ଓଡ଼ିଶା ଏଫ୍ସିର ଚମତ୍କାର ବିଜୟ – Utkal Mail
ଭୁବନେଶ୍ବର: ଚଳିତ ଡୁରାଣ୍ଡ୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଶୁକ୍ରବାର ଏକ ‘କର ବା ମର’ ମ୍ୟାଚ୍ରେ ଓଡ଼ିଶା ଏଫ୍ସି ୨-୧ ଗୋଲ୍ରେ ରାଜସ୍ଥାନ ୟୁନାଇଟେଡ୍ ଫୁଟ୍ବଲ୍ କ୍ଲବକୁ ପରାସ୍ତ କରିଛି। ଚମତ୍କାର ଆକ୍ରମଣ, ଦୃଢ଼ ରକ୍ଷଣଭାଗ କାରଣରୁ ଓଡ଼ିଶା ବିଜୟୀ ହେବା ସହ ପ୍ରତିଯୋଗିତାରେ ନିଜ ସମ୍ଭାବନାକୁ ଉଜ୍ଜୀବିତ କରିଛି। ପ୍ରଥମ ମ୍ୟାଚ୍ରେ ହାରିଥିବା ଅମିତ ରାଣାଙ୍କ ପ୍ରଶିକ୍ଷିତ ଦଳ ପାଇଁ ଶୁକ୍ରବାର ପ୍ରଥମାର୍ଧ ଗୋଲଶୂନ୍ୟ ବିତିବା ପରେ କଳିଙ୍ଗ ୱାରିୟର୍ସ ଦଳ ପାଇଁ ଚନ୍ଦ୍ର ମୁର୍ମୁ (୪୮ ମିନିଟ୍) ପ୍ରଥମ ଗୋଲ୍ ଦେଇଥିଲେ। ଅଦ୍ବିନଙ୍କ କର୍ଣ୍ଣରକୁ ଚନ୍ଦ୍ର ସୁନ୍ଦରଭାଗେ ଗୋଲ୍ରେ ପରିଣତ କରିଥିଲେ। ରାଜସ୍ଥାନ ପକ୍ଷରୁ ରିଚାର୍ଡସନ୍ କ୍ବାକୁ ଡେଞ୍ଜେଲ୍ (୫୧ତମ ମିନିଟ) ଏହାକୁ ତୁରନ୍ତ ପରିଶୋଧ କରି ଦେଇଥିଲେ। ୬୪ତମ ମିନିଟ୍ରେ ରାହୁଲ ମୁଖିଙ୍କୁ ବକ୍ସ ଏରିଆରେ ଫାଉଲ୍ ମାରି ପକାଇଥିବାରୁ ରାଜସ୍ଥାନକୁ ପେନାଲ୍ଟି ପ୍ରଦାନ କରାଯାଇଥିଲା। ଅସଙ୍ଗବାମ ଆଫାଓବା ସିଂହ ଏହାକୁ ଗୋଲରେ ପରିଣତ କରି ଓଡ଼ିଶାକୁ ବିଜୟୀ ମୁହାଁ କରିଥିଲେ। ଶେଷକୁ ଖେଳାଳିମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ପାଇଁ ଓଡ଼ିଶା ଏଫସି ବିଜୟୀ ହୋଇଥିଲା। ଓଡ଼ିଶା ଏଫସି ନିଜ ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ଅଗଷ୍ଟ ୧୯ ତାରିଖରେ ବୋଡୋଲାଣ୍ଡ୍ ଏଫସି ସହିତ ଖେଳିବ।