ନୀତି

ମୃତଘୋଷିତ ନବଜାତକୁ ଧରି ମା’ କାନ୍ଦୁଥିବା ବେଳେ କୁଆଁକୁଆଁ ହୋଇ ରାବ ଛାଡ଼ିଲା ଶିଶୁ – Utkal Mail


ନୂଆଦିଲ୍ଲୀ: ଆସାମର ସିଲଚର ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଘରୋଇ ହସ୍ପିଟାଲର ଡାକ୍ତର ନବଜାତ ଶିଶୁକୁ ମୃତଘୋଷଣା କରିଥିଲେ। କିନ୍ତୁ ଅନ୍ତିମ ସଂସ୍କାର ସମୟରେ ଶିଶୁ ଜୀବିତ ଥିବା ଜଣାପଡ଼ିଥିଲା।

ଉକ୍ତ ନବଜାତ ଶିଶୁର ବାପା ରତନ ଦାସ କହିଛନ୍ତି, ‘ଗତ ମଙ୍ଗଳବାର ରାତି‌ରେ ଛଅମାସର ଅନ୍ତସତ୍ତ୍ବା ସ୍ତ୍ରୀଙ୍କୁ ମୁଁ ସିଲଚରର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲି। ସେଠାରେ ଡାକ୍ତର କହିଥିଲେ କି ସ୍ତ୍ରୀଙ୍କ ଗର୍ଭାବସ୍ଥାରେ ସମସ୍ୟା ଦେଖା ଦେଉଛି। ମା’ ଓ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ବଞ୍ଚାଇବାକୁ ହେବ। ଏହାପରେ ମୁଁ ଶିଶୁକୁ ବଞ୍ଚାଇବାକୁ ଡାକ୍ତରଙ୍କୁ କହିଥିଲି। କିଛିସମୟ ପରେ ଡାକ୍ତର ଆସି କହିଥିଲେ ସ୍ତ୍ରୀ ଏକ ମୃତ ସନ୍ତାନକୁ ଜନ୍ମ ଦେଇଛି।

ନବଜାତକୁ ଆମ ହାତକୁ ଦେବା ପରେ ଆମେ ତାର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ। ଅନ୍ତିମ ସଂସ୍କାର ପୂର୍ବରୁ ଶେଷଥର ପ‌ାଇଁ ନବଜାତକୁ ତାର ମା’ପାଖକୁ ଦେଖାଇବାକୁ ନେଇଥିଲୁ। ମା’ ତାର ନବଜାତ ଶିଶୁକୁ ଧରି ଭୋଭୋ ହୋଇ କାନ୍ଦି ଉଠିଥିଲା । ହାତର ନବଜାତକୁ ନେଇ କହିଥିଲା, ‘ଉଠି ପଡ଼‌ରେ ଧନ, ଆଉ କେତେ ଶୋଇବୁ। ମୁଁ ତୋ ବିନା କେମିତି ରହିବି। ଉଠିପଡ଼…’

ମା’ ର ଏଇ କେହି ପଦ କଥା ପାଟିରୁ ସରି ନଥିବା ବେଳେ ନବଜାତର ହାତ ହଲିଥିଲା ‌ସେ କୁଆଁ କୁଆଁ ହୋଇ ପ୍ଲାଷ୍ଟିକ ଜରି ଭିତରୁ କାନ୍ଦି ଉଠିଥିଲା। ଶିଶୁର କାନ୍ଦ ଶୁଣି ଆମେ ସମସ୍ତେ ଆଶ୍ଚର୍ଯ୍ୟ ଯେତିକି ଖୁସି ମଧ୍ୟ ସେତିକି ହୋଇ ଯାଇଥିଲୁ। ଏହି ମୁହୂର୍ତ୍ତରେ  ଘଟଣାସ୍ଥଳରେ ଯେଉଁମାନେ ବି ଉପସ୍ଥିତ ଥିଲେ ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା।

ତେବେ ହସ୍ପିଟାଲ କର୍ମଚାରୀ ମୋ ଜୀବିତ ଶିଶୁକୁ ମୃତଘୋଷଣା କରି ଆଠଘଣ୍ଟା ଧରି ଏକ ପ୍ଲାଷ୍ଟିକ ଜରିରେ ଭର୍ତ୍ତି କରି ରଖିଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ମୋ ଶିଶୁର କିଛି ହୋଇ ନଥିଲା। ଉକ୍ତ ହସ୍ପିଟାଲ ଓ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button