ଆଇସିସି ବିଶ୍ବକପ୍ : ପାକିସ୍ତାନ ଆଗରେ ୩୪୫ରନର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା – Utkal Mail
ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ପାକିସ୍ତାନ ଆଗରେ ୩୪୫ ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଶ୍ରୀଲଙ୍କା ଦଳ ଆରମ୍ଭରୁ କୁଶଲ ପରେରାଙ୍କ ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ୍ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମେଣ୍ଡିସ ମାତ୍ର ୭୭ ବଲରେ ୧୨୨ ରନ କରିଥିଲେ । ନିଶଙ୍କା ୫୧ରନ କରିଥିଲେ । ନିଶଙ୍କା ଆଉଟ୍ ହେବା ପରେ ଆସିଥିବା ସଦିରା ସମରଓ୍ବିକ୍ରମା ମଧ୍ୟ ୮୯ଟି ବଲରେ ୧୦୮ ରନ କରିଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୪୪ରନ କରିଥିଲା ।
ପାକିସ୍ତାନ ପକ୍ଷରୁ ହାସାନ ଅଲ୍ଲି ୪ଟି ଓ୍ବିକେଟ ନେଇଥିବାବେଳେ ହାରିସ୍ ରୌଫ ୨ଟି ଓ୍ବିକେଟ ନେଇଥିଲେ । ସେହିପରି ଶାହିନ ଆଫ୍ରିଦି, ସାଦାବ ଖାଁ ଓ ମହମ୍ମଦ ନଓ୍ବାଜ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନେଦରଲାଣ୍ଡକୁ ହରାଇଥିବାବେଳେ ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ୧୦୨ ରନରେ ହାରିଯାଇଥିଲା ।