ଦେଶ ବିଦେଶ

ଶପଥ ନେଲେ ରେଖା ଗୁପ୍ତା: ଏନ୍‌ଡିଏର ଶକ୍ତି ପ୍ରଦର୍ଶନ, ପ୍ରଥମ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଥମ ଥର ବିଧାୟକ ହୋଇଥିବା ରେଖା ଗୁପ୍ତା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ଐତିହାସିକ ରାମଲୀଳା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ କ୍ୟାବିନେଟ୍‌ ସହକର୍ମୀ ସାମିଲ ହୋଇଥିଲେ। ଏହା ସହିତ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରେଖା ଗୁପ୍ତା ଶପଥ ନେଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ରେଖାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ରେଖାଙ୍କ ସହ ଆଜି ଅନ୍ୟ ୬ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଉଛନ୍ତି ପରବେଶ ବର୍ମା, ଆଶିଷ ସୁଦ, ମନ୍‌ଜିନ୍ଦର ସିଂହ ସିର୍ସା, ରବିନ୍ଦ୍ର ଇନ୍ଦ୍ରଜ ସିଂହ, କପିଲ ମିଶ୍ରା ଏବଂ ପଙ୍କଜ କୁମାର ସିଂହ।

ପାଖାପାଖି ୩୦ ହଜାର ଅତିଥିଙ୍କ ଗହଣରେ ଆଜି ‌ଏହି ଶପଥ ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଏହାକୁ ଏନ୍‌ଡିଏର ଶକ୍ତି ପ୍ରଦର୍ଶନ ବୋଲି ମଧ୍ୟ କୁହାଯାଉଛି। ୫୦ ବର୍ଷୀୟା ରେଖା ଗୁପ୍ତା ହେଉଛନ୍ତି ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ସୁଷମା ସ୍ବରାଜ, ଶିଲା ଦିକ୍ଷୀତ ଏବଂ ଆତିଶୀଙ୍କ ପରେ ଏବେ ରେଖା ଗୁପ୍ତା ଦିଲ୍ଲୀର ଶାସନ ମଙ୍ଗ ଧରିଛନ୍ତି। ରେଖାଙ୍କ କ୍ୟାବିନେଟ୍‌ରେ ସାମିଲ ହୋଇଥିବା ମନ୍‌ଜିନ୍ଦର ସିଂହ ସିର୍ସା ଶିଖ୍‌ ସମ୍ପ୍ରଦାୟର ହୋଇଥିବା ବେଳେ  ପରବେଶ ବର୍ମା ଜଣେ ପ୍ରଭାବଶାଳୀ ଜାଟ୍‌ ନେତା। କପିଲ ମିଶ୍ରା ହେଉଛନ୍ତି ବିଜେପିର ବ୍ରାହ୍ମଣ ଚେହେରା। ଆଶିଷ ସୁଦ ପଂଜାବୀ ଖତ୍ରି ସମ୍ପ୍ରଦାୟର ଏବଂ ରବିନ୍ଦର ସିଂହ ଜଣେ ଦଳିତ ନେତା।  ସେହିପରି ବିକାଶପୁରୀରୁ ପ୍ରଥମ ଥର ବିଧାୟକ ହୋଇଥିବା ପଙ୍କଜ କୁମାର ସିଂହ ବୃତ୍ତିରେ ଜଣେ  ଡାକ୍ତର ଏବଂ ପୂର୍ବାଞ୍ଚଳୀ ସମ୍ପ୍ରଦାୟରେ ସେ ଜଣେ ଜଣାଶୁଣା ଚେହେରା।  ଆଜି ନୂଆ ସରକାରର ଶପଥ ଗ୍ରହଣ ସହ ପ୍ରଥମ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ବିଧାନସଭାର ପ୍ରଥମ ଅଧିବେଶନରେ  ସିଏଜି ରିପୋର୍ଟ ଦାଖଲ କରିବାପାଇଁ  ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button