ସୌର ମିସନର ଇତିହାସ: ସୋହୋରୁ ପାର୍କର ସୋଲାର ପ୍ରୋବ୍ ପର୍ଯ୍ୟନ୍ତ – Utkal Mail
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧କୁ ଲଞ୍ଚ୍ କରି ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ମାଇଲସ୍ତମ୍ଭ ଅତିକ୍ରମ କରିଛି। ତେବେ ଭାରତ ଏକମାତ୍ର ଦେଶ ନୁହେଁ, ଯିଏ ସୂର୍ଯ୍ୟ ଉପରେ ଅନୁଧ୍ୟାନ ପାଇଁ ମହାକାଶକୁ ଯାନ ଉତ୍କ୍ଷେପଣ କରିଛି।
ସୋହୋ:
୧୯୯୫ ଡିସେମ୍ବର ମାସରେ ୟୁରୋପୀୟ ମହାକାଶ କେନ୍ଦ୍ର (ଏସା) ଓ ଆମେରିକାର ନାସା ମିଳିତ ଭାବେ ସୌର ମିସନ ସୋହୋ (ସୋଲାର ଆଣ୍ଡ୍ ହେଲିଓସ୍ଫିୟରିକ୍ ଅବ୍ଜରଭେଟୋରି) ଉତ୍କ୍ଷେପଣ କରିଥିଲେ, ଯାହା ଏବେ ବି କାର୍ଯ୍ୟକ୍ଷମ ଅଛି। ସୂର୍ଯ୍ୟର ବାହ୍ୟ ଓ ଅଭ୍ୟନ୍ତର ଏବଂ ସୌର ବାୟୁ ଉପରେ ଏହା ଅନୁଧ୍ୟାନ କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରେରଣ କରିଛି। ସୌର ଚକ୍ର, ସୌରମଣ୍ଡଳର ଗର୍ତ୍ତ (କରୋନାଲ ହୋଲ୍), ସୌର ଶିଖା (ସୋଲାର ଫ୍ଲେୟାର) ଓ କରୋନାଲ ମାସ୍ ଇଜେକ୍ସନ ଉପରେ ଏହା ତଥ୍ୟ ପ୍ରଦାନ କରିଛି।
ଷ୍ଟେରିଓ:
ଷ୍ଟେରିଓ (ସୋଲାର ଟେରେଷ୍ଟ୍ରିଆଲ ରିଲେସନ୍ସ ଅବ୍ଜରଭେଟୋରି) ହେଉଛି ଏକ ନାସା ମିସନ, ଯାହା ୨୦୦୬ରେ ଲଞ୍ଚ ହୋଇଥିଲା। ଷ୍ଟେରିଓରେ ଦୁଇଟି ମହାକାଶଯାନ ଅନ୍ତର୍ଭୁକ୍ତ- ଷ୍ଟେରିଓ-ଏ ଓ ଷ୍ଟେରିଓ-ବି। ଗୋଟିଏ ପୃଥିବୀର ଆଗପଟେ ଓ ଅନ୍ୟଟି ପଛପଟେ ରହି ସୂର୍ଯ୍ୟକୁ ଅନୁଧ୍ୟାନ କରିଥାନ୍ତି। ଷ୍ଟେରିଓ-ଏ ଏବେ ସୁଦ୍ଧା କାର୍ଯ୍ୟକ୍ଷମ ଥିବା ବେଳେ ଅକ୍ଟୋବର ୧, ୨୦୦୪ରୁ ଷ୍ଟେରିଓ-ବି ନାସା ସହ ଯୋଗାଯୋଗ ହରାଇଛି।
ହିନୋଡ୍ (ସୋଲାର-ବି):
ଏହା ହେଉଛି ଏକ ଜାପାନୀ ମିସନ ଯାହାକୁ ୨୦୦୬ ସେପ୍ଟେମ୍ବରରେ ଲଞ୍ଚ କରାଯାଇଥିଲା। ୧୯୯୧ରେ ଛଡ଼ାଯାଇଥିବା ଜାପାନର ୟୋହକୋହ (ସୋଲର-ଏ)ର ଏହା ଏକ ଅନୁଗାମୀ ମିସନ। ଏହା ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ଏବଂ ସୌର ବାୟୁମଣ୍ଡଳ ଉପରେ ଏହାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରି ତଥ୍ୟ ପ୍ରଦାନ କରୁଛି।
ଏସ୍ଡିଓ:
ଏସ୍ଡିଓ (ସୋଲାର ଡାଇନାମିକ୍ସ ଅବ୍ଜର୍ଭେଟୋରି) ହେଉଛି ନାସାର ଆଉ ଏକ ସୌର ମିସନ ଯାହା ୨୦୧୦ ଫେବ୍ରୁଆରିରେ ଛଡ଼ାଯାଇଥିଲା। ସୂର୍ଯ୍ୟର ବୈଦ୍ୟୁତିକ କ୍ଷେତ୍ର, ସୌର କାର୍ଯ୍ୟକଳାପ ଓ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବ ଆଦି ସମ୍ପର୍କରେ ଏହା ଅନୁଧ୍ୟାନ କରୁଛି। ଏଯାବତ୍ ଏହା ଅନେକ ଉପଯୋଗୀ ତଥ୍ୟ ପ୍ରେରଣ କରିସାରିଛି ବୋଲି ନାସା ସୂତ୍ରରୁ ଜଣାପଡ଼ିଛି।
ଆଇରିସ୍:
ଆଇରିସ୍ (ଇଣ୍ଟରଫେସ୍ ରିଜିଅନ ଇମେଜିଂ ସ୍ପେକ୍ଟ୍ରୋଗ୍ରାଫ୍)କୁ ଜୁନ ୨୦୧୩ରେ ନାସା ଉତ୍କ୍ଷେପଣ କରିଥିଲା। ସୌର ବସ୍ତୁଗୁଡ଼ିକ କେଉଁଠୁ ଶକ୍ତି ପାଆନ୍ତି ତାହା ଉପରେ ଅନୁଧ୍ୟାନ କରିବା ହେଉଛି ଏହାର ଲକ୍ଷ୍ୟ। ସୂର୍ଯ୍ୟର ନିମ୍ନ ବାୟୁମଣ୍ଡଳ ଉପରେ ଏହା ଅନେକ ତଥ୍ୟ ପ୍ରଦାନ କରିଛି।
ସୋଲାର ଅର୍ବିଟର:
ଏହା ହେଉଛି ଏସା ଓ ନାସାର ଏକ ମିଳିତ ମିସନ, ଯାହାକୁ ଫେବ୍ରୁଆରି ୨୦୨୦ରେ ଉତ୍କ୍ଷେପଣ କରାଯାଇଥିଲା। ସୂର୍ଯ୍ୟର ମେରୁ ଅଞ୍ଚଳ ଓ ସୌର ବାୟୁ ଉପରେ ଏହା ଅନୁଧ୍ୟାନ କରୁଛି।
ପାର୍କର ସୋଲର ପ୍ରୋବ୍:
ଏହା ବି ନାସାର ଏକ ସୌର ମିସନ ଯାହାକୁ ୨୦୧୮ରେ ସୂର୍ଯ୍ୟ ଉପରେ ଅନୁଧ୍ୟାନ ପାଇଁ ଛଡ଼ାଯାଇଥିଲା। ଏହା ସୂର୍ଯ୍ୟର ସବୁଠାରୁ ନିକଟତର ହୋଇ ରେକର୍ଡ କରିଛି।