ଦେଶ ବିଦେଶ

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମେଘନାଦ

ବାଲ୍ମୀକି ରାମାୟଣର ବର୍ଣ୍ଣନା ଅନୁସାରେ, ରାବଣ ଓ ମନ୍ଦୋଦରୀଙ୍କର ଦ୍ବିତୀୟ ପୁତ୍ରର ନାମ ଥିଲା ମେଘନାଦ। ଭୂମିଷ୍ଠ ହେବା ସଙ୍ଗେସଙ୍ଗେ ସେ ମେଘ ସଦୃଶ ଗର୍ଜନ କରିଥିବାରୁ ରାବଣ ତାର ନାମକରଣ କରିଥିଲା ମେଘନାଦ। ଲଙ୍କାଧିପତି ରାବଣର ଏହି ପୁତ୍ରର ଆକୃତି ଥିଲା ଅତ୍ୟନ୍ତ ମନୋରମ। ଦଳିତ ନୀଳ ଅଞ୍ଜନ ସଦୃଶ ଗାତ୍ରବର୍ଣ୍ଣ, ପଦ୍ମ ପଳାଶ ସଦୃଶ ଲୋଚନ ଯୁଗଳ, ରକ୍ତବର୍ଣ୍ଣ ‌ଓଷ୍ଠାଧର, ରାକ୍ଷସଠାରୁ ଅଧିକ ଦେବପୁରୁଷ ସଦୃଶ ସେ ପ୍ରତୀୟମାନ ହୋଇଥାଏ। କାନ୍ତିମାନ ମେଘନାଦ ଶସ୍ତ୍ରଧାରଣ କଲାବେଳେ କାଳାନ୍ତକ ଯମ ପାଲଟି ଯାଏ। ଶାସ୍ତ୍ର ଓ ଶସ୍ତ୍ର ଉଭୟ ବିଦ୍ୟାରେ ସେ ସୁନିପୁଣ ଥିଲା। ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କର ପୌରୋହିତ୍ୟରେ ସେ ଲଙ୍କାର ନିକୁମ୍ଭିଲା ଉପବନରେ ଅଗ୍ନିଷ୍ଟୋମ, ଅଶ୍ବମେଧ, ବହୁସୁବର୍ଣ୍ଣକ, ରାଜସୂୟ, ‌େଗାମେଧ, ବୈଷ୍ଣବ ଓ ମାହେଶ୍ବର ଆଦି ସାତଟି ଯଜ୍ଞ କରାଇଥିଲା। ଏହି ଯଜ୍ଞରେ ପ୍ରୀତ ହୋଇ ସ୍ବୟଂ ମହେଶ୍ବର ମେଘନାଦକୁ ଅନେକ ବର ପ୍ରଦାନ କରିଥିଲେ। ଗୋଟିଏ ଅନ୍ତରୀକ୍ଷଗାମୀ ଦିବ୍ୟ ରଥ ସହିତ ଆବଶ୍ୟକସ୍ଥଳେ ଅନ୍ଧକାର ସୃଷ୍ଟି କରିପାରୁଥିବା ତାମସୀ ବିଦ୍ୟା ମଧ୍ୟ ମେଘନାଦ ପ୍ରାପ୍ତ ହୋଇଥିଲା। ଏହି ବିଦ୍ୟା ବଳରେ ସେ ଇନ୍ଦ୍ରଙ୍କୁ ଜୟକରି ଇନ୍ଦ୍ରଜିତ ଆଖ୍ୟା ପାଇଥିଲା।

ସେହି ସମୟରେ ଇନ୍ଦ୍ରଙ୍କୁ ମୁକ୍ତ କରିବା ନିମିତ୍ତ ପ୍ରଜାପତି ବ୍ରହ୍ମା ମେଘନାଦକୁ ଏକ ବରଦାନ କରିବାକୁ ଇଚ୍ଛୁକ ହେବାରୁ ଇନ୍ଦ୍ରଜିତ୍‌ ବର ମାଗିଥିଲା- ମୁଁ କୌଣସି ଯୁଦ୍ଧଯାତ୍ରା କରିବା ପୂର୍ବରୁ ମନ୍ତ୍ରପାଠ ପୂର୍ବକ ଅଗ୍ନିଙ୍କୁ ଆହୁତି ଦେଲେ ଅଗ୍ନିରୁ ଏକ ଅଶ୍ବଯୁକ୍ତ ରଥ ବାହାରିବ। ସେ ରଥରେ ମୁଁ ଅାରୋହଣ କଲେ ମୋତେ କେହି ବିନାଶ କରିପାରିବେ ନାହିଁ। କିନ୍ତୁ ଯଦି ମୁଁ ସେହି ଜପ ହୋମ ସମାପ୍ତି ପୂର୍ବରୁ ଯୁଦ୍ଧକ୍ଷେତ୍ରରେ ପ୍ରବେଶ କରେ ତେବେ ମୋର ମୃତ୍ୟୁ ହେବ। ଏହି ବର ହେତୁ ରାବଣ ଅପେକ୍ଷା ଇନ୍ଦ୍ରଜିତ ଅଧିକ ଶକ୍ତିଶାଳୀ ହୋଇଉଠିଥିଲା। ତାର ଗର୍ବ ଓ ଅହଂକାର ମଧ୍ୟ ରାବଣ ସଦୃଶ। ତେଣୁ ସୀତାଙ୍କୁ ରାମଙ୍କୁ ଫେରାଇଦେବାକୁ ବିଭୀଷଣ ପ୍ରସ୍ତାବ ଦେବାବେଳେ ପିତାସଦୃଶ ବିଭୀଷଣଙ୍କୁ ଭୀରୁ, କାପୁରୁଷ, ତେଜହୀନ ରାକ୍ଷସ କୁଳକଳଙ୍କ ଇତ୍ୟାଦି କହି ଅପମାନିତ କରିବାକୁ ସେ ପଛାଇ ନଥିଲା। ଯୁଦ୍ଧ ସମୟରେ ରାମ ଓ ଲକ୍ଷ୍ମଣଙ୍କ ଦ୍ବାରା ପରାଭୂତ ହୋଇ ରାବଣ ଯେତେବେଳେ ଅନ୍ତଃପୁରରେ ପ୍ରବେଶ କଲା, ପିତାଙ୍କୁ ସାହସ ଦେଇ, ନିକୁମ୍ଭିଲା ଦେବୀଙ୍କୁ ପ୍ରସନ୍ନ କରି, ମାୟାସ୍ତ୍ର ପ୍ରାପ୍ତ ହୋଇ ମେଘନାଦ ଭୟଙ୍କର ଯୁଦ୍ଧ କରିଥିଲା। ଇନ୍ଦ୍ରଜିତର ବିକ୍ରମ ଦେଖି ରାମ ଚିନ୍ତିତ ହୋଇପଡ଼ିଥିଲେ। ପୁନଶ୍ଚ ଦିବ୍ୟ ଅଜେୟ ରଥ ନିମିତ୍ତ ଯେତେବେଳେ ଇନ୍ଦ୍ରଜିତ ଯଜ୍ଞ ଆରମ୍ଭ କଲା, ବିଭୀଷଣ ତାହାର ଅଭିସନ୍ଧି ବୁଝିପାରିଲେ। ତାର ଯଜ୍ଞ ପଣ୍ଡ କରିବା ନିମିତ୍ତ ହନୁମାନ ସହିତ ଅଙ୍ଗଦ ଆଦି ବାନରଗଣ ପ୍ରଚେଷ୍ଟା କଲେ। ଫଳରେ ଯଜ୍ଞ ସମାପ୍ତି ପୂର୍ବରୁ ଉଠି ଇନ୍ଦ୍ରଜିତ ଯୁଦ୍ଧ କରିବାକୁ ‌ବାହାରି ପଡ଼ିଲା ଏବଂ ଲକ୍ଷ୍ମଣଙ୍କଦ୍ବାରା ନିହତ ହେଲା।

ଇନ୍ଦ୍ରଜିତକୁ ହରାଇବା ପରେ ଆପାତତଃ ରାବଣ ଶକ୍ତିହୀନ ହୋଇପଡ଼ିଲା। ପ୍ରଥମେ ଯଦିଓ ସୀତାହରଣକୁ ଇନ୍ଦ୍ରଜିତ ଭଲକାର୍ଯ୍ୟ ଭାବରେ ବିବେଚନା କରି ନ ଥିଲା, ତଥାପି ପିତାଙ୍କ ପ୍ରତି ଥିବା ତାର ଗଭୀର ମମତା ହେତୁ, ଏବଂ ରାମ ସ୍ବୟଂ ନାରାୟଣ ବୋଲି ଅନୁଭବ କରି ମଧ୍ୟ, ରାମଙ୍କୁ ସାଧାରଣ ବନଚାରୀ ଭଳି ସେ ବ୍ୟବହାର କରିଥିଲା। ଅନେକ ଭଲଗୁଣର ଅଧିକାରୀ ହୋଇଥିଲେ ମଧ୍ୟ ରାକ୍ଷସ ଇନ୍ଦ୍ରଜିତ ଜୀବନର ଅନ୍ତ ରାକ୍ଷସ ଭାବରେ ହିଁ ଘଟିଥିଲା।
-ଡକ୍ଟର ତୁଳସୀ ଓଝା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button