ଭାରତୀୟ ଛାତ୍ରକୁ ଆମେରିକାରେ ନିର୍ଯାତନା ଦେବା ଓ ବେଠି ଖଟାଇବା ଅଭିଯୋଗରେ ୩ ଗିରଫ – Utkal Mail
ୱାସିଂଟନ: ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଅପହରଣ କରିବା, ମାଡ଼ ମାରିବା, ନିର୍ଯାତନା ଦେବା ଏବଂ ପ୍ରାୟ ୭ ମାସ ଧରି ନିଜ ଘରେ କ୍ରୀତଦାସ ପରି ଖଟାଇବା ଅଭିଯୋଗରେ ଆମେରିକାର ମିଜୋରି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଛାତ୍ର ଜଣକ ଗତବର୍ଷ ମିଜୋରି ବିଶ୍ବବିଦ୍ୟାଳୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଧ୍ୟୟନ କରିବା ପାଇଁ ଭାରତରୁ ଆସିଥିଲେ।
ଛାତ୍ର ଜଣଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଭୀଷଣ ମାଡ଼ ଓ ନିର୍ଯାତନା ଯୋଗୁ ତାଙ୍କର ଅନେକ ହାଡ଼ ଭାଙ୍ଗିଛି ଓ ଶରୀରର ବହୁ ଜାଗାରେ କ୍ଷତଚିହ୍ନ ସୃଷ୍ଟି ହୋଇଛି। ସମ୍ପୃକ୍ତ ଛାତ୍ରଙ୍କ ନାମ ପ୍ରକାଶ କରାଯାଇ ନାହିଁ। ତାଙ୍କର ଜଣେ ସମ୍ପର୍କୀୟ ଭାଇ ଓ ଅନ୍ୟ ଦୁଇଜଣ ତାଙ୍କୁ ପ୍ରାୟ ୭ମାସ ହେଲା ବନ୍ଦୀ କରି ରଖିଥିଲେ। ତାଙ୍କୁ ୱାସ୍ରୁମ୍ ବ୍ୟବହାର କରିବାକୁ ଦିଆଯାଉ ନ ଥିଲା, ମାଡ଼ ମରାଯାଉଥିଲା ଏବଂ ତିନୋଟି ଘରେ କାମ କରିବାକୁ ବାଧ୍ୟ କରାଯାଥିଲା। ଜଣେ ସଚେତନ ନାଗରିକ ପୁଲିସରେ ଜଣାଇବା ପରେ ଘଟଣା ପଦାକୁ ଆସିଥିଲା। ପୁଲିସ ସେଣ୍ଟ ଚାର୍ଲସ କାଉଣ୍ଟିସ୍ଥିତ ତାଙ୍କ ଘରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ତଥା ପୀଡ଼ିତ ଛାତ୍ରଙ୍କ ସମ୍ପର୍କୀୟ ଭାଇ ଭେଙ୍କଟେଶ ଆର୍ ସତ୍ତାରୁ (୩୫) ଏବଂ ଅନ୍ୟତମ ଅଭିଯୁକ୍ତ ଶ୍ରବଣ ବର୍ମା ପେନୁମେଚା (୨୩) ଓ ନିଖିଳ ବର୍ମା ପେନମାତସା (୨୭)ଙ୍କୁ ଗିରଫ କରିଛି।