ଆଶା ଆଶଙ୍କାରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ର ପୁନରୁଦ୍ଧାର: ଜମି ହସ୍ତାନ୍ତରକୁ ନେଇ ରହିଥିଲା ଦ୍ବନ୍ଦ୍ବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦ୍ଦାସ୍ଥିତ ଐତିହାସିକ ବିମାନଘାଟିର ଭାଗ୍ୟ ଫିଟୁନି। ପୂର୍ବରୁ କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସମସ୍ୟା ହେଉଥିଲା ବୋଲି କୁହାଯାଉଥିଲା। ହେଲେ ଏବେ ଡବଲ୍ ଇଞ୍ଜିନ୍ ସରକାର ଥିବାରୁ ଏ ନେଇ ଆଶା ସଂଚାର ହୋଇଛି। ତେବେ ବ୍ୟାବସାୟିକ ବିମାନ ଚଳାଚଳ କ୍ଷେତ୍ରରେ ଏହାର ବ୍ୟବହାର ନେଇ ଯେଉଁ ଯୋଜନା ରହିଛି, ତାହା କେତେ ସଫଳ ହେବ ସେ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ସନ୍ଦେହ ରହିଛି।
ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ତିଆରି ଏହି ବିମାନଘାଟିର ୩ ହଜାର ୪ ଶହ ମିଟର (୧୧ଶହ ଫୁଟ୍)ର ଲମ୍ବା କଂକ୍ରିଟ୍ ରନ୍ୱେ ରହିଛି। ବିଶ୍ବଯୁଦ୍ଧ ବେଳେ ଇଂରେଜ ସରକାରଙ୍କ ପାଇଁ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଯୁଦ୍ଧର ପରିସମାପ୍ତି ପରେ ଏହି ଘାଟିକୁ ଇଂରେଜ ସରକାର ଭୁଲିଗଲେ। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନକୁ ଏହି ବିମାନଘାଟି ଚାଲିଯାଇଥିବାରୁ ରାଜ୍ୟ ସରକାର ବି ଏହାର ପୁନରୁଦ୍ଧାର ନେଇ ବିଶେଷ ଆଗ୍ରହ ଦେଖାଇ ନଥିଲେ। ତେବେ ୨ ଦଶନ୍ଧି ହେବ ପୁଣିଥରେ ଏହାର ପୁନରୁଦ୍ଧାର ପାଇଁ ଦାବି ଜୋର୍ ଧରିଥିଲା ଏବଂ ୨ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ‘ଉଡାନ୍’ ଯୋଜନାରେ ଏହାକୁ ସାମିଲ କରାଯାଇଥିଲା। ଗତବର୍ଷ ଫେବ୍ରୁଆରି ମାସରେ ଓଡ଼ିଶା ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସଚିବଙ୍କୁ ପତ୍ର ଲେଖି ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ନିମନ୍ତେ ନିବେଦନ କରିଥିଲେ। ବିମାନବନ୍ଦରର ୧୬୦.୩୫ ଏକର ଜମି ହସ୍ତାନ୍ତର ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କୁହାଯାଇଥିଲା। ପରେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ଡିଆର୍ଡିଓ ଚାନ୍ଦିପୁରକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥିସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେବେ ଜମି ହସ୍ତାନ୍ତରଣ ପ୍ରକ୍ରିୟା କେତେବାଟ ଗଲା, କିଛି ସ୍ପଷ୍ଟ କରାଯାଉନି।