କ୍ରାଇମ

ପୂର୍ବଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼: ୩ ଆହତ, ୪ ଅଫୁଟା ବୋମା ଜବତ – Utkal Mail


ଆଠଗଡ଼: ପୂର୍ବଶତ୍ରୁତାରୁ ଆଠଗଡ଼ ଥାନା ଅନ୍ତର୍ଗତ ଅମୃତମଣୋହି ପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼ ହୋଇଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ତିନିଜଣ ଆହତ ହୋଇଥିଲା ବେଳେ ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୪ଟି ଅଫୁଟା ବୋମା ଜବତ କରିଛନ୍ତି। ଏ ନେଇ ଥାନାରେ ପୃଥକ୍‌ ଅଭିଯୋଗ ପରେ ଦୁଇଟି ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ଅମୃତମଣୋହି ପାଟଣାର ଗଦାଧର ନାୟକଙ୍କ ପତ୍ନୀ ଶାନ୍ତିଲତା ଜେନାଙ୍କ ଅଭିଯୋଗ ମୁତାବକ, ବୁଧବାର ପୂର୍ବାହ୍ନ ୯ଟାରେ ସମସରପୁରରୁ ୪ ବର୍ଷର ପୁଅ ସହ ସେ ଘରକୁ ଫେରୁଥିଲେ। ଗ୍ରାମ ଦାଣ୍ଡରେ ଶିଶିର ଜେନା, ସିପ୍ରାସିନ୍ଧୁ ସାମଲ ଓ ବାବାଜି ବିଶ୍ବାଳ ବାଇକ୍‌ରେ ପଛପଟୁ ଆସି ତାଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବାରୁ ଶାନ୍ତିଲତା ପ୍ରତିବାଦ କରିଥିଲେ। ଏହାପରେ ଶିଶିର ଜେନା ତାଙ୍କ ଉପରେ ବାଇକ୍‌ ଚଢ଼ାଇ ଦେଇଥିଲେ। ଫଳରେ ଶାନ୍ତିଲତା ଓ ତାଙ୍କ ପୁଅ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ। ଏହାପରେ ସେମାନେ ତାଙ୍କ ଶାଢ଼ୀ ଟଣାଓଟରା କରିଥିଲେ। ବାପା ଗଗନ ଜେନା ଘଟଣାସ୍ଥଳରେ ପହଞ୍ଚି ଝିଅ ଓ ନାତିକୁ ଉଦ୍ଧାର କରିବାକୁ ଉଦ୍ୟମ କରିବାରୁ ପୂର୍ଣ୍ଣଚନ୍ଦ୍ର ରାଉତ, ଉପେନ୍ଦ୍ର ରାଉତ,ସିପୁ ରାଉତ ପ୍ରମୁଖ ମାରଣାସ୍ତ୍ର ଧରି ତାଙ୍କୁ ଘେରି ଯାଇଥିଲା ବେଳେ ଶିଶିର ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏହି ସମୟରେ ଶ୍ରୀକାନ୍ତ ଜେନା ବୋମାମାଡ଼ କରିଥିବା ନେଇ ଶାନ୍ତିଲତା ଆଠଗଡ଼ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ, ଶାନ୍ତିଲତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବାରୁ ଅଭିଯୁକ୍ତମାନେ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ବୋଲି ସେହି ଗ୍ରାମର କିଶୋର କୁମାର ଜେନା ଥାନାରେ ଅଭିଯୋଗ କରିଛନ୍ତି।

ଅନ୍ୟ ଗୋଷ୍ଠୀର ଗୁଣନିଧି ଜେନାଙ୍କ ଅଭିଯୋଗ ଅନୁସାରେ ଆଜି ଦିନ ପ୍ରାୟ ୯ଟାରେ ସେ ନିଜ ଘରେ ଖାଇବାକୁ ବସିଥିଲେ। ଏହି ସମୟରେ ଗ୍ରାମର ସୁରେଶ ମନ୍ତ୍ରୀ, ଅରିଶ ମନ୍ତ୍ରୀ, ଅଶୋକ ମନ୍ତ୍ରୀ, ଗଦାଧର ନାୟକ ପ୍ରମୁଖ ମାରଣାସ୍ତ୍ର ଧରି ପହଞ୍ଚିବା ପରେ ଗାଳିଗୁଲଜ କରିଥିଲେ। ସେମାନେ ତାଙ୍କୁ ଘରୁ ଘୋଷାଡ଼ି ବାହାରକୁ ନେଇଯାଇଥିଲେ। ଏହି ସମୟରେ ସୁରେଶ ତାଙ୍କୁ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଅନ୍ୟ ଅଭିଯୁକ୍ତମାନେ ତାଙ୍କ ପତ୍ନୀଙ୍କ ଲୁଗା ଟଣାଓଟରା କରିଥିଲେ। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପହଞ୍ଚି ଯିବାରୁ କିଶୋର ଜେନା ବୋମାମାଡ଼ କରି ଭୟଭୀତ କରାଇଥିବା ନେଇ ଗୁଣନିଧି ଆଠଗଡ଼ ଥାନାରେ ଏତଲା ଦେଇଛନ୍ତି। ଏ ସମ୍ପର୍କରେ ଆଠଗଡ଼ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ପରେ ଆଠଗଡ଼ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଘଟଣାସ୍ଥଳରେ ବୋମାମାଡ଼ ହୋଇଥିଲା ବେଳେ ୪ଟି ଅଫୁଟା ବୋମା ଜବତ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ଗୋଷ୍ଠୀ ସଂଘର୍ଷ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗ୍ରାମରେ ପୁଲିସ ମୁତୟନ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button