ଦେଶ ବିଦେଶ

ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛି, କିନ୍ତୁ ଚେୟାର ମୋତେ ଛାଡୁନାହିଁ: ଅଶୋକ ଗେହଲଟ – Utkal Mail


ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିବୃତି। ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ସେ ଏପରି ଏକ ବିବୃତି ଦେଇଛନ୍ତି, ଯାହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ମତଭେଦ ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗେହଲଟ୍ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛନ୍ତି, କିନ୍ତୁ ଚେୟାର ତାଙ୍କୁ ଛାଡୁନାହିଁ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଅଶୋକ ଗେହଲୋଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଅତୀତରେ ଉଭୟ ନେତା ଖୋଲାଖୋଲି ଭାବେ ପରସ୍ପରକୁ ଟାର୍ଗେଟ କରିସାରିଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଉଭୟ ନେତାଙ୍କୁ ପାରସ୍ପରିକ ମତଭେଦ ଦୂର କରିବାକୁ ଏବଂ ଏକାଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ। ଏହା ପରେ ସଚିନ ପାଇଲଟଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମଧ୍ୟ ସାମିଲ କରାଯାଇଥିଲା।

ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେ ପ୍ରଶ୍ନ କରାଯିବାରୁ ଅଶୋକ ଗେହଲଟ ଯେଉଁ ଜବାବ ଦେଇଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନର ଉତ୍ତର ଦେଇ ଗେହଲଟ କହିଛନ୍ତି, ଆମ ମଧ୍ୟରେ କେତେ ଭଲପାଇବା ଅଛି ତାହା ମୁଁ ଆପଣଙ୍କୁ କେମିତି କହିବି? ବର୍ତ୍ତମାନ (ଗେହଲଟ୍ ଏବଂ ପାଇଲଟ୍) ଙ୍କ ମଧ୍ୟରେ କୌଣସି ଝଗଡା କାହିଁକି ହେଉନାହିଁ ବୋଲି ବିରୋଧୀ (ବିଜେପି) ଚିନ୍ତାରେ ପଡିଛି। ଏବେ ଆମେ ପୁରୁଣା ଝଗଡ଼ା ଭୁଲି ସାଙ୍ଗ ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛୁ।

ସେ ଆହୁରି କହିଛନ୍ତି ଯେ, ପାଇଲଟ୍ ସାହେବଙ୍କ କୌଣସି ଟିକେଟକୁ ନେଇ ମୁଁ ପ୍ରଶ୍ନ କରିନାହିଁ। ସବୁ ଟିକେଟକୁ ଅନୁମତି ଦେଇଛି। ଏହାଠାରୁ ବଡ କ’ଣ ହୋଇପାରେ? ଅଧ୍ୟକ୍ଷା ହେବା ପରେ ସୋନିଆ ଗାନ୍ଧୀ ମୋତେ ପ୍ରଥମେ ମୁଖ୍ୟମନ୍ତ୍ରୀ କରିଥିଲେ। ମୋ ଉପରେ ହାଇକମାଣ୍ଡ ଏତେ ବିଶ୍ୱାସ କରୁଛନ୍ତି, ଏହା ପଛରେ କିଛି ତ କାରଣ ଥିବ। ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହିଲେ ବି କ୍ଷମତାର ଚେୟାର ମୋତେ ଛାଡ଼ିବାକୁ ଚାହୁନାହିଁ।

ତାଙ୍କର ଏଭଳି ବୟାନ ପାଇଲଟଙ୍କୁ ପସନ୍ଦ ନଆସିପା‌ରେ ବୋଲି ବିରୋଧୀ ଚର୍ଚ୍ଚା କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button