ବଢୁଛି ‘ଗଦର-୨’ର ଚାହିଦା: ମାତ୍ର ଦୁଇ ଦିନରେ କଲାଣି ୮୦ କୋଟିରୁ ଅଧିକ ଟଙ୍କାର ବେପାର – Utkal Mail
ନୂଆଦିଲ୍ଲୀ: ସିନେମା ହଲ୍ରେ ଏବେ ହଇଚଇ ସୃଷ୍ଟି କରିଛି ସନି ଦେଓଲ ଓ ଅମିଶା ପଟେଲ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଦର-୨’। ୨୦୦୧ ମସିହାର ‘ଗଦର’ ସିନେମାର ଏହି ସିକ୍ୱେଲ୍ ସିନେମାଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏହାର ରୋଜଗାର ବି ଏକ୍ଦମ୍ ଜବରଦସ୍ତ ହୋଇଛି। ଆପଣ ଜାଣି ଖୁସି ହେବେ ଯେ ସନି ଓ ଅମିଶାଙ୍କ ଅଭିନୀତ ଏହି ଫିଲ୍ମଟି ମାତ୍ର ଦୁଇ ଦିନରେ ୮୦ କୋଟିରୁ ଅଧିକ ରୋଜଗାର କଲାଣି।
ତେବେ ତୃତୀୟ ଦିନରେ ବି ସିନେମାର ରୋଜଗାର ଭଲ ହେବ ବୋଲି ଆକଳନ କରାଯାଉଛି। ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ଅଭିନେତା ସନି ଦେଓଲଙ୍କ କମାଲ ଦେଖିବାକୁ ମିଳିଛି। ରିଲିଜ ପରେ ସୋସିଆଲ ମିଡିଆରେ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ ଫିଲ୍ମର ପ୍ରଥମ ଦିନର ଆୟ ଅଭିନେତା ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷର ରେକର୍ଡ ଭାଙ୍ଗିଛି।
ଚଳଚ୍ଚିତ୍ରଟି ରିଲିଜର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ ୪୦କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଦ୍ବିତୀୟ ଦିନରେ ଦ୍ବିଗୁଣ ରୋଜଗାର ହୋଇଛି। ଖୁବ୍ ଶୀଘ୍ର ଏହା ୧୦୦ କୋଟିକୁ ଛୁଇଁବା ପରେ ଚଳିତବର୍ଷର ସର୍ବାଧିକ ରୋଜଗାର କରିଥିବା ସିନେମା ବନିପାରେ ‘ଗଦର-୨’।
ପ୍ରଥମ ଦିନର ଆୟକୁ ଦେଖିଲେ ୪୦କୋଟି ଆୟ କରି ଫିଲ୍ମଟି ୨୦୨୩ର ଦ୍ବିତୀୟ ସର୍ବାଧିକ ଫିଲ୍ମ ହୋଇପାରିଛି। ଏହା ପୂର୍ବରୁ ଶାହରୁଖ ଖାନଙ୍କ ଫିଲ୍ମ ପଠାନ୍ ପ୍ରଥମ ଦିନରେ ୫୭କୋଟି ଟଙ୍କା ଆୟ କରିଥିଲା। ଶାହରୁଖଙ୍କ ରେକର୍ଡ ଭାଙ୍ଗିପାରିନଥିଲେ ବି ସନି, ପ୍ରଭାସଙ୍କ ରେକର୍ଡ ଭାଙ୍ଗିଛନ୍ତି। ପ୍ରଭାସଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ ପ୍ରଥମ ଦିନରେ ମାତ୍ର ୩୨କୋଟି ଟଙ୍କା ଆୟ କରିଥିଲା, ଯାହା ‘ଗଦର-୨’ର ଆୟ ଠାରୁ ଢ଼େର କମ।