ଦେଶ ବିଦେଶ

ଚାକିରିରୁ ଇସ୍ତଫା ଦେଲେ ଭାରତର ହ୍ୱାଟ୍ସ ଆପ୍‌ ମୁଖ୍ୟ ଏବଂ ମେଟା ପବ୍ଲିକ୍‌ ପଲିସି ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍‌ ମିଡିଆ କମ୍ପାନୀ ମେଟାରେ ଏବେ ଛଟେଇ ଚାଲିଥିବା ବେଳେ ଭାରତର ଦୁଇ ବଡ଼ ଅଧିକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି । ଭାରତରେ ହ୍ୱାଟ୍ସଆପ୍‌ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଅଭିଜିତ୍‌ ବୋଷ୍‌ ଏବଂ ମେଟା ଇଣ୍ଡିଆର ପବ୍ଲିକ୍‌ ପଲିସି ମୁଖ୍ୟ ରାଜୀବ୍‌ ଅଗ୍ରୱାଲ୍‌ ଚାକିରି ଛାଡ଼ିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହ୍ୱାଟ୍ସ ଆପ୍‌ ପବ୍ଲିକ୍‌ ପଲିସି ଇଣ୍ଡିଆର ନିର୍ଦ୍ଦେଶକ ଶିବ୍‌ନାଥ ଠୁକ୍‌ରାଲ୍‌ଙ୍କୁ ମେଟାର ସମସ୍ତ ବ୍ରାଣ୍ଡ ପାଇଁ ପବ୍ଲିକ୍‌ ପଲିସି ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ମିଳିଛି । ସୂଚନା ଥାଉକି କିଛିଦିନ ତଳେ ମେଟା ଏହାର କର୍ମଚାରୀଙ୍କୁ ସବୁଠାରୁ ବଡ଼ ଛଟେଇ କରିବା ନେଇ ଘୋଷଣା କରିଥିଲା । ପାଖାପାଖି ବିଶ୍ୱର ବିଭିନ୍ନ ଦେଶରୁ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ମେଟା ।

“ଭାରତରେ ପ୍ରଥମ ହ୍ୱାଟ୍ସ ଆପ୍‌ ମୁଖ୍ୟ ଭାବେ ସୁଟାରୁ ରୂପେ କାର୍ୟ୍ୟ କରିଥିବାରୁ ଆମେ ଅଭିଜିତ୍‌ଙ୍କ ନିକଟରେ କୃତଜ୍ଞ । ତାଙ୍କର ଉଦ୍ୟୋଗିକ ପରିଚାଳନା ଆମ ଟିମ୍‌କୁ ବେଶ୍‌ ସହାୟକ ହୋଇଥିଲା । ତାଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ହ୍ୱାଟ୍ସ ଆପ୍‌ ବ୍ୟବହାରକାରୀ ନୂଆ ନୂଆ ଫିଚର୍‌ ସହ ପରିଚିତ ହୋଇପାରିଥିଲେ ଏବଂ ଆମ ବ୍ୟବସାୟ ମଧ୍ୟ ଭଲ ଉନ୍ନତି କରିଥିବା ହ୍ୱାଟ୍ସ ଆପ୍‌ ପରିଚାଳନା କରୁଥିବା କ୍ୟାଥ୍‌କାର୍ଟ ଏକ ଷ୍ଟେଟ୍‌ମେଣ୍ଟ୍‌ ଜାରି କରି କହିଛି” । ତେବେ ଚଳିତ ମାସର ପହିଲାରେ ମେଟା ଇଣ୍ଡିଆର ମୁଖ୍ୟ ଅଜିତ୍‌ ମୋହନ୍‌ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏସିଆ ପାସିଫିକ୍‌ର ରାଇଭାଲ୍‌ ସ୍ନାପ୍‌ରେ ସେ ସଭାପତି ଭାବେ ଯୋଗଦେବା ନେଇ ପରେ ଘୋଷଣା କରିଥିଲେ । ଅନ୍ୟପଟେ କିଏ ଭାରତରେ ହ୍ୱାଟ୍ସ ଆପ୍‌ ମୁଖ୍ୟ ହେବେ ସେ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button