ଶୈବ ପୀଠରେ ଅନୁଷ୍ଠିତ ହେଲା ଭାଗବତ ମହାଯଜ୍ଞ, ଗାଁରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ

ଚାଲିଛି ବେଦ ମନ୍ତ୍ର ଉଚ୍ଚାରଣ । ହରିବୋଲ ହୁଳହୁଳିରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଅବସର ହେଉଛି ଶ୍ରୀମଦ୍ ଭାଗବତ ମହାଯଜ୍ଞ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମାରିଗାଁ ସ୍ଥିତ ଉଜ୍ଜଳେଶ୍ୱର ଶୈବ ପୀଠରେ ଆଠ ଦିନ ବ୍ୟାପୀ ଭାଗବତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁ କୃପା ସେବା ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା ।
ଅଠର ହଜାର ଶ୍ଳୋକରେ ଦ୍ୱାଦଶ ଅକ୍ଷର ବାସୁଦେବ ମନ୍ତ୍ର ଯୁକ୍ତ ହୋଇ ଯଜ୍ଞ ହୋଇଥିଲା । ଅଷ୍ଟାଦଶ ପୁରାଣରେ ଭାଗବତ ହେଉଛି ଶ୍ରେଷ୍ଠ । ଏଥିରେ ରାମ, କୃଷ୍ଣ ଚରିତ୍ର ସାଙ୍ଗକୁ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିଥାଏ । ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଓଡିଶାର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ।
ପ୍ରତିଟି ଓଡିଆଙ୍କ ପ୍ରାଣ ଭାବରେ ମହାପ୍ରଭୁ ଜଗନ୍ନାଥ ଓଡିଆଘର ର ଠାକୁର ଘରେ ବିରାଜିତ ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥ ଯେମିତି ଓଡିଆଙ୍କ ଆରାଧ୍ୟ ସେହିପରି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତ ମଧ୍ୟ ଓଡିଆ ମାନଙ୍କର ପ୍ରାଣ । ପ୍ରତିଟି ଓଡିଆ ଘରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଓଡିଆ ଭାଗବତକୁ ଓଡିଆ ମାନେ ଆରାଧ୍ୟ ବୋଲି ମାନିଥାନ୍ତି ।
ତେଣୁ ପରବର୍ତ୍ତୀ ସମୟରେ ଅଷ୍ଟାଦଶ ପୁରାଣ ମଧ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଆୟୋଜକ । ଯାହାକୁ ନେଇ ଗାଁରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଭାଗବତ ଏକ ଧର୍ମ ପୁସ୍ତକ ତାହାନୁହେଁ ତାହା ଭିତରେ ଲୁଚି ରହିଛି ଜୀବନ ବଞ୍ଚିବାର ମନ୍ତ୍ର । ସାମାଜିକ ଜୀବନ ଶୈଳୀରେ ଭାଗବତର ଜ୍ଞାନ ଅନେକ ସଂସ୍କାର ଆଣିବାର ସହାୟକ ହେଉଥିଲା ।
ଦିନ ଥିଲା ଭାଗବତ ସବୁ ସମୟରେ ପାଠ କରାଯାଉଥିଲା, ଧିରେ ଧିରେ ଏହା ମାନସ ପଟରୁ ହଜିଯିବାକୁ ବସିଛି । ତେଣୁ ଏହିପରି କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି ଶ୍ରଦ୍ଧାଳୁ । ତେବେ ଆଧ୍ୟାତ୍ମିକ ଚିନ୍ତା ଆଉ ଚେତନା ରେ ବିଶ୍ଵାସ ରଖୁଥିବା ଗ୍ରାମୀଣ ମଣିଷ ମାନଙ୍କ ବିଶ୍ବାସରେ ଭାଗବତର ସେହି ଛାନ୍ଦ ଭିତରେ ନିର୍ଗତ ହେଉଛି ଭାବର ଅମୃତ ଧାରା ।



