ଦେଶ ବିଦେଶ

ପୁଟିନ୍‌ଙ୍କୁ ଭେଟିବା ପାଇଁ ରୁଷ୍‌ରେ ପହଞ୍ଚିଲେ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍‌ ଉନ୍‌ – Utkal Mail


ନୂଆଦିଲ୍ଲୀ: ଭ୍ଲାଦିଭୋସ୍ତୋକ୍‌ରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହିତ ବିଶେଷ ଶିଖର ସମ୍ମିଳନୀ କରିବା ନିମନ୍ତେ ନିଜସ୍ବ ଟ୍ରେନ୍‌ରେ ପ୍ୟୋଙ୍ଗ୍ୟାଙ୍ଗ୍‌ରୁ ଯାତ୍ରା ଆରମ୍ଭ କରିଥିବା ଉତ୍ତର କୋରିଆରର ନେତା କିମ୍ ଜୋଙ୍ଗ୍‌ ଉନ୍‌ ରୁଷ୍‌ରେ ପହଞ୍ଚିଥିବା କଥା ଜାପାନୀ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

କୌଣସି ଅଜ୍ଞାତ ରୁଷୀୟ ସରକାରୀ ଅଧିକାରୀଙ୍କଠାରୁ ସୂଚନା ସଂଗ୍ରହ କରି ଆଜି ଜାପାନର ‘କ୍ୟୋଦୋ ନିଉଜ୍ ଏଜେନ୍‌ସି’ ରିପୋର୍ଟ କରିଛି ‌ଯେ, କିମ୍‌ଙ୍କୁ ନେଇ ଯାଉଥିବା ଟ୍ରେନ୍‌ଟି ଖାସାନ୍‌ ଷ୍ଟେସନ୍‌ରେ ପହଞ୍ଚିଛି। ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଏହି ଷ୍ଟେସନ୍‌ ହେଉଛି ଉତ୍ତର କୋରିଆରୁ ରୁଷ୍‌କୁ ଯିବା ପାଇଁ ମୁଖ୍ୟ ରେଳ ପ୍ରବେଶ ପଥ। ଆଜି ଅପରାହ୍ଣରେ କିମ୍‌ ଓ ପୁଟିନ୍‌ ପରସ୍ପରଙ୍କୁ ଭେଟିବେ।

Image Courtesy of The Hill

ଅନ୍‌ଲାଇନ୍‌ରେ ପୋଷ୍ଟ୍‌ କରିଥିବା ଭିଡିଓରେ କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିତ୍ରି ପେସ୍‌କୋଭ୍‌ କହିଛନ୍ତି, କିମ୍‌ଙ୍କ ରୁଷ୍‌ ଆଗମନ ଓ ପୁଟିନ୍‌ଙ୍କ ସହିତ ସାକ୍ଷାତ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଅଟେ। ଏବଂ ୟୁକ୍ରେନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ବ୍ୟବହାର କରିବା ଲାଗି ପ୍ୟୋଙ୍ଗ୍ୟାଙ୍ଗ୍‌ ମସ୍କୋକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଯୋଜନା କରୁଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର ଚିନ୍ତିତ ଥିବା ବ‌େଳେ ସେ ରୁଷ୍‌ ଆସିଛନ୍ତି। ରୁଷୀୟ ବନ୍ଦର ନଗରୀ ଭ୍ଲାଦିଭୋସ୍ତୋକ୍‌ରେ ଏହି ବୈଠକ ହେବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ପୁଟିନ୍‌ ମଧ୍ୟ ସେଠାରେ ପହଞ୍ଚି ସାରିଛନ୍ତି।

ପେସ୍କୋଭ୍‌ଙ୍କ କହିବା ଅନୁସାରେ, ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କ। ଏହାଛଡ଼ା, ଆମେ ମଧ୍ୟ ଆମର ସମ୍ପର୍କ ନିବିଡ଼ କରି ରଖିବୁ।

ଉଲ୍ଲେଖଯୋଗ୍ୟ, ସେନା ଅଧିକାରୀମାନଙ୍କ ସମେତ କେତେକ ପଦସ୍ଥ ସରକାରୀ ଅଧିକାରୀମାନେ କିମ୍‌ଙ୍କ ସହିତ ରୁଷ୍‌ ଗସ୍ତରେ ଯାଇଥିବା କଥା ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button