ଚର୍ଚ୍ଚାରେ ୪୫ହଜାର ଟଙ୍କାର ରୋଲ୍ସ ରଏସ, କମାଲ କଲେ କେରଳ ଯୁବକ – Utkal Mail
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରତିଭା ସହିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରନ୍ତି। ଅନେକ ସମୟରେ କିଛି ଲୋକ ନିଜର ବଡ଼ ବଡ଼ ସ୍ବପ୍ନ ପୂରଣ କରିବା ପାଇଁ ପାଖରେ ଥିବା ଜିନିଷର ବ୍ୟବହାର କରନ୍ତି। ଏବେ କେରଳର ଜଣେ ଯୁବକ ମଧ୍ୟ କିଛି ସେଭଳି କରିଛନ୍ତି। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଧଳା ରଙ୍ଗର ଦାମୀ କାର୍ ରୋଲ୍ସ ରଏସ୍ ଦେଖିବାକୁ ମିଳିଛି। ତେବେ ଏହାର ଦାମ୍ ମାତ୍ର ୪୫ହଜାର ବୋଲି ଜଣାପଡ଼ିଛି। ରୋଲ୍ସ ରଏସ ଭଳି କାର୍ ଏତେ କମ ଟଙ୍କାରେ କିଭଳି ଜଣେ କିଣିପାରିବ, ସେ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ। ହେଲେ କେରଳ ଯୁବକ ଏହି ଗାଡ଼ିକୁ ନକିଣି ନିଜେ ତିଆରି କରିଛନ୍ତି। ସବୁଠୁ ବଡ଼ କଥା ହେଲା ପାଖରେ ଥିବା ମାରୁତି ୮୦୦କୁ ମାତ୍ର ୪୫ହଜାର ଟଙ୍କା ଖର୍ଚ୍ଚ କରି ସେ ରୋଲ୍ସ ରଏସରେ ପରିଣତ କରିଥିବା ଜଣାପଡ଼ିଛି।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ କେରଳର ବାସିନ୍ଦା ହଦିଫ ନାମକ ଜଣେ ଯୁବକ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଟ୍ରିକ୍ସ ଟ୍ୟୁବରେ ସେୟାର କରିଛନ୍ତି। ଏହା ସହିତ କାର ସହ ଜଡିତ କିଛି ବିବରଣୀ ମଧ୍ୟ ସେୟାର କରିଛନ୍ତି। ହଦିଫଙ୍କ ଅନୁଯାୟୀ, ସେ ଏକ ନିଆରା ଗାଡ଼ି ତିଆରି କରିବାର ସଂକଳ୍ପ ନେଇ ଏହି ଚମତ୍କାର କରିଛନ୍ତି ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭିଡିଓରେ ମାରୁତି ୮୦୦ର ପରିବର୍ତ୍ତିତ ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ କାରଟି କାହାର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।