ଦେଶ ବିଦେଶ

ଚିନ୍ତା ବଢ଼ାଇଲେ ପାକ୍, ଚୀନ: ଜନବସତିକୁ ଟାର୍ଗେଟ୍‌ କରୁଛି ପାକ୍‌ ସେନା – Utkal Mail


ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ, କଲମ୍ବୋରେ ‘ସି ୟାନ୍‌-୬’ ଜାହାଜ

ଜମ୍ମୁ: ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଚୀନ ଭାରତର ଚିନ୍ତା ବଢ଼ାଇଛନ୍ତି। ଗୋଟିଏ ପଟେ ସ୍ଥଳଭାଗରେ ପାକିସ୍ତାନ ଏବଂ ଅନ୍ୟପଟେ ଜଳଭାଗରେ ଚୀନର କାର୍ଯ୍ୟକଳାପ ଦେଶ ପାଇଁ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଜମ୍ମୁ ସେକ୍ଟରର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ରେଞ୍ଜର୍ସମାନେ ଗତରାତିରୁ ଗୁଳିବର୍ଷା ଜାରି ରଖିଥିବା ବେଳେ ଆଜି ଆର୍ନିଆ ସେକ୍ଟରରେ କେତେକ ଜନବସତିକୁ ଟାର୍ଗେଟ୍‌ କରି ‌ଗୁଳିଗୋଳା ମାଡ଼ କରିଛନ୍ତି। ବିନା କାରଣରେ ଉତ୍ତେଜନା ବଢ଼ାଉଥିବା ପାକିସ୍ତାନ ଗୁଳିମାଡ଼ ଜାରି ରଖିଥିବାରୁ ଭାରତର ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଏହାର କଡ଼ା ଜବାବ ଦେଇଛି। ବିଏସ୍‌ଏଫ୍‌ ଆଜି ଜମ୍ମୁ ସେକ୍ଟରର ଆଗୁଆ ପୋଷ୍ଟ୍‌ରୁ ପ୍ରବଳ ଗୁଳିଗୋଳା ମାଡ଼ କରିଛି।

ଗତରାତି ୯.୧୫ ସମୟରେ ପାକ୍‌ ସେନା ବର୍ଡର ଆଉଟପୋଷ୍ଟ୍‌ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ମୋର୍ଟାର ମାଡ଼ କରିଥିଲା ଏବଂ ଏଥିରେ କେତେକ ଘର କ୍ଷତିଗ୍ରସ୍ତ ହୋଇଥିଲା। ଆଜି ଅପରାହ୍ନରେ ମଧ୍ୟ ଜନବସତିକୁ ଟାର୍ଗେଟ୍‌ କରି ଗୋଳାମାଡ଼ କରାଯାଇଥିଲା। ଜଣେ ବିଏସ୍‌ଫ୍‌ ଯବାନଙ୍କ ସମେତ ୩ ଜଣ ପାକ୍‌ଗୁଳିରେ ଆହତ ହୋଇଥିବା ରିପୋର୍ଟ ମିଳିଛି। ଆର୍ନିଆରେ ମୋର୍ଟାର ମାଡ଼ ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ପରିସ୍ଥିତି ଜଟିଳ ହେଉଥିବାରୁ ଶତାଧିକ ସୀମାନ୍ତ ଗ୍ରାମବାସୀଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ବିଏସ୍‌ଏଫ୍‌ ଅନୁଯାୟୀ ପାକ୍‌ ରେଞ୍ଜର୍ସମା‌ନେ ହେଭି ମେସିନ ଗନ୍‌ରୁ ଗୁଳିମାଡ଼ କରି ଭାରତୀୟ ପୋଷ୍ଟ୍‌କୁ ଟାର୍ଗେଟ୍‌ କରିଥିଲେ। ବିଏସ୍‌ଏଫ୍‌ ଏହାର ଜବାବରେ ଗୁଳିବର୍ଷା କରିବାରୁ କିଛି ସମୟ ପାଇଁ ପାକିସ୍ତାନ ପଟୁ ଗୁଳିମାଡ଼ ବନ୍ଦ ହୋଇଥିଲା। ଏହାର କିଛି ସମୟ ପରେ ପୁଣି ପାକିସ୍ତାନ ବର୍ଡର ଆଉଟପୋଷ୍ଟ୍‌କୁ ଟାର୍ଗେଟ୍‌ କରିଥିବା ବେଳେ ଭାରତ ପଟୁ ସମାନ ଢଙ୍ଗରେ ଜବାବ ଦିଆଯାଇଥିଲା। ଆଜି ଦିନସାରା ଉତ୍ତେଜନା ଜାରି ରହିଛି ଏବଂ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ପାକିସ୍ତାନର ଏଭଳି ଗୁଳିମାଡ଼ ଯୋଗୁଁ ସାଧାରଣ ଜନବସତି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କିଛି ଘର ଭାଙ୍ଗି ଯାଇଛି। ସୀମାନ୍ତ ଗ୍ରାମଗୁଡ଼ିକରେ ଲୋକମାନଙ୍କୁ ଗୁଳିମାଡ଼ ସମୟରେ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବାକୁ କୁହାଯାଇଛି।

ଜନବସତିକୁ ଟାର୍ଗେଟ୍‌ କରୁଛି ପାକ୍‌ ସେନା
ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ
କଲମ୍ବୋରେ ‘ସି ୟାନ୍‌-୬’ ଜାହାଜ
ଭାରତ ନୌସେନାର ତୀକ୍ଷ୍ଣ ନଜର

ଅନ୍ୟପଟେ ଭାରତ ମହାସାଗରରେ ଚୀନର ୩ଟି ଯୁଦ୍ଧ ଜାହାଜ, ଗୋଟିଏ ବୁଡ଼ାଜାହାଜ ଏବଂ ଗୋଟିଏ ରିସର୍ଚ୍ଚ ଭେସେଲ ପଇଁତରା ମାରୁଛି। ଆସନ୍ତା ନଭେମ୍ବରରେ ଆରବ ସାଗରରେ ଚୀନ ଏବଂ ପାକିସ୍ତାନ ନୌସେନା ପକ୍ଷରୁ ମିଳିତ ସାମୁଦ୍ରିକ ଅଭ୍ୟାସ କରାଯିବ। ଏଥିପାଇଁ ଚୀନର ଏକ ବିଧ୍ବଂସକ ଆଣ୍ଟି ପାଇରେସି ଏସକର୍ଟ ଫୋର୍ସ (ଏପିଇଏଫ୍‌), ଏକ ଯୁଦ୍ଧ ଜାହାଜ ଏବଂ ଏକ ଟ୍ୟାଙ୍କର ପାରସ୍ୟ ଉପସାଗର ଅଞ୍ଚଳରେ ରହିଛି। ଏଥିରେ ସଙ୍ଗ୍‌-କ୍ଲାସ୍‌ର ଡିଜେଲ-ଇଲେକ୍ଟ୍ରିକ ବୁଡ଼ାଜାହାଜ ଏବଂ ଏକ ସହାୟକ ଭେ‌ସେଲ୍‌ ସାମିଲ ହୋଇଛି। ଏସବୁର ଚଳାଚଳ ଉପରେ ଭାରତର ନୌସେନା ମାଲାକା ପ୍ରଣାଳୀ ଠାରୁ ଆରମ୍ଭ କରି ପାରସ୍ୟ ଉପସାଗର ମଧ୍ୟରେ କଡ଼ା ନଜର ରଖିଛି। ଭାରତୀୟ ନୌସେନା ଏହାର ପି-୮୧ ଦୂରଗାମୀ ମାରିଟାଇମ ‌ପାଟ୍ରୋଲ ଏୟାରକ୍ରାଫ୍ଟ, ଭୂପୃଷ୍ଠ ଜାହାଜ ଏବଂ ଆମେରିକାରୁ ଲିଜ୍‌ରେ ଆସିଥିବା ଦୁଇଟି ଏମ୍‌କ୍ୟୁ-୯ବି ଡ୍ରୋନ ଜରିଆରେ ତୀକ୍ଷ୍ଣ ନଜର ରଖିଛି। କେବଳ ସେତିକି ନୁହେଁ, ଦ୍ବୈତ ଉଦ୍ଦେଶ୍ୟ ପୂରଣ କରୁଥିବା ଚୀନର ଏକ ସର୍ଭେ ଏବଂ ରିସର୍ଚ୍ଚ ଭେସେଲ ‘ସି ୟାନ୍‌-୬’ ମଧ୍ୟ ଗତ ବୁଧବାରଠାରୁ କଲମ୍ବୋରେ ଅବସ୍ଥାପିତ ହୋଇଛି। ଭାରତର ଉଦ୍‌ବେଗ ସତ୍ତ୍ବେ ଏହାକୁ ସେଠାରେ ରଖାଯାଇଛି। ଗତ ଅଗଷ୍ଟରେ ଚୀନର ଯୁଦ୍ଧ ଜାହାଜ ହାଇ ୟାଙ୍ଗ ୨୪ ହାଓକୁ ମଧ୍ୟ ସେଠାରେ ରଖାଯାଇଥିଲା। ଚୀନର ଗୁଇନ୍ଦା ଏବଂ ନୌସେନା ଜାହାଜକୁ ଶ୍ରୀଲଙ୍କାରେ ପ୍ରବେଶ ପାଇଁ ସେଠାକାର ସରକାର ଅନୁମତି ଦେଉଥିବାରୁ ଭାରତ ଅତୀତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।




Related Articles

Leave a Reply

Your email address will not be published. Required fields are marked *

Back to top button