୯ମରେ ଫେଲ୍ ହୋଇଥିବା ବ୍ୟକ୍ତି ଆଜି ୧୮୪୩କୋଟିର ମାଲିକ, ଜାଣନ୍ତୁ ରାଜେଶଙ୍କ ସଫଳତାର କାହାଣୀ – Utkal Mail
ନୂଆଦିଲ୍ଲୀ: ୯ମ ଫେଲ୍ ହୋଇଥିବା ବ୍ୟକ୍ତି ଆଜି ୧୮୪୩କୋଟିର ମାଲିକ। ଆମେ ଆଜି ଏଠାରେ ବଡିଲାଲ ଆଇସକ୍ରିମ କମ୍ପାନିର ମାଲିକ ରାଜେଶ ଗାନ୍ଧୀଙ୍କ କଥା କହୁଛୁ। ଦିନେ ୯ମରେ ଫେଲ୍ ହେବା ପରେ ଜୀବନରେ କିଛି କରିପାରିବେ ନାହିଁ ବୋଲି ଭାବିଥିଲେ ରାଜେଶ। ହେଲେ ଆଗକୁ ଯାଇ ସେ ଏତେ କୋଟି ଟଙ୍କାର ମାଲିକ ହେବେ ବୋଲି ଜଣାନଥିଲା। କମ୍ପାନିର ଦାୟିତ୍ବ ନେବା ପରେ ସେ ଏହାକୁ ସଫଳତାର ଶୀର୍ଷକୁ ନେଇଥିବା ଜଣାପଡ଼ିଛି।
ଏହି ଲୋକପ୍ରିୟ ଆଇସକ୍ରିମ କମ୍ପାନି ବଡିଲାଲ ଗାନ୍ଧୀଙ୍କ ଦ୍ବାରା ୧୯୦୭ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା ଅହମ୍ମଦାବାଦର ଏକ ଛୋଟ ଗଳିରେ ଥିବା ସୋଡା ଦୋକାନରୁ ଆରମ୍ଭ ହୋଇଥିଲା। ବଡିଲାଲଙ୍କ ପରେ ଏହାକୁ ତାଙ୍କ ପୁଅ ରନଛୋଡ ଲାଲ ଏବଂ ପରେ ରନଛୋଡ ଲାଲଙ୍କ ୨ପୁଅ ରାମଚନ୍ଦ୍ର ଓ ଲକ୍ଷ୍ମଣ ସମ୍ଭାଳିବା ପରେ ଏବେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ପୁଅମାନେ ବଡିଲାଲ ଆଇସକ୍ରିମ କମ୍ପାନିକୁ ସମ୍ଭାଳୁଛନ୍ତି। ସେପ୍ଟେମ୍ବର ୧୮, ୨୦୨୩ ସୁଦ୍ଧା କମ୍ପାନିର ବଜାର ପୁଞ୍ଜି ୧୮୪୩କୋଟି ଟଙ୍କାରେ ପହଞ୍ଚିଛି। ସୋମବାର ଦିନ କମ୍ପାନିର ସେୟାର ମୂଲ୍ୟ ୨୫୪୫.୫୦ ଟଙ୍କା ଥିଲା ବୋଲି ଜଣାଯାଇଛି।
ତେବେ ରାମଚନ୍ଦ୍ରଙ୍କ ପୁଅ ରାଜେଶ ଗାନ୍ଧୀଙ୍କ କଥା କହିବାକୁ ଗଲେ ସେ ଅହମଦାବାଦର ସେଣ୍ଟ ଜାଭିୟର ହାଇସ୍କୁଲ ଲୟୋଲା ହଲରେ ତାଙ୍କର ସ୍କୁଲ ପାଠପଢ଼ା ଶେଷ କରିଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ, ୯ମ ଶ୍ରେଣୀରେ ଫେଲ୍ ହେବା ପରେ ସେ ଅନ୍ୟ ସ୍କୁଲକୁ ଯାଇ ୧୦ମ ଶ୍ରେଣୀରେ ନାମ ଲେଖାଇବାକୁ ଚାହିଥିଲେ। ହେଲେ ତାଙ୍କ ବାପା ଏହା କରିବାକୁ ମନା କରିଥିଲେ। ବାପା ମନା କରିବାରୁ ରାଜେଶ ପୁଣି ବର୍ଷେ ସ୍କୁଲରେ ରହି ୯ମ ଶ୍ରେଣୀରେ ପାଠ ପଢ଼ିଥିଲେ।



