ନୀତି

ଭାରତର ପ୍ରଥମ ମହିଳା ଟ୍ରକ୍‌ ମେକାନିକ୍‌, ଶାନ୍ତି ଦେବୀ – Utkal Mail


ଟ୍ରକ୍‌ ମେକାନିକ୍‌ ଭାବେ କାର୍ଯ୍ୟ କରିବା ଏକ କଷ୍ଟକର କାର୍ଯ୍ୟ। ଦିନ ହେଉ ବା ରାତି ଅସଜ ଟ୍ରକ୍‌କୁ ସଜାଡ଼ିବା ପାଇଁ କଠିନ ଶାରୀରିକ ପରିଶ୍ରମ କରିବାକୁ ପଡ଼ିଥାଏ। ଆଉ ଏହି ପରିଶ୍ରମ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ରହିବା ମଧ୍ୟ ଦରକାର। ତେଣୁ ଏହି କାର୍ଯ୍ୟରେ ସାଧାରଣତଃ ପୁରୁଷମାନେ ନିୟୋଜିତ ଥାଅାନ୍ତି। ତେବେ ପୁରୁଷର ଏ ଦୁର୍ଗରେ ଶାନ୍ତି ଦେବୀ ପ୍ରଥମେ ପ୍ରବେଶ କରିଥିଲେ ଆଉ ପ୍ରମାଣିତ କରିିଥିଲେ ଯେ ମହିଳାଟିଏ ମଧ୍ୟ ଏଭଳି କଠିନ ପରିଶ୍ରମ କରିବାକୁ ସମର୍ଥ। ରାଜଧାନୀ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗରରେ ରହିଛି ଷାଠିଏ ବର୍ଷିଆ ଶାନ୍ତି ଦେବୀଙ୍କ ଗ୍ୟାରେଜ୍‌। ଏଠାରେ ଟ୍ରକ୍‌ ଟାୟାର୍‌ର ପଂକ୍‌ଚର ମରାଯିବା ଏବଂ ମରାମତି ସହ ଇଞ୍ଜିନ୍‌ କାମ ମଧ୍ୟ କରାଯାଇଥାଏ।

ଷାଠିଏ ବର୍ଷିଆ ଶାନ୍ତି ଦେବୀ ଭ‌ାରତର ପ୍ରଥମ ମହିଳା ଟ୍ରକ୍‌ ମେକାନିକ୍‌। ଗ୍ବାଲିୟର୍‌ର ଏକ ଆର୍ଥିକ ଅନଗ୍ରସର ପରିବାରରେ ତାଙ୍କର ଜନ୍ମ। ଛୋଟମୋଟ କାମ କରି ସେ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଚାରି ହଜାର ଟଙ୍କା ସଞ୍ଚୟ ରାଶିରେ ସେ ବିବାହ କରିଥିଲେ। ସଂସାର ସୁରୁଖୁରୁରେ ଚାଲିଥିବା ବେଳେ ମଧ୍ୟପ୍ରଦେଶର ଜେସି ମିଲ୍‌ସରେ ଅଗ୍ନିକାଣ୍ଡ ଘଟିବାରୁ ସେଠାରେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯାଇଥିଲା। ‌େସତେବେ‌ଳକୁ ତାଙ୍କର ଚାରିଟି ସନ୍ତାନ ଥିଲେ। ପିଲାମାନଙ୍କ ଲାଳନପାଳନ ପାଇଁ ସେ ଚିନ୍ତିତ ଥିଲେ ମାତ୍ର ମାନସିକ ଭାବେ ଦୃଢ଼ ଥିଲେ। ସେ ରାମ ବାହାଦୁରଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତାଙ୍କ ଦ୍ବିତୀୟ ପତିଙ୍କର ମଧ୍ୟ ଚାରିଟି ସନ୍ତାନ ଥିଲେ। ପ୍ରଥମେ ଶାନ୍ତି ଚା’ ଦୋକାନ ଆରମ୍ଭ କଲେ। ସେତେବେଳେ ରାମ ବାହାଦୁର ରିକ୍‌ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ଚା’ ଦୋକାନରୁ ଦି’ପଇସା ଭଲ ରୋଜଗାର ହେବାରୁ ତାଙ୍କ ସ୍ବାମୀ ରିକ୍ସା ଚଳାଇବା ଛାଡ଼ି ତାଙ୍କୁ ଦୋକାନ କାମରେ ସହଯୋଗ କରିଥିଲେ। କିଛି ବର୍ଷ ପରେ ପତି-ପତ୍ନୀ ସେମାନଙ୍କ ସଞ୍ଚିତ ଅର୍ଥରୁ ଟ୍ରକ୍‌ ମରାମତି ଦୋକାନଟିଏ ଆରମ୍ଭ କରିଥିଲେ।

ପ୍ରଥମେ ପ୍ରଥମେ ବାହାଦୁର ସବୁ କଠିନ କାମ କରୁଥିଲେ ସେତେବେଳେ ଶାନ୍ତି ତାଙ୍କୁ କିଛି କିଛି ସହଯୋଗ କରୁଥିଲେ ମାତ୍ର ଦିନକୁ ଦିନ ବ୍ୟବସାୟ ବଢ଼ିବାରୁ ଶାନ୍ତି ଟ୍ରକ୍‌ ମରାମତି କରିବା କାର୍ଯ୍ୟ ଶିଖିବା ଆରମ୍ଭ କଲେ। ବାହାଦୁର ତାଙ୍କୁ ଟ୍ରକ୍‌ ଟାୟାର୍‌ ଓ ଇଞ୍ଜିନ୍‌ ଅାଦିର ମରାମତି କାର୍ଯ୍ୟ ଶିଖାଇଥିଲେ। ସେ ନିଜେ ମଧ୍ୟ ସ୍ବାମୀଙ୍କର କାର୍ଯ୍ୟକୁ ନିଷ୍ଠାର ସହ ନିରୀକ୍ଷଣ କରୁଥିଲେ। ସେ ଟ୍ରକ୍ ସଜାଡୁଥିବା ଦେଖି ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି। ମାତ୍ର ଶାନ୍ତି ଦେବୀ ନିଷ୍ଠାର ସହ କାମ କରିଚାଲନ୍ତି। ସେ କହନ୍ତି, ‘‘ମୁଁ ଟ୍ରକ୍‌ରୁ ଟାୟାର୍‌ କାଢ଼ି ତାକୁ ସଜାଡୁଥିବାର ଦେଖି ଲୋକେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି। କିନ୍ତୁ ମୋ ପାଖରେ କାମରେ ବାଛବିଚାର ନ ଥାଏ। ଏଇ କାମଟି କେବଳ ପୁରୁଷ ହିଁ କରିବେ, ନାରୀ କରିପାରିବେ ନାହିଁ- ଏ ଭାବନା ମୋର ନାହିଁ। ମୋ ହୃଦୟ ଯାହା ଚାହେଁ ମୁଁ ସେଇଆ ହିଁ କରିଥାଏ।’’ କଠିନ କାର୍ଯ୍ୟ କରିବା ବେଳେ ସେ ବହୁବାର ଆଘାତପ୍ରାପ୍ତ ହୋଇଛନ୍ତି। ନିଜ ଉପରେ ଥିବା ଦୃଢ଼ ବିଶ୍ବାସ ତାଙ୍କୁ ଏହି କାର୍ଯ୍ୟରେ ନିରନ୍ତର ଲାଗି ରହିବା ନିମନ୍ତେ ପ୍ରେରଣା ଦେଇଛି। ଇତିମଧ୍ୟରେ ସେ ଟ୍ରକ୍‌ ମେକାନିକ୍‌ ଭାବେ କାର୍ଯ୍ୟ କରିବାର ପଇଁତିରିଶ ବର୍ଷ ଅତିକ୍ରମ କରିଗଲାଣି। କିିଛିବର୍ଷ ତଳେ ତାଙ୍କର ସ୍ବାମୀଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଏବେ ସେ ଏକା ହୋଇଯାଇଛନ୍ତି, ମାତ୍ର ଏହି କାମରୁ ସେ ବିରତି ନେଇ ନାହାନ୍ତି। ସେ ମନେକରନ୍ତି, ଜୀବନ ଏକ ସଂଘର୍ଷ, ଏହି ସଂଗ୍ରାମ ଦୃଢ଼ତାର ସହ ଲଢ଼ିବା ଦରକାର। ସଞ୍ଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗରରେ ଏବେ ପାଖ‌ାପାଖି ପଚାଶ ମହିଳା କାମ କରୁଛନ୍ତି। ତେବେ ସେହି ମହିଳାମାନେ ଚା’ ଦୋକାନ ବା ଢାବା ପରି ସାଧାରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମ‌ାତ୍ର ଏବେ ବି ଶାନ୍ତି ଦେବୀ ଟ୍ରକ୍‌ ମେକାନିକ୍‌ ଭାବେ ଏଠାରେ ଏକମାତ୍ର ମହିଳା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button