Ratikant Rout: ବ୍ୟବସାୟୀ ରତିକାନ୍ତ ରାଉତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ କଲା ED

ଆର୍ଥିକ ଅନିୟମିତତା ମାମଲାରେ ବ୍ୟବସାୟୀ ରତିକାନ୍ତ ରାଉତଙ୍କୁ ଗିରଫ କଲା ED । ଢେଙ୍କାନାଳରେ ପଥର ଖଣି ଓ କ୍ରସର ବ୍ୟବସାୟ ସହ ଜଡ଼ିତ ରତିକାନ୍ତ । ୨୦୨୦ରୁ ଚାଲିଥିଲା EDର ତଦନ୍ତ । ଆର୍ଥିକ ଅନିୟମିତତା ମାମଲାରେ ଓଡ଼ିଶାର ବ୍ୟବସାୟୀ ରତିକାନ୍ତ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗୁରୁବାର ଭୁବନେଶ୍ୱରରେ ତାଙ୍କୁ ଗିରଫ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ରତିକାନ୍ତ ଭୁବନେଶ୍ୱରର କଳାରାହାଙ୍ଗ ଅଞ୍ଚଳର ବାସିନ୍ଦା । ସେ ଢେଙ୍କାନାଳ ଜିଲ୍ଲାରେ ପଥର ଖଣି ଓ ଷ୍ଟୋନ୍ କ୍ରସର ବ୍ୟବସାୟ ସହ ଜଡ଼ିତ। ତାଙ୍କ ବିରୋଧରେ ଥିବା କେତେକ FIR ଓ ଚାର୍ଜସିଟ୍ କୁ ଆଧାର କରି ED ୨୦୨୦ ମାର୍ଚ୍ଚରେ ମନି ଲଣ୍ଡରିଂ ନିରୋଧ ଆଇନ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ED ତଦନ୍ତ ସମୟରେ ରତିକାନ୍ତଙ୍କ ବ୍ୟାଙ୍କ ରେକର୍ଡ, ବ୍ୟବସାୟିକ କାରବାର ଏବଂ ଅନ୍ୟାନ୍ୟ ଆର୍ଥିକ ନେଣଦେଣର ଯାଞ୍ଚ କରିଥିଲା । ପୂର୍ବରୁ ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ମୋଟ ୨୫.୦୮ ଲକ୍ଷ ଟଙ୍କାକୁ ED ଅପରାଧରୁ ଅର୍ଜିତ ଅର୍ଥ ବୋଲି ଅଭିଯୋଗ କରି ୨୦୨୪ରେ ଅସ୍ଥାୟୀ ଭାବେ ଆଟାଚ୍ କରିଥିଲା । ଏହି ଆଟାଚମେଣ୍ଟକୁ ପରେ Adjudicating Authority ମଧ୍ୟ ନିଶ୍ଚିତ କରିଥିଲେ ଏବଂ ଏହା ବିରୋଧରେ ରତିକାନ୍ତଙ୍କ ଅପିଲ୍ ହୋଇଥିଲା । ଏହାପରେ ୨୦୨୫ରେ ED ଆଉ ଏକ ଅସ୍ଥାୟୀ ସମ୍ପତ୍ତି ଆଟାଚମେଣ୍ଟ ଆଦେଶ ଜାରି କରିଥିଲା। ତେବେ ଏହି ଦ୍ୱିତୀୟ ଆଟାଚମେଣ୍ଟକୁ ଓଡ଼ିଶା ହାଇକୋର୍ଟ ପରବର୍ତ୍ତୀ ସମୟରେ ରଦ୍ଦ କରିଥିଲେ । ହାଇକୋର୍ଟ କହିଥିଲେ ଯେ ସମାନ ତଦନ୍ତ ଓ ସମାନ ଅଭିଯୋଗ ଆଧାରରେ ଦ୍ୱିତୀୟ ଥର ଆଟାଚମେଣ୍ଟ କରାଯିବା ଆଇନସମ୍ମତ ନୁହେଁ । ଏବେ ପୁରୁଣା ଆର୍ଥିକ ଅନିୟମିତତା ଓ ମନି ଲଣ୍ଡରିଂ ତଦନ୍ତ ସହ ଜଡ଼ିତ ମାମଲାରେ ED ରତିକାନ୍ତଙ୍କୁ ଗିରଫ କରିଛି । ତାଙ୍କୁ PMLA ଅଧୀନରେ ସମ୍ପୃକ୍ତ ଅଦାଲତରେ ହାଜର କରାଯାଇ ରିମାଣ୍ଡ ମାଗିବାର ସମ୍ଭାବନା ରହିଛି। ଏହି ଘଟଣାର ଆଉ ଏକ ଚର୍ଚ୍ଚିତ ଦିଗ ହେଉଛି ବର୍ଷେ ପୂର୍ବର ଏକ ଲାଞ୍ଚ ମାମଲା । ରତିକାନ୍ତଙ୍କ ଅଭିଯୋଗ ଆଧାରରେ CBI ବରିଷ୍ଠ ED ଅଧିକାରୀ ଚିନ୍ତନ ରଘୁବଂଶୀଙ୍କ ବିରୋଧରେ ଲାଞ୍ଚ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।
CBIର FIR ଅନୁସାରେ, ରତିକାନ୍ତଙ୍କୁ ମନି ଲଣ୍ଡରିଂ ମାମଲାରେ ରିହାତି ଦେବା ବା ତାଙ୍କ ବିରୋଧରେ କଠୋର ପଦକ୍ଷେପ ନ ନେବା ପାଇଁ ରଘୁବଂଶୀ ପ୍ରଥମେ ୨ କୋଟି ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ଥିଲା। ପରେ ଏହି ରାଶି ୫୦ ଲକ୍ଷ ଟଙ୍କାରେ ସ୍ଥିର ହୋଇଥିବା CBI ଅଭିଯୋଗ କରିଥିଲା। ଏହି ଅଭିଯୋଗ ପରେ CBI କାର୍ଯ୍ୟାନୁଷ୍ଠାନ ନେଇ ରଘୁବଂଶୀଙ୍କୁ ଗିରଫ କରିଥିଲା। ସେତେବେଳେ ରତିକାନ୍ତ ଏହି ଲାଞ୍ଚ ମାମଲାର ଅଭିଯୋଗକାରୀ ଥିଲେ। ଏବେ ବର୍ଷେରୁ ଅଧିକ ସମୟ ପରେ ସେହି ରତିକାନ୍ତଙ୍କୁ ED ନିଜର ପୂର୍ବରୁ ଚାଲିଥିବା ମନି ଲଣ୍ଡରିଂ ତଦନ୍ତରେ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ CBIର ଲାଞ୍ଚ ମାମଲା ଏବଂ EDର ରତିକାନ୍ତଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦୁଇଟି ପୃଥକ୍ ଆଇନଗତ ପ୍ରକ୍ରିୟା। ରତିକାନ୍ତଙ୍କ ଗିରଫକୁ ପୂର୍ବ ଲାଞ୍ଚ ଅଭିଯୋଗ ସହ ସିଧାସଳଖ ଯୋଡ଼ିବା ନେଇ ଏପର୍ଯ୍ୟନ୍ତ କୌଣସି ଅଧିକୃତ ତଥ୍ୟ ସାମ୍ନାକୁ ଆସିନାହିଁ।


