ରକ୍ତରଞ୍ଜିତ ରାଜଧାନୀ: ୩ ଶହ ଟଙ୍କା ପାଇଁ ଶ୍ରମିକଙ୍କୁ ମଦ ବୋତଲ ଭୁସିଦେଲେ – Utkal Mail
ସ୍ତ୍ରୀ ମୁଣ୍ଡକୁ ଫାଉଡ଼ା ପାହାର, ଶିଳପୁଆରେ ଜେଜେ ଶ୍ବଶୁରଙ୍କୁ ପିଟିଦେଲା
ଭୁବନେଶ୍ବର: ମାତ୍ର ୩ ଶହ ଟଙ୍କା ଛଡ଼ାଇ ନେବାକୁ ଦୁର୍ବୃତ୍ତମାନେ ଜଣେ ଶ୍ରମିକଙ୍କ ପେଟରେ ମଦ ବୋତଲ ଭାଙ୍ଗି ପୂରାଇ ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ଘଟିଥିବା ଏଭଳି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି ଦିନ ମଜୁରିଆ ଭିକାରୀ ନାୟକ। ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କ୍ୟାପିଟାଲ ଥାନା ପୁଲିସ ଅପରାଧୀମାନଙ୍କୁ ଗିରଫ କରିବାକୁ ଚଢ଼ଉ ଚଳାଇଛି। ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ଭିକାରୀ ସବୁଦିନ ରାତିରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଫୁଟ୍ପାଥ୍ରେ ଶୋଇପଡ଼ନ୍ତି। ଗତ ୧୦ ତାରିଖ ରାତିରେ ସେ ଶୋଇଥିବା ବେଳେ ତିନି ଦୁର୍ବୃତ୍ତ ଘନ, ମାନସ ଓ କୁନା ତାଙ୍କୁ ଉଠାଇଥିଲେ। ଟଙ୍କା ମାଗି ତାଙ୍କୁ ଧମକଚମକ ଦେଇଥିଲେ। ଭିକାରୀ ମନା କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ତଥାପି ଭିକାରୀ ଟଙ୍କା ନ ଦେବାରୁ ସେମାନେ ଏକ ବିଅର ବୋତଲ ଭାଙ୍ଗି ଭିକାରୀଙ୍କ ପେଟକୁ ଭୁସି ଦେଇଥିଲେ। ରକ୍ତାକ୍ତ ହୋଇ ଭିକାରୀ ତଳେ ପଡ଼ିଯିବା ପରେ ସେମାନେ ତାଙ୍କ ପାଖରେ ଥିବା ୩ ଶହ ଟଙ୍କା ଓ ମୋବାଇଲ ଫୋନ୍ ଛଡ଼ାଇ ପଳାଇଥିଲେ। ପାଟି ଶୁଣି କିଛି ଲୋକ ସେଠାକୁ ଧାଇଁ ଆସି ପୁଲିସକୁ ଖବର ଦେଇଥିଲେ। ପୁଲିସ ଭିକାରୀଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।
ସ୍ତ୍ରୀ ମୁଣ୍ଡକୁ ଫାଉଡ଼ା ପାହାର
ଜଟଣୀ: ପତ୍ନୀଙ୍କ ମୁଣ୍ଡକୁ ଫାଉଡ଼ା ପାହାର ପକାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗ ଆଜି ଜଟଣୀ ଥାନା ପୁଲିସ ନିଷ୍ଠୁର ସ୍ବାମୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ହରିରାଜପୁର ଅଞ୍ଚଳର ପ୍ରଫୁଲ୍ଲ ବାରିକ ଓରଫ୍ ପପୁ(୪୬)। ପୁଲିସ ତା’ ନିକଟରୁ ଫାଉଡ଼ା ଜବତ କରିଛି। ପୁଲିସ ସୂଚନାନୁସାରେ ପପୁ ସବୁବେଳେ ନିଜ ସ୍ତ୍ରୀ ଓ ପିଲାଙ୍କୁ ମାଡ଼ ମାରିବା ସହ ସ୍ତ୍ରୀଙ୍କୁ ମାନସିକ ଅତ୍ୟାଚାର କରୁଥିଲା। ତେଣୁ ଭୟରେ ସ୍ତ୍ରୀ ଓ ତାଙ୍କ ଝିଅ କୁଦିଆରୀ ମହତାବନଗରରେ ନିଜ ଜେଜେବାପାଙ୍କ ଘରେ ରହୁଥିଲେ। ଗତ ୨୭ ତାରିଖ ଦିନ ପପୁ ସେଠାକୁ ଆସି ସ୍ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଏକ ଫାଉଡ଼ାରେ ତାଙ୍କ ମୁଣ୍ଡକୁ ଶକ୍ତ ପାହାର ପକାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଏନେଇ ପପୁର ପୁଅ ଜୀବନଜିତ୍ ବାରିକ ବାପା ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।
ଶିଳପୁଆରେ ଜେଜେ ଶ୍ବଶୁରଙ୍କୁ ପିଟିଦେଲା
ଭୁବନେଶ୍ବର: ଜେଜେ ଶ୍ବଶୁରଙ୍କ ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ନାତୁଣୀ ଜ୍ବାଇଁକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ଗଜେନ୍ଦ୍ର ନାୟକ ଓରଫ୍ ହନି(୩୬)। ହିନିର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ କୌଣସି କାରଣକୁ ନେଇ ହିନି ଓ ତା’ର ଜେଜେଶଶୁରଙ୍କ ସହିତ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଏନେଇ ସେମାନେ ପୂର୍ବରୁ ପରସ୍ପରଙ୍କୁ ଧମକ ଦେଇ ଆସୁଥିଲେ। ଗତ ୧୦ ତାରିଖରେ ହିନି ଓ ତା’ ବାପା ଗଣ୍ଡମୁଣ୍ଡା ତାରିଣୀ ବସ୍ତିକୁ ଆସିଥିଲେ। ଏହି ସମୟରେ ହିନି ଜେଜେ ଶଶୁର ରୋହିତ ନାୟକ ଓ ତାଙ୍କ ସ୍ତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିଲା। କଥା କଟାକଟି ବଢ଼ିବାରୁ ରାଗରେ ହିନି ଏକ ଶିଳପୁଆ ଉଠାଇ ରୋହିତଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଏହା ଦେଖି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସି ରୋହିତଙ୍କୁ ଉଦ୍ଧାର କରିବା ସହ ହିନିକୁ କାବୁ କରିଥିଲେ। କିନ୍ତୁ ହିନିର ବାପା ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ପଡ଼ୋଶୀ ନନ୍ଦ ଘଡ଼େଇ ମଧ୍ୟ ଆହତ ହୋଇଥିଲେ। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା।
ସ୍ତ୍ରୀକୁ ପଥରରେ ଛେଚିଦେଲା
ଭୁବନେଶ୍ବର: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଆଜି ମହିଳା ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ରହୁଥିବା ସେକ୍ ହୁସେନ୍(୩୩)। ପୁଲିସ ସୂଚନାନୁସାରେ ୧୧ ବର୍ଷର ଦାମ୍ପତ୍ୟ ଜୀବନ ଭିତରେ ହୁସେନ୍ର ୩ ସନ୍ତାନ ହୋଇଛନ୍ତି। ତଥାପି ଯୌତୁକ ବାବଦରେ ବାପଘରୁ ଟଙ୍କା ଆଣିବାକୁ ଦାବି କରି ହୁସେନ୍ ତାଙ୍କ ସ୍ତ୍ରୀଙ୍କୁ ମାରଧର କରୁଥିଲା। ପିଲାମାନଙ୍କ ମୁହଁକୁ ଚାହିଁ ପୀଡ଼ିତା ସବୁ ସହି ଯାଉଥିଲେ। କିନ୍ତୁ ଗତ ୧୦ ତାରିଖ ରାତିରେ ସହିବାର ସବୁ ସୀମା ଅତିକ୍ରାନ୍ତ ହୋଇଯାଇଥିଲା। ଅଭିଯୁକ୍ତ ହୁସେନ୍, ତା’ ଭଉଣୀ ଓ ମାଆ ମିଶି ପୀଡ଼ିତାଙ୍କୁ ଗାଳିମନ୍ଦ କରିଥିଲେ। ଯୌତୁକ ଦାବି କରି ନିର୍ଯାତନା ଦେଇଥିଲେ। ଏମିତିକି ହୁସେନ୍ ଏକ ପଥରରେ ପୀଡ଼ିତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଜୀବନ ବିକଳରେ ମହିଳା ବାହାରକୁ ପଳାଇଆସିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ସେଦିନ ରାତିରେ ପୀଡ଼ିତା ମହିଳା ଥାନାରେ ଅଭିଯୋଗ କରିଥିଲେ।