କ୍ରାଇମ

ରାତିଅଧରେ ଲୁଟ୍‌ ଉଦ୍ୟମ କରୁଥିଲେ, ପୁଲିସ ହାତରେ ଧରାପଡ଼ିଗଲେ ୫ ପେଶାଦାର ଅଭିଯୁକ୍ତ – Utkal Mail


ଭୁବନେଶ୍ବର: ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାଜଧାନୀରେ ଲୁଟେରାମାନେ ସକ୍ରିୟ ଦେଖାଯାଇଛନ୍ତି। କମିସନରେଟ୍‌ ପୁଲିସ କଡ଼ା ‌ପାଟ୍ରୋଲିଂ କରୁଥିଲେ ବି ଲୁଟେରାମାନେ ନିଜର କାୟା ବିସ୍ତାର ଜାରି ରଖିଛନ୍ତି। ଏହାରି ଭିତରେ ଖଣ୍ଡଗିରି ଥାନା ପୁଲିସ ଆନ୍ତ ଜିଲ୍ଳା ପେଶାଦାର ଲୁଟେରା ଗ୍ୟାଙ୍ଗ ଠାବ କରିଛି। ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ପୁରୀ ଅଞ୍ଚଳର ମୁରଲୀ ବେହେରା, ମାନସ ପ୍ରଧାନ ଗଂଜାମ ଅଞ୍ଚଳର ଶଙ୍କର ଡାକୁଆ, ବରମୁଣ୍ଡା ଅଞ୍ଚଳର ମଣ୍ଟୁ ପାଇକରାଏ ଓ ନୟାଗଡ଼ ଜିଲ୍ଲାର ଆକାଶ ନାୟକ।

ରାତି ଅଧରେ ପୁଲିସ ପାଟ୍ରୋଲିଂ ଟିମ୍‌କୁ ସୂଚନା ମିଳିଥିଲା ଯେ, ୫ ଜଣ ଯୁବକ ରାଜଧାନୀ କଲେଜ ନିକଟରେ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିଲେ। ରାତି ଅଧରେ ଏକୁଟିଆ ଯାଉଥିବା ଲୋକଙ୍କୁ ଲୁଟିବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ତୁରନ୍ତ ସେହି ଜାଗାକୁ ଟିମ ଯାଇଥିଲା। ପୁଲିସକୁ ଦେଖି ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅଭିଯୁକ୍ତମାନେ ପୁଲିସ ହାତରୁ ଖସିପାରି ନଥିଲେ।

ପୁଲିସ କହିଛି ଯେ, ଅଭିଯୁକ୍ତମାନଙ୍କ ନାରେ ବିଭିନ୍ନ ଥାନାରେ ମାଳମାଳ ମାମଲା ରହିଛି। କିଛି ଅଭିଯୁକ୍ତଙ୍କ ନାରେ ୨୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ଏମାନଙ୍କ ନିକଟରୁ ଅନେକ ମାରଣାସ୍ତ୍ର, ଲଙ୍କାଗୁଣ୍ଡ, ଦୁଇଟି ବାଇକ ଓ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତମାନେ ଚୋରି, ଡକାୟତି, ସିନ୍ଧିଚୋରି, ସ୍ନାଚିଂ ଭଳି ଅନେକ ଅପରାଧରେ ସଂପୃକ୍ତ ଥିଲେ।  ମଣ୍ଟୁ ପାଇକରାଏ ନାଁରେ ୨୩ଟି ମାମଲା ରହିଥିବା ବେଳେ ମୁରଲୀ ଓ ଶଙ୍କର ୩ଟି ଲେଖାଏଁ ମାମଲା ସହିତ ଜଡ଼ିତ ଅଛନ୍ତି। ଏମାନେ କେବଳ ରାଜଧାନୀ ନୁହେଁ। ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ବିଭିନ୍ନ ଅପରାଧରେ ସାମିଲ ଅଛନ୍ତି। ପୁରୀ, ନୟାଗଡ଼, କେନ୍ଦ୍ରାପଡା ଇତ୍ୟାଦି ଜିଲ୍ଲାରେ ଏମାନେ ଡକାୟତି କରିଥିବା ନେଇ ସୂଚନା ପାଇଛି ପୁଲିସ।ଯେହେତୁ ଏମାନେ ପେଷାଦାର ଅପରାଧୀ, ତେଣୁ ସେମାନଙ୍କ ନାରେ ୧୧୦ ଦଫା ଲଗାଇବାକୁ ଯୋଜନା କରିଛି କମିସନରେଟ ପୁଲିସ।




Related Articles

Leave a Reply

Your email address will not be published. Required fields are marked *

Back to top button