ଓଡିଶା

ହଂସିତା-ଅନୀଲଙ୍କ ଜାମିନ ମାମଲା: ପ୍ରଥମ ସ୍ବାମୀଙ୍କୁ ଢାଲ କଲେ ହଂସିତା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ହଂସିତା-ଅନୀଲ ଗିରଫ ମାମଲାରେ ଆଜି ଥିଲା ଅନୀଲଙ୍କ ଅନ୍ତରୀଣ ଜାମିନ ଶୁଣାଣି। ଭୁବନେଶ୍ବର ସେକେଣ୍ଡ ଆଡିସ୍‌ନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍‌ସ କୋର୍ଟ(ଏଡିଜେ-୨)ରେ ଶୁଣାଣି ଆରମ୍ଭ ହୋଇଥିଲେ ହେଁ ଆଜି ତାଙ୍କୁ ଜାମିନ ମିଳିପାରିନାହିଁ। କୋର୍ଟରେ ପୁଲିସ କେସ୍‌ ଡାଏରି ଦାଖଲ କରି ନପାରି ଆଉ ଗୋଟିଏ ତାରିଖ ପାଇଁ ଅନୁରୋଧ କରିଥିଲା। ତେଣୁ ବିଚାରପତି ୧୮ ତାରିଖକୁ ପରବର୍ତ୍ତୀ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ସେହିଦିନ ହିଁ ଉଭୟ ହଂସିତା ଓ ଅନୀଲଙ୍କ ଜାମିନ ଆବେଦନର ଶୁଣାଣି କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଏହି ମାମଲାରେ ହଂସିତା ଜାମିନ ଆବେଦନ କରିଥିଲେ ଏବଂ ପୁଲିସର କେସ୍‌ ଡାଏରି ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା। ଅନୀଲ୍‌ଙ୍କ ବିରୋଧରେ ଠକେଇ ଅଭିଯୋଗ ନଥିବା ଦର୍ଶାଇ ତାଙ୍କ ଓକିଲ ଜାମିନ ଆବେଦନ କରିଛନ୍ତି। କିନ୍ତୁ ହଂସିତ‌ା ତାଙ୍କ ପ୍ରଥମ ସ୍ବାମୀଙ୍କୁ ଢାଲ କରିଛନ୍ତି। ଦୀର୍ଘ ଦିନ ଅସୁସ୍ଥ ଥିବା ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ଚିକିତ୍ସାକୁ ଆଳ କରି ସେ ଜାମିନ ଆବେଦନ କରିଛନ୍ତି। ଆଜି ଏହା ଜଣାପଡ଼ିବା ପରେ ହଂସିତାଙ୍କ ଚାଲ୍‌କୁ ନେଇ ଜୋର୍‌ଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରଚୁର ଅର୍ଥ ରୋଜଗାର କରିବା ଲକ୍ଷ୍ୟରେ ହଂସିତା ନିଜ ନାଁ ବଦଳାଇ ଚାଲିଥିଲେ। ମୂଳ ନାଁ ଥିଲା ବିଷ୍ଣୁପ୍ରିୟା ଚାନ୍ଦ। ଗୋଟେ ସମୟରେ ସେ ନିଜକୁ ହର୍ଷିତା‌ ମିଶ୍ର ବୋଲି କହୁଥିଲେ। ଶେଷରେ ହଂସିତା ଅଭିଲିପ୍ସା ଭାବେ ସେ ପରିଚିତି ଲାଭ କରିଥିଲେ। ମହାଠକେଇ ପାଇଁ ସେ କେବଳ ନାଁ ବଦଳାଇ ନଥିଲେ, ସ୍ବାମୀ ମଧ୍ୟ ବଦଳାଇଥିଲେ। ପ୍ରଥମ ସ୍ବାମୀ ସରୋଜଙ୍କୁ ଛାଡ଼ପତ୍ର ନ ଦେଇ ମଧ୍ୟ ସେ ମନୋଜ ମିଶ୍ରଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପରେ ମନୋଜଙ୍କ ସହ ସମ୍ପର୍କ ତୁଟାଇ ସେ ଅନୀଲ୍‌ଙ୍କ ସହ ଯୋଡ଼ି ହୋଇଯାଇଥିଲେ। ଏମିତିକି ବିନା ବିବାହରେ ସେ ତାଙ୍କୁ ସ୍ବାମୀ ବୋଲି କହୁଥିଲେ। ତେଣୁ ଇନ୍‌ଫୋସିଟି ଥାନାରେ ହୋଇଥିବା ମାମଲାରେ ପୁଲିସ ହଂସିତାଙ୍କୁ ଅନୀଲ୍‌ଙ୍କ ସ୍ତ୍ରୀ ବୋଲି ଉଲ୍ଲେଖ କରିଛି। ରୋଚକ କଥା ହେଉଛି, ଗୋଟିଏ ଆପାର୍ଟମେଣ୍ଟ୍‌ର ୩ଟି ଫ୍ଲାଟ୍‌ରେ ପ୍ରଥମ ସ୍ବାମୀ ସରୋଜ, ଅନୀଲ୍‌ ଓ ଖୋଦ ହଂସିତା ଅଲଗା ଅଲଗା ରହୁଥିଲେ। ଅନୀଲ୍‌ଙ୍କ ଆଗରେ ସରୋଜ ଥିଲେ ହଂସିତାଙ୍କ ଅନ୍ୟତମ ବିଜ୍‌ନେସ୍‌ ପାର୍ଟନର୍‌। ଏବେ ଜାମିନ ପାଇଁ ହଂସିତା କରିଥିବା ଆବେଦନରେ ସରୋଜଙ୍କୁ ସ୍ବାମୀ ‌ବୋଲି ହଂସିତ‌ା ଦର୍ଶାଇଛନ୍ତି। ଏକ ଦୁରାରୋଗ୍ୟ ରୋଗରେ ପୀଡ଼ିତ ସରୋଜଙ୍କ ଚିକିତ୍ସା ପାଇଁ ତାଙ୍କର ଉପସ୍ଥିତି ଜରୁରି ବୋଲି ହଂସିତା ଜାମିନ ଆବେଦନରେ ଉଲ୍ଲେଖ କରିଛନ୍ତି। ଏକଦା ଅର୍ଥ ଲାଳସାରେ ସରୋଜ ଓ ନିଜ ପେଟରୁ ଜନ୍ମ ନେଇଥିବା ଶିଶୁପୁତ୍ରକୁ ଛାଡ଼ି ଦ୍ବିତୀୟ ସ୍ବାମୀ ଗ୍ରହଣ କରିଥିବା ବିଷ୍ଣୁପ୍ରିୟା ଚାନ୍ଦ ଓରଫ ହଂସିତା ଅଭିଲିପ୍‌ସା ଏବେ ସେହି ସ୍ବାମୀଙ୍କୁ ଜାମିନ ପାଇଁ ଢାଲ କରିଛନ୍ତି ବୋଲି ଆଲୋଚନା ହେଉଛି। ଏକଦା ଅତ୍ୟାଧୁନିକ ଅସ୍ତ୍ରୋପଚାର ବଳରେ ନିଜର ମୋଟାପଣକୁ ପରିବର୍ତ୍ତନ କରି ଅଧିକ ସୁନ୍ଦରୀ କରାଇପାରିଥିବା ହଂସିତା ଅର୍ଥ ଉପାର୍ଜନ ପାଇଁ ସ୍ବାମୀ ବଦଳାଇ ଚର୍ଚ୍ଚାରେ ଥିଲେ। କିନ୍ତୁ ବଡ଼ କଥା ହେଉଛି, ସେ କୌଣସି ସ୍ବାମୀଙ୍କୁ ପୂରାପୂରି ଛାଡ଼ି ‌ନଥିଲେ। ଭବିଷ୍ୟତରେ ଅସମୟରେ ତାଙ୍କୁ ବ୍ୟବହାର କରିହେବ ବୋଲି ସେ ଜାଣିଥିଲେ। ପ୍ରଥମ ସ୍ବାମୀ ସରୋଜଙ୍କ ଅସୁସ୍ଥତାର ସୁଯୋଗ ନେଇ ତାଙ୍କ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିଲେ ଏବଂ ଆଜି ତାଙ୍କୁ ହିଁ ଢାଲ କରି ଜାମିନ ପାଇବାକୁ ଚାଲ୍‌ ଚଳାଇଛନ୍ତି ବୋଲି କୁହାଯାଉଛି। ତେଣୁ ଦୂରଦୃଷ୍ଟିସମ୍ପନ୍ନା ହଂସିତା ଏକ ଲମ୍ବା ରେସ୍‌ର ଘୋଡ଼ା ବୋଲି ଆଲୋଚନା ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button