କର୍ଣ୍ଣାଟକ ବିଧାନସଭାରେ ପ୍ରବଳ ହଙ୍ଗାମା: ୧୮ ବିଜେପି ବିଧାୟକ ୬ ମାସ ପାଇଁ ନିଲମ୍ବିତ

ବେଙ୍ଗାଲୁରୁ: ମୁସଲମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ବିଲ୍କୁ ବିରୋଧ କରି ଶୁକ୍ରବାର କର୍ଣ୍ଣାଟକ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏକ ଅର୍ଥ ବିଲ୍କୁ ମୁସଲମାନ ସଂରକ୍ଷଣ ବିଲ୍ ବୋଲି ଭାବି ବିଜେପି ବିଧାୟକମାନେ ଏହାର ଏକ କପି ଫାଡି ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବାଚସ୍ପତି ୟୁଟି ଖାଦର ଶୁକ୍ରବାର ୧୮ ଜଣ ବିଜେପି ବିଧାୟକଙ୍କୁ ଶୃଙ୍ଖଳାହୀନତା ପାଇଁ ୬ ମାସ ପାଇଁ ନିଲମ୍ବିତ କରିଛନ୍ତି। ଅର୍ଥ ବିଲ୍ ଆଗତ ହେଉଥିବା ବେଳେ ୪% ମୁସ୍ଲିମ ସଂରକ୍ଷଣ ବିଲ୍କୁ ନେଇ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ସେମାନେ ଗୃହ ମଝିରେ ପଶି ଶାସକ ସିଦ୍ଦରମୈୟା ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତିଙ୍କ ଆସନ ଉପରକୁ ଚଢ଼ି ପ୍ରତିବାଦକୁ ଜୋରଦାର କରିଥିବା ଦେଖିବାକୁ ମିଳିଥିଲା।
୪% ମୁସଲମାନ ସଂରକ୍ଷଣ ବିଲ୍କୁ ବିରୋଧ
ବିଜେପି ବିଧାୟକ ଭରତ ସେଟ୍ଟି କହିଛନ୍ତି, ହନିଟ୍ରାପ୍ ଦୁର୍ନୀତି ଉପରେ ଆଲୋଚନା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ୪ ପ୍ରତିଶତ ମୁସଲମାନ ବିଲ୍ ଉପସ୍ଥାପନ କରିବାରେ ବ୍ୟସ୍ତ ଥିଲେ। ତେଣୁ ଆମେ ବିରୋଧ କରିଥିଲୁ। ପରେ ବାଚସ୍ପତିଙ୍କ କାର୍ଯ୍ୟାଳୟ ଏହା ୪ ପ୍ରତିଶତ ମୁସଲମାନ ସଂରକ୍ଷଣ ବିଲ୍ ନୁହେଁ ବରଂ ଅର୍ଥ ବିଲ୍ ବୋଲି ସ୍ପଷ୍ଟ କରିଥିଲା। ଶାସକ କଂଗ୍ରେସ ସରକାର ଏହି ସଂରକ୍ଷଣକୁ ସଂଖ୍ୟାଲଘୁଙ୍କ ପାଇଁ ସାମାଜିକ ନ୍ୟାୟ ଏବଂ ଅର୍ଥନୈତିକ ସୁଯୋଗକୁ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ ବୋଲି କହି ସମର୍ଥନ କରିଥିବା ବେଳେ ବିଜେପି ଏହାକୁ ତୁଷ୍ଟୀକରଣ ରାଜନୀତି ବୋଲି ଅଭିଯୋଗ କରିଛି।
ବିଶୃଙ୍ଖଳା ନେଇ କର୍ଣ୍ଣାଟକ ବାଚସ୍ପତି ବିଜେପିର ୧୮ ଜଣ ବିଧାୟକଙ୍କୁ ୬ ମାସ ପାଇଁ ନିଲମ୍ବିତ କରିଛନ୍ତି କାରଣ ସେମାନେ ହନିଟ୍ରାପ୍ ଦୁର୍ନୀତି ଏବଂ ମୁସଲମାନମାନଙ୍କୁ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ କରୁଥିବା ଏକ ବିଲ୍କୁ ନେଇ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏହି ସଦସ୍ୟମାନଙ୍କୁ ବିଧାନସଭା ହଲ୍, ଲବି ଓ ଗ୍ୟାଲେରିକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।