ରାଜନୀତି

ଏବେ ରାଜନୀତି କରନ୍ତୁ, ବିଜେଡି ଦାୟିତ୍ବ ଦେଉ, ଆମର ଅସୁବିଧା ନାହିଁ: ମନମୋହନ ସାମଲ – Utkal Mail


ଭୁବନେଶ୍ବର: ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଶ୍ରୀ ସାମଲ କହିଛନ୍ତି, ଚାକିରି ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ। ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ, ଭାରତର ନାଗରିକ ହିସାବରେ ରାଜନୀତି କରିପାରିବେ, ଏବେ ରାଜନୀତି କରନ୍ତୁ। ବିଜେଡି ଦାୟିତ୍ୱ ଦେଉ, ସେଥିରେ କୌଣସି ଅସୁବିଧା ନାହିଁ। ବିଜେପି ତାର ନୀତି ଆଦର୍ଶକୁ ନେଇ ନିର୍ବାଚନ ଲଢ଼ିବ। ଆମେ ଜନ ଅସନ୍ତୋଷ ବିରୋଧରେ ନିର୍ବାଚନ ଲଢ଼ିବୁ।
ଭାରତବର୍ଷର କୌଣସି ରାଜ୍ୟରେ ଏଭଳି ରାଜନୀତି ହୋଇନଥିଲା, ଯାହା ଓଡ଼ିଶାରେ ଚାଲିଛି, ତାହାକୁ ଆମେ ନିନ୍ଦା କରିଥିଲୁ, ବିରୋଧ କରିଥିଲୁ। ଆମେ ବ୍ୟକ୍ତିକୁ ନୁହେଁ ବ୍ୟବସ୍ଥାକୁ ବିରୋଧ କରିଥିଲୁ।
ବିଗତ ଦିନରେ ରାଜ୍ୟରେ ଯାହା ଯାହା ଘଟିଲା ତାହା ଓଡ଼ିଶା କି ଦେଶ ପାଇଁ ଶୁଭଙ୍କର ନୁହେଁ। ଆମ ଚାପ ନୁହେଁ, ଅନେକ ଲୋକ ରାଜନୀତିକୁ ଆସିବେ, ରାଜନୀତିରୁ ଯିବେ। ଅତୀତରେ ପ୍ୟାରୀ ବାବୁ ଆସି ବିଜେଡିରେ ସକ୍ରିୟ ହେଲେ, ବିଜୟ ପଟ୍ଟନାୟକ ଏବଂ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ। ଚାକିରି କରି ରାଜନୀତି କରିବାକୁ ଆମେ ବିରୋଧ କରିଥିଲୁ।.
ସେ ଆହୁରି କହିଛନ୍ତି, ବିଜେପି ଅଭିଯୋଗ କରିବା ପ୍ରସଙ୍ଗରେ, ଏବେ ସେ ଚାପଟର ଓଭର। ଏବେ ରାଜନୀତି ଖୋଲା ମୈଦାନରେ ହେବ। ଯିଏ ଯୋଉଠୁ ଆସୁ ଯିଏ ଯୋଉ ଦାୟିତ୍ୱ ନେଉ, ଖୋଲା ରାଜନୀତି ହେବ। ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ହେବ, ଓଡିଶାର ହକ୍ ପାଇଁ ଲଢେଇ ହେବ। ଓଡିଶାରେ ଯେଉଁମାନେ ଅନ୍ୟାୟ ଅନୀତି, ଦୁର୍ନୀତି କରିଛନ୍ତି, ନୀତି ନିୟମ ରାଜନୈତିକ ମୂଲ୍ୟବୋଧ ବୁଝିନାହାନ୍ତି ତା ବିରୁଦ୍ଧରେ ଲଢେଇ ହେବ। ଲୋକ ସମୀକରଣକୁ ବଦଳାଇ ଦେଇଛନ୍ତି। ଲୋକ ବିଜେପିକୁ ଭୋଟ ଦେବେ। ବିଜେଡି ଏବଂ ସରକାର ବିରୁଦ୍ଧରେ ଭୋଟ ଦେବେ। ଲୋକ ଏବେ ନିର୍ବାଚନର ନେତୃତ୍ୱ ନେବେ, ଲୋକ ପରିବର୍ତ୍ତନ ସରକାର କରିବେ।
ଶାସକ ଦଳ କଣ ଉତ୍ସାହିତ ଅଛନ୍ତି, ସେମାନେ ଘରକଣରେ ବସିଛନ୍ତି। ବିଜୁ ଜନତା ଦଳରେ ଯେଉଁ ସାଂସଦ, ବିଧାୟକ ଏବଂ ନେତାଙ୍କର ସ୍ୱାଭିମାନ ଥିବେ ସେମାନେ କେବେ ତାଙ୍କ ସାଙ୍ଗରେ ରହିବେନି। ଯାହାର ନୈତିକତା ଥିବ, ସେମାନେ କେବେ ସେ ସଂଗଠନରେ ରହିବା ପାଇଁ ନିଜକୁ ଶ୍ରେୟ ମଣିବେ ନାହିଁ। ସେମାନେ ଉପଯୁକ୍ତ ସମୟରେ ସଠିକ୍ ନିଷ୍ପତ୍ତି ନେବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button