କ୍ରୀଡା

ଜର୍ମାନୀର ସଫଳ ପ୍ରତ୍ୟାବର୍ତ୍ତନ: ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା

ରାଉରକେଲା : ପ୍ରଥମ ମ୍ୟାଚ୍‌ରେ ଭାରତଠାରୁ ୨-୩ ଗୋଲ୍‌ରେ ହାରିଯାଇଥିବା ବିଶ୍ବ ବିଜେତା ଜର୍ମାନୀ କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଶନିବାରର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଜର୍ମାନୀ ୧-୦ ଗୋଲ୍‌ରେ ବିଜୟୀ ହୋଇଛି। ବିଶ୍ବ ବିଜେତା ଜର୍ମାନୀ ଓ ବିଶ୍ବ ରୢାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଉଭୟ ଦଳର ରକ୍ଷଣଭାଗ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୪ଟି ପେନାଲ୍‌ଟି ସଟ୍‌କୁ ସଫଳତାର ସହ ରୋକିଥିବା ଜର୍ମାନୀର ଗୋଲ୍‌ ରକ୍ଷକ ଜିନ୍‌ ପଲ୍‌ ଡେନ୍‌ବର୍ଗ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ମ୍ୟାଚ୍‌ର ପ୍ରଥମ ମିନିଟରୁ ଉଭୟ ଦଳର ଖେଳାଳି ଆକ୍ରମଣ ଆରମ୍ଭ କରିଥିଲେ; ଯାହାକି ମ୍ୟାଚ୍‌ସାରା ଜାରି ରହିଥିଲା। ତେବେ ଅଷ୍ଟମ ମିନିଟ୍‌ରେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ଏହି ସୁଯୋଗକୁ କିନ୍ତୁ ହାତଛଡ଼ା କରିନଥିଲା ବିଶ୍ବବିଜେତା ଦଳ। ମେଟ୍‌ ହେଲିୱିଗ୍‌ ପେନାଲଟି କର୍ଣ୍ଣର୍‌କୁ ସଫଳତାର ସହ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଏହାପରେ ଜର୍ମାନୀ ଆକ୍ରମଣକୁ ଜୋର୍‌ଦାର କରିଥିଲା। ହେଲେ ବିପକ୍ଷ ଖେଳାଳି ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ଚାପ ସୃଷ୍ଟି କରିବାକୁ ଆକ୍ରମଣ ତୀବ୍ର କରିଥିଲା। କିନ୍ତୁ ଜର୍ମାନୀର ରକ୍ଷଣଭାଗ ଭେଦ କରିବାରେ ସଫଳ ହୋଇପାରିନଥିଲା।

ମ୍ୟାଚ୍‌ ଶେଷ ହେବାକୁ ଆଉ ୮ ସେକେଣ୍ଡ୍‌ ବାକି ଥିବାବେଳେ ଅଷ୍ଟ୍ରେଲିଆ ଏକ ପେନାଲ୍‌ଟି କର୍ଣ୍ଣର ସୁଯୋଗ ପାଇଥିଲା। କିନ୍ତୁ ଗୋଲ୍‌ କରିବାରେ ସଫଳ ହୋଇପାରିନଥିଲା। ଡି’ ଏରିଆ ଭିତରେ ବିପକ୍ଷ ଖେଳାଳିଙ୍କ ଗୋଡ଼ରେ ବଲ୍‌ ବାଜିଥିବା ଦର୍ଶାଇ ଅଷ୍ଟ୍ରେଲିଆ ତୃତୀୟ ଅମ୍ପାୟାର ସହାୟତା ନେଇଥିଲା। ହେଲେ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ମଧ୍ୟ ଜର୍ମାନୀ ସପକ୍ଷରେ ଯାଇଥିଲା। ଫଳରେ ମ୍ୟାଚ୍‌ ଶେଷ ସୁଦ୍ଧା ଜର୍ମାନୀ ୧-୦ ଗୋଲ୍‌ରେ ଆଗୁଆ ରହି ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ୧ ଓ ଚତୁର୍ଥ କ୍ବାର୍ଟରରେ ୩ ପେନାଲଟି କର୍ଣ୍ଣର ପାଇଥିଲା। ଅପରପକ୍ଷରେ ଜର୍ମାନୀ ପ୍ରଥମ କ୍ବାର୍ଟର୍‌ରେ ପାଇଥିବା ୨ଟି ପେନାଲ୍‌ଟି କର୍ଣ୍ଣର ମଧ୍ୟରୁ ଗୋଟିଏକୁ ଗୋଲ୍‌ରେ ପରିଣତ କରିଥିବା ବେଳେ ଅନ୍ୟଟି ବିଫଳ ଯାଇଥିଲା।

ପ୍ରୋ ଲିଗ୍‌ରେ ଭାରତ ରବିବାର ଅଷ୍ଟ୍ରେଲିଆକୁ ଭେଟିବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ବିଶ୍ବବିଜେତା ଜର୍ମାନିକୁ ୩-୨ରେ ପରାସ୍ତ କରିଥିବା ଭାରତର ମନୋବଳ ଢେର ଉଚ୍ଚା‌ରେ ରହିଛି। ତେଣୁ ରବିବାର ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ଆଗୁଆ ରହିବାକୁ ଚାହିଁବ ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ। ପୂର୍ବରୁ ଚଳିତ ପ୍ରୋ-ଲିଗ୍‌ରେ ଭାରତ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ୪ଟି ମ୍ୟାଚ୍‌ ଖେଳିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଯାକ ମ୍ୟାଚ୍‌କୁ ଯଥାକ୍ରମେ ୪-୩ ଓ ୭-୪ ଗୋଲ୍‌ରେ ଜିତିଥିଲା ବେଳେ ସ୍ପେନ୍‌ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୨-୩ ଗୋଲ୍‌ରେ ହାରିବା ପରେ ଦ୍ବିତୀୟକୁ ୨-୨ରେ ଅମୀମାଂସିତ ରଖିଥିଲା। ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜର୍ମାନି ବିପକ୍ଷରେ ଅଷ୍ଟ୍ରେଲିଆ ଶନିବାର ପରାଜୟ ବରଣ କରିଛି। ତେଣୁ ଏହି ଦଳ ଭାରତ ବିପକ୍ଷରେ ପୂରା ଦମ୍‌ ଲଗାଇବାକୁ ଚେଷ୍ଟା କରିବ। ପୂର୍ବରୁ ଅଷ୍ଟ୍ରେଲିଆ ୪ଟି ମ୍ୟାଚ୍‌ ଘରୋଇ ପଡ଼ିଆରେ ହିଁ ଖେଳିଥିଲା। ସେଥିରୁ ଗୋଟିଏ ମ୍ୟାଚ୍‌ ଜିତିଥିଲା ବେଳେ ଅବଶିଷ୍ଟ ୩ଟିକୁ ହାରିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ଓ ପରାଜୟ ପାଇଥିଲା ବେଳେ ସ୍ପେନ୍‌ଠୁ ଦୁଇଟି ଯାକ ମ୍ୟାଚ୍‌ ହାରିଥିଲା ଅଷ୍ଟ୍ରେଲିଆ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button