ଓଡିଶା

ସୋମାକ୍‌ରେ ଚିଭ୍‌ନିଂ ସ୍କଲାରସିପ୍‌ ଓ ଫେଲୋସିପ୍‌ ଆଲୋଚନା: ଯୋଗଦେଲେ ବ୍ରିଟିସ ଡେପୁଟି ହାଇକମିସନର

ଭୁବନେଶ୍ୱର: ବିଦେଶରେ ଉଚ୍ଚ ଶିକ୍ଷା କରିବାର ଆଶା ସମସ୍ତଙ୍କର ଥାଏ। ଅତ୍ୟଧିକ ଟଙ୍କା ଖର୍ଚ୍ଚର ଭୟ ଓ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ କୃତି ଛାତ୍ରଛାତ୍ରୀଙ୍କୁ ମିଳୁଥିବା ଛାତ୍ରବୃତ୍ତି ବିଷୟରେ ଧାରଣା ନଥିବା ଯୋଗୁଁ ଇଚ୍ଛା ଥାଇ ମଧ୍ୟ ଅନେକ ପଢ଼ିପାରନ୍ତି ନାହିଁ। ଏହି ବୃତ୍ତି ସମ୍ପର୍କରେ ପିଲାମାନଙ୍କୁ ଅବଗତ କରିବା ପାଇଁ ସମ୍ୱାଦ ସ୍କୁଲ ଅଫ୍‌ ମିଡିଆ ଆଣ୍ଡ କଲଚର(ସୋମାକ୍‌) ଓ ବ୍ରିଟିଶ ଡେପୁଟି ହାଇକମିସନ କୋଲକାତାର ମିଳିତ ଆନୁକୁଲ୍ୟରେ ‘ସୋମାକ୍‌’ ପରିସରରେ ‘ଚିଭ୍‌ନିଂ ସ୍କଲାରସିପ୍‌ ଆଣ୍ଡ ଫେଲୋସିପ୍‌ ଫର୍‌ ସାଉଥ୍‌ ଏସିଆ ଜର୍ଣ୍ଣାଲିଜମ୍‌’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅତିଥି ଭାବେ ବ୍ରିଟିସ ଡେପୁଟି ହାଇକମିସନର ଆଣ୍ଡ୍ର୍ୟୁ ଫ୍ଲେମିଂ ଭର୍ଚୁଆଲ୍‌ ମୋଡ୍‌ରେ ଯୋଗଦେଇ ବ୍ରିଟିସ ସରକାରଙ୍କ ଦ୍ୱାରା ପରିଚାଳିତ ଚିଭନିଂ ସ୍କଲାରସିପ ଉପରେ ଆଲୋଚନା କରିଥିଲେ। ଏହି ସ୍କଲାରସିପ ମାଧ୍ୟମରେ ପିଲା ଇଂଲଣ୍ଡର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏକବର୍ଷରେ ବିନା ଖର୍ଚ୍ଚରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିପାରିବେ ବୋଲି କହିଥିଲେ। ଛାତ୍ରଛାତ୍ରୀ ସେଠାରୁ ଶିକ୍ଷା ସମାପ୍ତ ପରେ ବହୁ ବଡ଼ କମ୍ପାନୀରେ ମଧ୍ୟ କାମ କରିବାର ସୁଯୋଗ ପାଇପାରିବେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ‘ସମ୍ୱାଦ’ର ସଂପାଦକ ତନୟା ପଟ୍ଟନାୟକ ଯୋଗଦେଇ ବିଦେଶରେ ନିଜର ଉଚ୍ଚ ଶିକ୍ଷାର ସ୍ମୃତିଚାରଣ କରିଥିଲେ। ସେଠାରେ ସେ ବହୁ ଜ୍ଞାନୀ ପ୍ରଫେସର, ଗବେଷକଙ୍କ ସଂସ୍ପର୍ଶରେ ଆସିଥିବା କଥା କହିଥିଲେ। ସେଠାକୁ ଗଲେ ଛାତ୍ରଛାତ୍ରୀମାନେ ନୂଆ ନୂଆ ଏକ୍ସପୋଜର ପାଇ ପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥି ସହିତ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଏହାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ପଡ଼ିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ହାଇ କମିସନର ପଲିଟିକାଲ ଇକୋନୋମିକ ଆଡଭାଇଜର ଅଜିଥା ମେନନ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ ଏହି ସ୍କଲାରସିପ୍‌ର କୌଣସି ସ୍ୱତନ୍ତ୍ର ବୟସ ସୀମା ନଥିବାରୁ ସମସ୍ତେ ଏହାପାଇଁ ଆବଦନ କରିପାରିବେ ବୋଲି କହିଥିଲେ। ଏହାକୁ ଆବେଦନ କରିବାର ପ୍ରକ୍ରିୟା ଓ ଲାଭ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ଗୁଗଲ୍‌ରେ ଏହି ସ୍କଲାରସିପ୍‌ର ସମୂର୍ଣ୍ଣ ତଥ୍ୟ ଜାଣି ଆବେଦନ କରିପାରିବେ ବୋଲି ସେ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ହାଇ କମିସନର ଯୋଗାଯୋଗ ଓ ପରିଦର୍ଶନ ସଞ୍ଚାଳିକା ସ୍ୱର୍ଣ୍ଣମୟୀ ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସୋମାକ୍‌’ର ଅଧ୍ୟକ୍ଷ ଅରବିନ୍ଦ ଦାସ, ସାମ୍ୱାଦିକତା ବିଭାଗର ମୁଖ୍ୟ ଅମ୍ରିତା କୁଣ୍ଡୁ, ବରିଷ୍ଠ ଅଧ୍ୟାପିକା ଅଦିତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button