର ସନ୍ତାନମାନେ ଭିନ୍ନ ଭିନ୍ନ କାରଣରୁ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସଂପୂର୍ଣ୍ଣ ଏକାକୀ ହୋଇ ପଡ଼ିଥିବା ମାର୍ଭିସ୍ଙ୍କ ପାଇଁ ଏହି ଶୋକ ଭୀଷଣ ଅସହ୍ୟ ହୋଇପଡ଼ିଥିଲା। ତେବେ ଦୁଃଖ ଲାଘବ କରିବା ପାଇଁ ସେ ଗତ ମେ’ ମାସରୁ ସାଇକେଲ୍ ଚଳାଇ ସ୍ବଦେଶ ଭ୍ରମଣରେ ବାହାରିଥିଲେ। ଅକ୍ଟୋବର ସୁଦ୍ଧା ସେ ପ୍ରାୟ ୧,୫୦୦ କି.ମି. ଯାତ୍ରା କରି ସାରିଥିବା ଜଣାଯାଇଛି। ତାଙ୍କର ଏହି ସାଇକେଲ୍ ଯାତ୍ରା ବାବଦରେ ସେ କହିଛନ୍ତି, ‘ନିଜର ସମଗ୍ର ପରିବାରକୁ ହରାଇବା କଥା କଳ୍ପନା କରିବା କଷ୍ଟ।
ଯଦି ମୋର ଏଇ ସାଇକେଲ୍ ନଥା’ନ୍ତା, ତେବେ ହୁଏତ ମୁଁ ବଞ୍ଚିବାକୁ ଚାହିଁ ନ ଥା’ନ୍ତି।’ ପ୍ରତିଦିନ ସେ ଭୋରରୁ ଉଠି ସ୍କଟଲାଣ୍ଡ୍ର ସୀମା ଧାରରେ ସାଇକେଲ୍ ଚଳାଉଛନ୍ତି। ଏପରି ଭାବେ ସେ ପ୍ରତ୍ୟହ ୮୦ କି.ମି. ଅତିକ୍ରମ କରୁଥିବା ଜଣାଯାଇଛି। ସେ ତାଙ୍କର ସାଇକେଲ ଚାଳନା ବଜାୟ ରଖିବା ପଛରେ ଅନ୍ୟ ଏକ ଉଦ୍ଦେଶ୍ୟ ହେଲା ବ୍ରିଟିସ ଦାତବ୍ୟ ଅନୁଷ୍ଠାନ ‘ମାକ୍ମିଲାନ୍ କ୍ୟାନ୍ସର ସପୋର୍ଟ’ ପାଇଁ ଅର୍ଥ ସଂଗ୍ରହ କରିବା। ସେ ତାଙ୍କ ସାଇକେଲ୍ ଅଭିଯାନରେ ଥିଲା ବେଳେ ଦେଶର ବିଭିନ୍ନ ପ୍ରାନ୍ତରର ଅନ୍ୟ ସାଇକେଲ ଚଢ଼ାଳିମାନେ ତାଙ୍କୁ ସାଥ୍ ଦେଇଥା’ନ୍ତି। ବୟସର ଅପରାହ୍ଣରେ ତାଙ୍କର ସାଇକେଲ ଚାଳନା ଦେଖି ଅନ୍ୟମାନେ ତାଙ୍କ ଶକ୍ତିକୁ ପ୍ରଶଂସା କରୁଥିବା ବେଳେ ତାଙ୍କର ଏ ଶକ୍ତି କେଉଁଠୁ ଆସିଲା ତାହା ସେ ନିଜେ ବି ଜାଣନ୍ତି ନାହିଁ ବୋଲି ମାର୍ଭିସ କହିଛନ୍ତି।