କ୍ରୀଡା

ସିପିଏଲ୍‌ରେ ଖେଳିବେ ଅମ୍ବାତି ରାୟୁଡୁ: ତାମ୍ବେଙ୍କ ପରେ ଦ୍ବିତୀୟ ଭାରତୀୟ – Utkal Mail


ନୂଆଦିଲ୍ଲୀ: କ୍ରିକେଟ୍‌ରୁ ଅବସର ନେଇସାରିଥିବା ଭାରତୀୟ କ୍ରିକେଟର୍‌ ଅମ୍ବାତି ରାୟୁଡୁ କାରିବିୟାନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌) ରେ ଖେଳିବେ। ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍‌ ପାଟ୍ରିଅଟ୍ସ ପକ୍ଷରୁ ରାୟୁଡୁଙ୍କ ସହିତ ଚୁକ୍ତି କରାଯିବା ପରେ ଆସନ୍ତା ସଂସ୍କରଣର ସେ ଖେଳିବା ନେଇ ସ୍ପଷ୍ଟ ହୋଇଛି। ଏହାଫଳରେ ପ୍ରବୀଣ ତାମ୍ବେଙ୍କ ପରେ ରାୟୁଡୁ ଦ୍ବିତୀୟ ଭାରତୀୟ ଭାବେ ସିପିଏଲ୍‌ରେ ଖେଳିବାକୁ ଯାଉଛନ୍ତି। ଚଳିତ ବର୍ଷ ଆଇପିଏଲ୍‌ରୁ ଅବସର ନେଇଥିବା ରାୟୁଡୁ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ଥିଲେ। ପରେ ଆମେରିକାରେ ହୋଇଥିବା ମେଜର କ୍ରିକେଟ୍‌ ଲିଗ୍‌ରେ ସେ ଖେଳିବାକୁ ଯାଇଥିଲେ ବି କୌଣସି କାରଣରୁ ସେ ସ୍ବଦେଶ ଫେରିଆସିଥିଲେ। ସିପିଏଲ୍‌ରେ ତାମ୍ବେ ୨୦୨୦ରେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ପକ୍ଷରୁ ‌ଖେଳିଥିଲେ। ଏହାବାଦ୍‌ ଅନ୍ୟତମ ଦୁଇ ଭାରତୀୟ ସନି ସୋହେଲ୍‌ ଓ ସ୍ମିତ୍‌ ପଟେଲ୍‌ ମଧ୍ୟ ସିପିଏଲ୍‌ରେ ଖେଳିସାରିଛନ୍ତି। କିନ୍ତୁ ଉଭୟ ଆମେରିକାର ଖେଳାଳି ଭାବେ ସିପିଏଲ୍‌ରେ ଭାଗ ନେଇଥିଲେ। ଅପରପକ୍ଷେ ଚଳିତ ସଂସ୍କରଣରେ ଶ୍ରେୟଙ୍କା ପାଟିଲ୍‌ ପ୍ରଥମ ଭାରତୀୟ ଖେଳାଳି ଭାବେ ମହିଳା ସିପିଏଲ୍‌ରେ ଖେଳିବାକୁ ଯାଉଛନ୍ତି।

ତାଙ୍କସହିତ ଗାଏନା ଆମାଜନ୍‌ ୱାରିଅର୍ସ ଚୁକ୍ତି କରିଛି। ରାୟୁଡୁ ମଧ୍ୟ ଏହି ଲିଗ୍‌ରେ ଅନ୍ୟତମ ଭାରତୀୟ ମାଲୋଲାନ୍‌ ରଙ୍ଗରାଜନଙ୍କ ସହିତ ମିଶିକରି ଦଳକୁ ଆଗେଇ ନେବେ। ପାଟ୍ରିଅଟ୍ସର ପୂର୍ବତନ ପ୍ରଶିକ୍ଷକ ସିମନ୍‌ ହେଲମଟ୍‌ଙ୍କ ସ୍ଥାନରେ ରଙ୍ଗରାଜନ୍‌ ଦଳର ନୂଆ ପ୍ରଶିକ୍ଷକ ଭାବେ ଯୋଗଦେଇଛନ୍ତି। ରଙ୍ଗରାଜନ ଏଥିପୂର୍ବରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ସହିତ ମଧ୍ୟ ଜଡ଼ିତ ଥିଲେ। ଏହାବାଦ୍‌ ପୂର୍ବରୁ ରବିନ୍‌ ସିଂହ ଓ ଅଭିଷେକ ନାୟର ମଧ୍ୟ ସିପିଏଲ୍‌ରେ ‌ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି। ସିପିଏଲ୍‌ ଆସନ୍ତା ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button