ବ୍ୟବସାୟ

ଖୁଚୁରା ବ୍ୟବସାୟୀଙ୍କ ହାତପାଆନ୍ତାରେ ତାଲିମ: ୧୪ ନିୟୁତ ବ୍ୟବସାୟୀ ଉପକୃତ ହେବେ – Utkal Mail


‘ଆପଣ ଟାଟା, ବିର୍ଲା, ଆଦାନିଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି’

ଭୁବନେଶ୍ବର: ଖୁଚୁରା ବ୍ୟବସାୟୀଙ୍କ ହାତପାଆନ୍ତାରେ ପହଞ୍ଚିଛି ଦକ୍ଷତା ତାଲିମ। ସ୍କିଲ୍‌ ଇଣ୍ଡିଆ ଡିଜିଟାଲ୍ ଆପ୍‌ ଜରିଆରେ ସେମାନେ ନିଜର ଦକ୍ଷତା ବଢ଼ାଇପାରିବେ। ଗ୍ରାହକ ପରିଚାଳନା, ଡିଜିଟାଲ୍ ସାକ୍ଷରତାଠାରୁ ଆରମ୍ଭ କରି ଆର୍ଥିକ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ ବିଷୟକୁ ସେମାନେ ଭଲ ଭାବେ ଜାଣିପାରିବେ। ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ଓ କୋକାକୋଲା ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ସେମାନଙ୍କ ଲାଗି ସ୍କିଲ ଇଣ୍ଡିଆ ମିସନ ଅଧୀନରେ ‘ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ’ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସେହି କାର୍ଯ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶା ସମେତ ଦେଶର ୧୪ ନିୟୁତ ଖୁଚୁରା ବ୍ୟବସାୟୀ ଉପକୃତ ହେବେ।

ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଦ୍ବାରା ଖୁଚୁରା ବ୍ୟବସାୟୀମାନଙ୍କ ଦକ୍ଷତା ବଢ଼ିବ। ସେମାନେ ନିଜ ବ୍ୟବସାୟ ଉପରେ ଅଧିକ ନିୟନ୍ତ୍ରଣ ହାସଲ କରିବା ସହ ଲାଭବାନ ହୋଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମାଜର ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ସ୍କିଲ ଇଣ୍ଡିଆ ଡିଜିଟାଲ ଅଧୀନରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ଦଶମ, ଯୁକ୍ତ ଦୁଇ ଓ ସ୍ନାତକ ଆଦି ପାସ୍ କରିପାରିନଥିବା ପିଲାମାନଙ୍କ ଲାଗି ମଧ୍ୟ ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ଓ ଆପ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଖୁଚୁରା ବ୍ୟବସାୟୀ ଦକ୍ଷତା କାର୍ଯ୍ୟକ୍ରମକୁ ଓଡ଼ିଆ ସମେତ ଅନ୍ୟାନ୍ୟ ଭାଷାରେ ଉପଲବ୍ଧ କରାଇବା ଲାଗି ମଧ୍ୟ ସେ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କୋକାକୋଲା ଇଣ୍ଡିଆର ପ୍ରଥମ ଓଡ଼ିଆ ସଭାପତି ତଥା ଭୁବନେଶ୍ବର ଡିଏମ୍‌ ସ୍କୁଲ ଓ ଏକ୍ସଆଇଏମ୍‌ବିର ଛାତ୍ର ସଙ୍କେତ ରାଏ କହିଛନ୍ତି ଯେ ଏହା ହେଉଛି ୧୪ ଘଣ୍ଟାର ଏକ କାର୍ଯ୍ୟକ୍ରମ ଯେଉଁଥିରେ ୧୨ ଘଣ୍ଟାର ଥିଓରି ଓ ୨ ଘଣ୍ଟାର ପ୍ରାକ୍ଟିକାଲ୍ କ୍ଲାସ୍‌ ରହିଛି। ଦକ୍ଷତା, ନିଯୁକ୍ତି ଓ ଉଦ୍ୟମିତା ଭଳି ତିନିଟି ବିଷୟକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଡିଜିଟାଲ୍ ପେମେଣ୍ଟ୍‌ରେ ୟୁପିଆଇ ଯେଭଳି ବିପ୍ଳବ ଆଣିଥିଲା ଦକ୍ଷତା ତାଲିମ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ସେଭଳି ବିପ୍ଳବ ଆଣିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କଲେ ଏନ୍‌ଏସ୍‌ଡିସିର ସାର୍ଟିଫିକେଟ୍ ମିଳିବ ବୋଲି ସେ କହିଛନ୍ତି। ଏହି ଅବସରରେ ଅତିଥିମାନେ କୋକାକୋଲା ଇଣ୍ଡିଆର ଚାରି ଜଣ ବିକ୍ରେତା ଓ ଛଅ ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୋକାକୋଲା ଇଣ୍ଡିଆର ଇଭିପି (ସିଏସ୍‌୍ଆର୍‌) ସଞ୍ଜୀବ ସିଂହ ଉପସ୍ଥିତ ଥିଲେ।

‘ଆପଣ ଟାଟା, ବିର୍ଲା, ଆଦାନିଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି’

ଭୁବନେଶ୍ବର: ଦେଶର ବଡ଼ ବଡ଼ ଶିଳ୍ପପତି ଟାଟା, ବିର୍ଲା ଓ ଆଦାନିଙ୍କଠାରୁ ଆପଣ କୌଣସି ଗୁଣରେ କମ୍ ନୁହନ୍ତି। ସେମାନେ ଲୋକଙ୍କୁ ରୋଜଗାର ଦେଇଥିବା ବେଳେ ଆପଣ ବି ରୋଜଗାର ଦେଇଛନ୍ତି। ଏଭଳି ଉତ୍ସାହପୂର୍ଣ୍ଣ କଥାରେ ରାଜ୍ୟର ଜଣେ ବୟସ୍କ ଖୁଚୁରା ବ୍ୟବସାୟୀଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ହେଉଛନ୍ତି ତ୍ରିଶୁଳିଆ ନିକଟସ୍ଥ ଫକିରପଡ଼ାର ବାସିନ୍ଦା ରବିନ୍ଦ୍ର କୁମାର ରାଉତ। ବୟସ ହେଉଛି ୭୫ ବର୍ଷ। ଦୀର୍ଘ ୩୦ ବର୍ଷ ଧରି ସେ ଏକ ରାସନ ଦୋକାନ ଚଲାଇ ୮ ଜଣିଆ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ଆଜି ତାଙ୍କୁ ସମ୍ବର୍ଦ୍ଧିତ କରିବା ବେଳେ ତାଙ୍କ ସ୍ବତନ୍ତ୍ର ବେଶଭୂଷା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ମାଟିଆ ରଙ୍ଗର ହାଫ୍‌ ପ୍ୟାଣ୍ଟ୍‌ ଓ ସାର୍ଟ ପିନ୍ଧିଥିବା ବେଳେ ବେକରେ ଗାମୁଛା ପକାଇଥିଲେ। ତାହା ପଛର କାରଣ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ଯୁବାବସ୍ଥାରେ କିଛି ବର୍ଷ ମୁଁ ହାବିଲଦାର ଭାବେ ଚାକିରି କରିଥିଲି। ଅଳ୍ପ ଦରମା ମିଳୁଥିବାରୁ ଚାକିରି ଛାଡ଼ିଦେଲି। ତା’ ପରେ ଇଟାଭାଟିରେ ଓ ଠିକାଦାର ଭାବେ ବି କାମ କରିଥିଲି। ଶେଷରେ ଦୋକାନ ଖୋଲିଲି। ହାବିଲଦାର ଚାକିରି ସମୟରୁ ଭଲ ଲାଗିଥିବାରୁ ସେଭଳି ପୋଷାକ ଆଜି ପର୍ଯ୍ୟନ୍ତ ପିନ୍ଧୁଛି ବୋଲି ରବିନ୍ଦ୍ର କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button