୨୦୩୦ରେ ପେଟ୍ରୋଲ୍ କାର୍ ଦାମ୍ରେ ମିଳିବ ଇଭି – Utkal Mail
ନୂଆଦିଲ୍ଲୀ: ବ୍ୟାଟେରି ଦାମ୍ କମିବା ପରେ ୨୦୨୪ ସୁଦ୍ଧା ୟୁରୋପ, ୨୦୨୬ ସୁଦ୍ଧା ଆମେରିକା ଏବଂ ୨୦୩୦ ସୁଦ୍ଧା ସାରା ବିଶ୍ବରେ ପେଟ୍ରୋଲ୍ କାର୍ ଦାମ୍ରେ ଇଲେକ୍ଟ୍ରିକ୍ କାର୍ ମିଳିବ। ରକି ମାଉଣ୍ଟେନ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା କିଲୋୱାଟ୍ ଆୱାର ପିଛା ବ୍ୟାଟେରି ଦାମ୍ ୧୫୧ ଡଲାରରୁ ହ୍ରାସ ପାଇ ୬୦ ଡଲାର ହୋଇଯିବ। ଫଳରେ ପେଟ୍ରୋଲ୍ କାର୍ ଦାମ୍ରେ ଇଭି ବିକ୍ରି ହେବା ସମ୍ଭବପର ହୋଇପାରିବ। ଏକ ଇଭିର ମୋଟ ମୂଲ୍ୟରେ ବ୍ୟାଟେରିର ଭାଗ ୪୦ ପ୍ରତିଶତ ଭଳି ଉଚ୍ଚା ରହିଛି।
ସେଥିପାଇଁ ବହୁ ବର୍ଗର ଗ୍ରାହକମାନଙ୍କ ଲାଗି ଇଭି ସୁଲଭ ମୂଲ୍ୟରେ ମିଳିପାରୁନାହିଁ। ଇଭି ଦାମ୍କୁ କମ୍ କରିବା ଲାଗି କଂପାନିଗୁଡ଼ିକ ନୂଆ ବ୍ୟାଟେରି ଜ୍ଞାନକୌଶଳ, ଉପକରଣ ଏବଂ ସଫ୍ଟଓୟାରରେ ବିପୁଳ ନିବେଶ ଜାରି ରଖିଛନ୍ତି। ରକି ମାଉଣ୍ଟେନ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଯେ ୟୁରୋପ ଓ ଚୀନ୍ରେ ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ୨୦୩୦ ସୁଦ୍ଧା ଏଭଳି ଗାଡ଼ି ବିକ୍ରି ଛଅ ଗୁଣା ବଢ଼ିବ। ମୋଟ ଗାଡ଼ି ବିକ୍ରିରେ ଇଭିର ଭାଗ ୬୨-୮୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୦୩୫ରୁ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଗାଡ଼ି ବିକ୍ରି ବନ୍ଦ କରିବାକୁ ୟୁରୋପୀୟ ସଂଘ ଲକ୍ଷ୍ୟ ରଖିଛି।