ଦେଶ ବିଦେଶ

ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ; ଉତ୍କଳ ଭାରତୀ ପକ୍ଷରୁ ଦିଲ୍ଲୀରେ ସ୍ମୃତି ସଭା – Utkal Mail


ନୂଆଦିଲ୍ଲୀ: ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ପ୍ରତି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଶ୍ରୀ ନୀଳାଚଳ ସେବାସଂଘର ସହଯୋଗରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଆୟୋଜିତ ଏକ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଦେଇଥିଲେ । ବାର ବର୍ଷର ବାଳକ ବାଜି ରାଉତଙ୍କୁ ଇଂରେଜ ଗୁଳି ଦ୍ଵାରା ମର୍ମନ୍ତୁଦ ହତ୍ୟାର ଲୋମହର୍ଷଣକାରୀ ଉପାଖ୍ୟାନ କୁ ମନେପକାଇବା ସହ ତାଙ୍କର ଶ୍ରେଷ୍ଠ ତ୍ୟାଗ, ଦୁର୍ଦ୍ଧଷ ବୀରତ୍ବ ଏବଂ ଅନନ୍ୟ ଦେଶପ୍ରେମ ର ଗୁଣ ଗାନ କରିଥିଲେ ବରେଣ୍ୟ ବକ୍ତା ମାନେ ।

ଆଜିର ଯୁବସମାଜଙ୍କୁ ସ୍ବର୍ଗତଃ ବାଜି ରାଉତଙ୍କର ଆଦର୍ଶ ଜୀବନ ଦର୍ଶନ ରୁ ପ୍ରେରଣା ଲାଭ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ସଭା । ଏହାର ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଆୟୋଜକ ଏବଂ କାର୍ଯ୍ୟକ୍ରମର ଆବାହକ ଉତ୍କଳ ଭାରତୀର ସମ୍ପାଦକ ଡଃ ନିର୍ମଳ ପଟ୍ଟନାୟକ । ଜାତୀୟ ସ୍ତରରେ ବାଜି ରାଉତଙ୍କ ର ଏକ ଭବ୍ୟ ସ୍ମୃତିପୀଠ ନିର୍ମାଣ କରାଯିବା ଉଦ୍ଦେଶ୍ୟରେ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ସଚେତନ ନାଗରିକ ମାନଙ୍କୁ ଆହ୍ୱାନ କରିଥିଲେ ।

ଏହି ଅବସରରେ, ଉଲ୍ଲେଖନୀୟ ସମାଜ ସେବା ପାଇଁ ନୂଆଦିଲ୍ଲୀର ପୂର୍ବତନ ମୁଖ୍ୟ ଅଗ୍ନିଶମ ଅଧୀକାରୀ ଡଃ ଧରମ ପାଲ ଭରଦ୍ୱାଜ ଏବଂ ଦିଲ୍ଲୀ ପୁଲିସର ଏସିପି ଦୀନେଶ କୁମାରଙ୍କୁ ୨୦୨୩ ମସିହା ପାଇଁ ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ପ୍ରରିପେକ୍ଷିରେ ଉଭୟ ଡଃ ଭରଦ୍ୱାଜ ଓ ଶ୍ରୀ କୁମାର ସେମାନଙ୍କର ପେଷାଗତ ଉତ୍ତର ଦାୟିତ୍ୱ କୁ ନିର୍ବାହ କରିବା ସମୟରେ ନିଜର ଜୀବନକୁ ବାଜି ଲଗାଇ ଥିବାର ଭୟଙ୍କର ଅନୁଭୂତି ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ଦେଶ ଗଠନ ଓ ସମାଜ ର କଲ୍ୟାଣ ପାଇଁ ଉପସ୍ଥିତ ଜନସାଧାରଣ ଯତ୍ କିଞ୍ଚିତ ସମ୍ଭବ ରାଶି ପ୍ରତ୍ୟହ ଦାନ କରିବାକୁ ସେମାନେ ନିବେଦନ କରିଥିଲେ । ବାଜି ରାଉତଙ୍କୁ ଜାତୀୟ ଗୌରବ ଆଖ୍ୟା ଦେଇ ଏନସିଇଆରଟି ର ସଂଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା, ବର୍ତ୍ତମାନ ପିଢ଼ୀ ତାଙ୍କର ଦୃଢ଼ ଦେଶାତ୍ମବୋଧ ଆଭିମୁଖ୍ୟ ଏବଂ ମାତୃଭୂମି ପ୍ରତି ପ୍ରଗାଢ଼ ମମତା ଦ୍ଵାରା ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି କହିଥିଲେ ।

ଦିଲ୍ଲୀ କମ୍ପ୍ୟୁଟର ବେପାରୀ ସଂଘର ସଭାପତି ମହିନ୍ଦର ଅଗ୍ରୱାଲ, ସମାଜର ମଙ୍ଗଳ ପାଇଁ ସକରାତ୍ମକ ଯୋଗଦାନ ପ୍ରଦାନ କରାଯିବା, ବାଜି ରାଉତଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦର୍ଶାଇଥିଲେ । କଳିଙ୍ଗ ଶିକ୍ଷା ସମାଜର କୋଷାଧ୍ୟକ୍ଷ ଗଦାଧର ପ୍ରଧାନ ରାଜଧାନୀ ଦିଲ୍ଲୀର କୌଣସି ଏକ ରାସ୍ତା କିମ୍ବା ଅଟ୍ଟାଳିକା କୁ ବାଜି ରାଉତଙ୍କର ନାମରେ ନାମିତ କରିବାକୁ ପ୍ରସ୍ତାବ ଆଗତ କରିଥିଲେ । ସ୍ବର୍ଗତଃ ବାଜି ରାଉତଙ୍କ ଦ୍ଵାରା ଅନୁସୃତ ନୀତି ର ଆଜିବି ପ୍ରାସଙ୍ଗିକତା ରହିଥିବା ଏସିଆ ପ୍ରାସିଫିକ ୟୁନିଭର୍ସ ର ମିସେସ କୁଇନ୍ ଉପାଧୀ ବିଜେତା ସୁରଂଜିତା ରଣା, ଲକ୍ଷ୍ନୌ ସ୍ଥିତ ଆଇଆଇଏମ ର ପ୍ରଫେସର ସତ୍ୟଭୂଷଣ ଦାଶ ଏବଂ ବିଜୟନୀ ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ରୀତା ପାତ୍ର, ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ବୈଠକରେ ଅର୍ଚ୍ଚନା ପରିଡ଼ା ଓ ଡଃ ଡ଼ିମ୍ପଲ ଗୋଏଲ କବିତା ଆବୃତ୍ତି କରି ବାଜିଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପ୍ରସିଦ୍ଧ ପରିବେଶବିତ୍ ପ୍ରବୋଧ ଚାନ୍ଦେଲଙ୍କ ଦ୍ଵାରା ପ୍ରତିଷ୍ଠିତ ବୃକ୍ଷ ପଞ୍ଚାୟତ ର ସ୍ମରଣିକା କୁ ଅତିଥୀମାନେ ଉନ୍ମୋଚନ କରିଥିଲେ । ଉତ୍କଳ ଭାରତୀର କଳା ସମ୍ପାଦିକା ଅଳ୍ପନା ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ । ସାତ ବର୍ଷ ର ଛାତ୍ରୀ ମିମାଂଶା ପଟ୍ଟନାୟକଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଅଧିବେଶନର ଶୁଭାରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିନାୟକ ଦାସ, ଦେବରାଜ ମହାନ୍ତି, ସଂଜୀବ ମହାନ୍ତି, ସଞ୍ଜୟ ଅଗ୍ରୱାଲ, ଡଃ ବିଷ୍ଣୁ ଶତପଥି, ଡଃ ପ୍ରଦ୍ୟୁମ୍ନ ସେଠି, ଡଃ ନମିତା ମିଶ୍ର, ଡଃ ନମିତା ସ୍ୱାଇଁ, ଡଃ କ୍ରୀଷ୍ଣା ଦତ୍ତ, ଡଃ ସର୍ବେଶ୍ୱର ପ୍ରଧାନ, ଡଃ ଗତିକୃଷ୍ଣ ମହନ୍ତ, ଡଃ ପ୍ରିୟମ୍ବଦା ପତ୍ରୀ , ଡଃ ସ୍ଵାଗତ ରାଉତ, ଡଃ ବସନ୍ତ ଦାସ, ଡଃ ସରୋଜିନୀ ଏକ୍କା, ଡଃ ନରେଶ ମଲ୍ଲିକ, ଡଃ ଆନ୍ନି ରାୟ, ଡଃ ଗିରିଧାରୀ ପାଲ,ଡଃ ଦୀପକ ଲାଲ କୁଜୁର ଓ ଡଃ ପୁନମ ଚନ୍ଦ୍ରା ପ୍ରମୁଖ ସମ୍ମୀନନୀୟ ବ୍ୟକ୍ତି ଅନ୍ତର୍ଭୁକ୍ତ ଥିଲେ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button