କ୍ଷୁଧାମୁକ୍ତିର ବିନ୍ଧାଣି: ଫସଲରେ ଭାରତକୁ ନିଅଣ୍ଟିଆରୁ କରିଥିଲେ ବଳକା – Utkal Mail
ସ୍ବାଧୀନତା ପରେ ଗତ ଶତାବ୍ଦୀର ପଞ୍ଚମ ଏବଂ ଷଷ୍ଠ ଦଶକରେ ଭାରତରେ ପ୍ରଚୁର ଖାଦ୍ୟାଭାଗ ଥିଲା। ଜନସଂଖ୍ୟା ବଢ଼ୁଥିବାବେଳେ ଖାଦ୍ୟ ଉତ୍ପାଦନ ଆନୁପାତିକ ଭାବେ ବଢ଼ୁ ନଥିଲା। ମରୁଡ଼ି ଯୋଗୁ ଦେଶରେ ଦୁର୍ଭିକ୍ଷ ଉପୁଜୁଥିଲା। ଏଥିପାଇଁ ବିଦେଶରୁ ଆମକୁ ଗହମ ଏବଂ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଆମଦାନି କରିବାକୁ ପଡ଼ୁଥିଲା। ପରିସ୍ଥିତି ଏପରି ଥିଲା ଯେ ଜାହାଜ ଜରିଆରେ ଆସୁଥିବା ଖାଦ୍ୟ ସିଧାସଳଖ ଲୋକଙ୍କ ନିକଟକୁ ଯାଉଥିଲା। ଆମ ଦେଶକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ପାଖରେ ଭିକ୍ଷାଥାଳ ଧରି ଛିଡ଼ା ହେବା ଭଳି ପରିସ୍ଥିତି ଉପୁଜୁଥିଲା। ସେଭଳି ସନ୍ଧିକ୍ଷଣରେ ଭାରତକୁ ଖାଦ୍ୟଶସ୍ୟରେ ଆତ୍ମନିର୍ଭର କରିବାରେ ଯିଏ ଅଗ୍ରଦୂତ ସାଜିଥିଲେ ସେ ହେଉଛନ୍ତି ଡ. ଏମ୍ଏସ୍ ସ୍ବାମୀନାଥନ। ଯଦିଓ ଆମେରିକାର ନର୍ମାନ ୟର୍ଣ୍ଣଷ୍ଟ ବୋରଲଗଙ୍କୁ ବିଶ୍ବରେ ସବୁଜ ବିପ୍ଳବର ଜନକ କୁହାଯାଇଥାଏ କିନ୍ତୁ ଭାରତରେ ସବୁଜ ବିପ୍ଳବର ଜନକ ହେଉଛନ୍ତି ଏମ୍ଏସ୍ ସ୍ବାମୀନାଥନ
କିଂବଦନ୍ତି କୃଷି ବିଜ୍ଞାନୀ ସ୍ବାମୀନାଥନଙ୍କ ପାଇଁ ଭାରତ ଏକ ଭିକ୍ଷାଥାଳିରୁ ଆଜି ଖାଦ୍ୟଥାଳିରେ ପରିଣତ ହୋଇଛି। ୧୯୮୭ ମସିହାରେ ସେ ପ୍ରଥମ ବିଶ୍ବ ଖାଦ୍ୟ ପୁରସ୍କାର ପାଇଛନ୍ତି। କୃଷି କ୍ଷେତ୍ରରେ ଏହି ପୁରସ୍କାରକୁ ନୋବେଲ ପୁରସ୍କାର ଭାବେ ବିବେଚନା କରାଯାଇଥାଏ। ସେହିଭଳି ଦେଶବିଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ସେ ୮୪ଟି ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପାଇଛନ୍ତି। କୃଷି ବୈଜ୍ଞାନିକ, ଉଦ୍ଭିଦ ଆନୁବଂଶିକ ବିଜ୍ଞାନୀ, ପ୍ରଶାସକ ଏବଂ ମାନବବାଦୀ ଏମ୍ଏସ୍ ସ୍ବାମୀନାଥନଙ୍କ ଜନ୍ମ ତତ୍କାଳୀନ ମାଡ୍ରାସ ପ୍ରଦେଶର କୁମ୍ବକୋନମଠାରେ ୧୯୨୫ ମସିହା ଅଗଷ୍ଟ ୭ରେ ହୋଇଥିଲା। ତାଙ୍କ ବାପା ଏମକେ ସାମ୍ବାଶିବନ ଜଣେ ଡାକ୍ତର ଥିଲେ। ତାଙ୍କ ମାଆଙ୍କ ନାମ ଥାଙ୍ଗାମାଲ ସାମ୍ବାଶିବନ ଥିଲା। କେରଳର ଆଲାପୁଝା ଜିଲାରେ ସେମାନଙ୍କର ମୂଳ ଘର। ସ୍ବାମୀନାଥନଙ୍କୁ ୧୧ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ଏକ ସ୍ଥାନୀୟ ହାଇସ୍କୁଲରେ ସେ ପଢ଼ିବା ସହିତ ୧୫ ବର୍ଷ ବୟସରେ ମେଟ୍ରିକ ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ପିଲାଦିନୁ କୃଷି କାର୍ଯ୍ୟ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ଅମଳ ହୋଇଥିବା ଫସଲର ମୂଲ୍ୟରେ ଦେଖାଦେଉଥିବା ହ୍ରାସବୃଦ୍ଧିର ପ୍ରଭାବ ତାଙ୍କ ପରିବାର ଉପରେ କେତେମାତ୍ରାରେ ପଡ଼ୁଥିଲା ତାହା ତାଙ୍କ ମନକୁ ଅତି କୋମଳ ବୟସରୁ ଆନ୍ଦୋଳିତ କରିଥିଲା।
ଏସବୁ ସତ୍ତ୍ବେ ତାଙ୍କ ବାପା ଓ ମାଆ ସେ ଡାକ୍ତର ହୁଅନ୍ତୁ ବୋଲି ଚାହୁଥିଲେ। ଏହାକୁ ଦୃଷ୍ଟିରେ ରଖି ସେ ଜୀବବିଜ୍ଞାନରେ ଉଚ୍ଚଶିକ୍ଷା ଆରମ୍ଭ କରିଥିଲେ। ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୩ ମସିହାରେ ଭାରତ ଉପମହାଦେଶରେ ଦେଖାଦେଇଥିବା ବେଙ୍ଗଲ ଦୁର୍ଭିକ୍ଷ ତାଙ୍କ ହୃଦୟ ଥରାଇ ଦେଇଥିଲା। ଏହା ପରେ ସେ ତାଙ୍କ ସଂପୂର୍ଣ୍ଣ ଜୀବନ କୃଷି ପାଇଁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ସମ୍ଭ୍ରାନ୍ତ ପରିବାରରୁ ଆସିଥିବା ସ୍ବାମୀନାଥନଙ୍କ ସମୟରେ ଡାକ୍ତର ଓ ଇଞ୍ଜିନିୟର ପେସାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିଲା। ଏହା ସତ୍ତ୍ବେ ସ୍ବାମୀନାଥନ କୃଷି ବିଜ୍ଞାନ ପଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ତ୍ରିଭେନ୍ଦ୍ରମର ମହାରାଜାସ୍ କଲେଜରେ ଉଦ୍ଭିଦ ବିଜ୍ଞାନରେ ଉପସ୍ନାତକ ପାଠ ପଢ଼ିବା ପରେ ମାଡ୍ରାସ ବିଶ୍ବବିଦ୍ୟାଳୟର କୃଷି କଲେଜରୁ କୃଷି ବିଜ୍ଞାନରେ ସ୍ନାତକ ପାଠ ୧୯୪୦ରୁ ୧୯୪୪ ମସିହା ପର୍ଯ୍ୟନ୍ତ ପଢ଼ିଥିଲେ। ତାହାପରେ ଆଇଏଆରଆଇ ନୂଆଦିଲ୍ଲୀରେ ଜେନେଟିକ୍ସ ଓ ପ୍ଲାଣ୍ଟ ବ୍ରିଡିଂ ଉପରେ ଅଧ୍ୟୟନ କରିଥିଲେ। ସାଇଟୋଜେନେଟିକ୍ସରେ ୧୯୪୯ ମସିହାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ତାଙ୍କ ଉପରେ ସାମାଜିକ ଚାପ ଏତେ ମାତ୍ରାରେ ଥିଲେ ଯେ ସେ ସେତେବେଳେ ସିଭିଲ ସର୍ଭିସ ଦେଇ ଆଇପିଏସ ପାଇଁ ଚୟନ ହୋଇଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ ୟୁନେସ୍କୋ ପକ୍ଷରୁ ନେଦରଲାଣ୍ଡରେ ଜେନେଟିକ୍ସରେ ଫେଲୋସିପ ପାଇଥିଲେ।
ସେ ଜେନେଟିକ୍ସକୁ ଚୟନ କରି ନେଦରଲାଣ୍ଡ ପଢ଼ିବା ପାଇଁ ଯାଇଥିଲେ। ନେଦରଲାଣ୍ଡରେ ୮ ମାସ ପଢ଼ିବା ପରେ ବ୍ରିଟେନର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି, ଆମେରିକାର ୱିସକନସିନରୁ ଦୁଇବର୍ଷିଆ ପୋଷ୍ଟ ଡକ୍ଟରାଲ ପାଠ୍ୟକ୍ରମ ଶେଷ କରିଥିଲେ। ସେଠାରେ ସେ ଆଳୁର ଆନୁବଂଶିକ ବିଜ୍ଞାନ ଏବଂ ତୁଷାର ଓ ରୋଗ ପ୍ରତିରୋଧକ ଆଳୁ ମଞ୍ଜି ଉତ୍ପାଦନ ଉପରେ କାର୍ଯ୍ୟ କରିଥିଲେ। ସେ ଯେଉଁ ବିଷୟକୁ ସ୍ବତନ୍ତ୍ର ବିଷୟ ଭାବେ ନେଇ ଅଧ୍ୟୟନ କରିଥିଲେ ସେହି ସମୟରେ ଭାରତରେ କୌଣସି ପଦବି ନଥିଲା। ଜଣେ ପୂର୍ବତନ ପ୍ରଫେସରଙ୍କ ଜରିଆରେ ସେ କଟକସ୍ଥିତ ତତ୍କାଳୀନ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆରଆରଆଇ)ରେ ଆସିଷ୍ଟାଣ୍ଟ ବଟାନିଷ୍ଟ ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ସେତେବେଳେ କ୍ରିଷ୍ଣସ୍ବାମୀ ରାମେୟାଙ୍କ ଦ୍ବାରା ଇଣ୍ଡିକା-ଜାପୋନିକା ଧାନର ହାଇବ୍ରିଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିନ୍ତୁ ଏଠାରେ ୬ ମାସ କାମ କରିବା ପରେ ସେ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (ଆଇଏଆରଆଇ)ରେ ସେ ସହାୟକ ସାଇଟୋଜେନେଟିସିଷ୍ଟ୍ ବା କୋଷିକା ଆନୁବଂଶିକ ବିଜ୍ଞାନୀ ଭାବେ ଯୋଗ ଦେଇଥିଲେ। ଆଇଏଆରଆଇର ପ୍ରାଣୀ ବିଜ୍ଞାନ ବିଭାଗରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ପରେ ସେହି ପ୍ରାଣୀ ବିଭାଗର ନାମକୁ ସେ ଆନୁବଂଶିକ ବିଭାଗ ଭାବେ ନାମିତ କରିଥିଲେ।
କଟକ ସିଆରଆରଆଇରୁ ଚାକିରି ଆରମ୍ଭ
ପ୍ରଥମ ବିଶ୍ବ ଖାଦ୍ୟ ପୁରସ୍କାର ବିଜେତା
୮୪ ସମ୍ମାନସୂଚକ ପିଏଚ୍ଡି
ନିର୍ଦ୍ଧାରଣ କରିଛନ୍ତି ଫସଲର ଏମ୍ଏସ୍ପି ଫର୍ମୁଲା
କିଭଳି ବଢ଼ିଥିଲା ଫସଲ ଉତ୍ପାଦନ
ସ୍ବଳ୍ପ ବାଙ୍ଗରା କିସମର ଗହମ ଚାଷ ହେଉଥିଲା, ଯାହାର ଉତ୍ପାଦନ ସାର ପ୍ରୟୋଗ ଜରିଆରେ ବଢ଼ିପାରିବ ତାହା ଉପରେ ସ୍ବାମୀନାଥନ୍ ଗୁରୁତ୍ବ ଦେଇଥିଲେ। ପୂର୍ବରୁ ଦେଶରେ ଡେଙ୍ଗା ଗହମ ଗଛ ଲଗାଯାଉଥିଲା ସେଥିରେ ଗହମ ହେବା ବେଳକୁ ଗଛ ବିଲରେ ଶୋଇ ପଡ଼ୁଥିଲା। ହେକ୍ଟର ପିଛା ଗହମ ଅମଳ ୧ରୁ ଦେଢ଼ ଟନ ମଧ୍ୟରେ ସୀମିତ ରହୁଥିଲା। ସେ ଏଭଳି ଗହମ ଗଛ ଚାହୁଥିଲେ ଯେଉଁଥିରେ ଅଧିକ ଫସଲ ହେଲେ ମଧ୍ୟ ଗଛ ବିଲରେ ନଇଁ ନପଡ଼ି ଛିଡ଼ା ହୋଇ ରହିବ। ଫଳରେ ସାର ଦେଇ ଅଧିକ ଗହମ ଫଳାଗଲେ ମଧ୍ୟ ଗଛ ସିଧା ରହିବ। ବିହନର ଡିଏନଏରେ ରୂପାନ୍ତରୀକରଣ (ମ୍ୟୁଟାଜେନେସିସ୍) ଜରିଆରେ ସେ ଅର୍ଦ୍ଧ ବାମନ କିସମ ଗହମ ଗଛ ବିକାଶ କରିବା ଲାଗି ଉଦ୍ୟମ କରିଥିଲେ। କିନ୍ତୁ ସେହି ପରୀକ୍ଷଣ କାର୍ଯ୍ୟ କରି ନଥିଲା।
୧୯୫୫ ମସିହାରେ ଜାପାନର ବିଶିଷ୍ଟ ଗହମ ଆନୁବଂଶିକ ବିଜ୍ଞାନୀ ହିତୋସି କିହାରାଙ୍କ ଠାରୁ ସେ ‘ନରିନ-୧୦’ ନାମକ ଏକ ଅର୍ଦ୍ଧ ବାମନ କିସମ ଗହମ ସଂପର୍କରେ ଜାଣିବାକୁ ପାଇଥିଲେ। ପାରମ୍ପରିକ ଗହମ ଗଛର ଉଚ୍ଚତା ସାଢ଼େ ୪ରୁ ୫ ଫୁଟ ରହୁଥିବାବେଳେ ଅର୍ଦ୍ଧ ବାମନ କିସମ ଗହମ ଗଛର ଉଚ୍ଚତା ୨ରୁ ଅଢ଼େଇ ଫୁଟ ରହୁଥିଲା। ଏଥିସହିତ ଏହି ଗଛରେ ଅଧିକ ଫୁଲ ହେଉଥିଲା। ଏଥିସହିତ ସ୍ବାମୀନାଥନ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ ସେହି ନରିନ-୧୦ ବିହନକୁ ଜଣେ ବୈଜ୍ଞାନିକ ଜାପାନରୁ ନେଇ ଆମେରିକାର ୱାସିଂଟନ ଷ୍ଟେଟ ୟୁନିଭର୍ସିଟିରେ ପ୍ରଜନକ ଭାବେ କାର୍ଯ୍ୟ କରୁଥିବା ଓରିଭିଲ ଭୋଗେଲଙ୍କୁ ପ୍ରଦାନ କରିଥିଲେ। ଭୋଗେଲ ସେହି କିସମକୁ ଆମେରିକାରେ ହେଉଥିବା ଗହମ ସହିତ ସଂଗମ କରାଇଥିଲେ। ସେଥିରୁ ଭୋଗେଲ ଗୋଟିଏ କିସମ ବିହନ ୧୯୫୬ରେ ଚୟନ କରିଥିଲେ। ସେଥିରେ ୨୫ ପ୍ରତିଶତ ଅଧିକ ଅମଳ ହେଉଥିଲା। ତାହାର ନାମ ‘ଗେନ୍ସ’ ରଖାଯାଇଥିଲା। ଉକ୍ତ ବିହନ ପାଇଁ ସ୍ବାମୀନାଥନ ଭୋଗେଲଙ୍କୁ ଚିଠି ଲେଖିଥିଲେ। ତେବେ ରକଫେଲର ଫାଉଣ୍ଡେସନ୍ସ ମେକ୍ସିକୋ ଏଗ୍ରିକଲଚର ପ୍ରୋଗାମରେ କାର୍ଯ୍ୟ କରୁଥିବା ନର୍ମାନ ବୋରଲଗଙ୍କୁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ଭୋଗେଲ ମଧ୍ୟ ନରିନ-୧୦ ବିହନ ସହ ମୂଳ ବିହନଙ୍କୁ ବୋରଲଗଙ୍କ ନିକଟକୁ ପଠାଇଥିଲେ।
ବୋରଲଗ ସେହି ବିହନକୁ ମେକ୍ସିକୋରେ ବସନ୍ତ ଋତୁରେ ହେଉଥିବା ଗହମ ସହିତ ସଂଗମ କରାଇଥିଲେ। ଏଥିରୁ ଉତ୍ପାଦିତ ନୂଆ କିସମ ବିହନ ଯଥା ସୋନାରା ୬୩, ସୋନାରା ୬୪, ମାୟୋ ୬୪ ଏବଂ ଲର୍ମା ରୋଜୋ ୬୪ ଏ ଭାରତର ଜଳବାୟୁରେ ଚାଷ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ପାରିଥିଲା। ଉତ୍ତର ଭାରତର ଅନେକ ଗହମ ଚାଷ ଅଞ୍ଚଳ ବୁଲିବା ପରେ ସେହିବର୍ଷ ଅକ୍ଟୋବରରେ ପ୍ରାୟ ୧୦୦ କେଜିର ୪ଟି ମେକ୍ସିକୋ କିସମ ବିହନ ଭାରତକୁ ପଠାଇଥିଲେ। ସେହି ବିହନକୁ ନେଇ ୧୯୬୩-୬୪ ରବି ଋତୁରେ ଆଇଏଆରଆଇର ପରୀକ୍ଷଣ କ୍ଷେତ୍ରରେ ଚାଷ ହୋଇଥିଲା। ଦେଶର ଚାରିଟି ସ୍ଥାନ ଯଥା ଉତ୍ତର ପ୍ରଦେଶର ପନ୍ତନଗର ଏବଂ କାନପୁର, ପଞ୍ଜାବ ଲୁଧିଆନା ଏବଂ ବିହାରର ପୁସାରେ ଏହି ଚାଷ ହୋଇଥିଲା। ପରୀକ୍ଷଣ ସଫଳ ହେବାରୁ ସେଥିରେ ଉତ୍ସାହିତ ହୋଇ ଭାରତରେ ଏହାର ଚାଷ ପାଇଁ ସ୍ବାମୀନାଥନ ପ୍ରସ୍ତାବ ଦେଇଥିଲେ।