ଓଡିଶା

ଏଲ୍‌ଆଇସିର ୫% ଅଂଶଧନ ବିକ୍ରି ହେବ: କମ୍ପାନିରେ କେନ୍ଦ୍ରର ୯୬.୫% ଅଂଶଧନ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଜୀବନ ବୀମା କମ୍ପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ୫ ପ୍ରତିଶତ ଅଂଶଧନ ବିକ୍ରି କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ କମ୍ପାନିରେ ସରକାରଙ୍କ ୯୬.୫ ପ୍ରତିଶତ ଅଂଶଧନ ରହିଛି। ୨୦୨୨ ମେ’ରେ ଇନିସିଆଲ ପବ୍ଲିକ୍ ଅଫର୍‌ ଜରିଆରେ ଏହାର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରି କମ୍ପାନିକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରାଯାଇଥିଲା।

ତାଲିକାଭୁକ୍ତ ହେଉଥିବା କମ୍ପାନିଗୁଡ଼ିକ ପାଇଁ ଏକ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ସାର୍ବଜନୀନ ଅଂଶଧନ ନିୟମ ରହିଛି। ସେହି ନିୟମ ପାଳନ କରିବା ଲାଗି କମ୍ପାନିର ୫ ପ୍ରତିଶତ ଅଂଶଧନ ବିକ୍ରି କରାଯିବ। ଏଲ୍‌ଆଇସି ଆଇପିଓ ଜରିଆରେ ସରକାର ୨୧ ହଜାର କୋଟି ଟଙ୍କା ପାଇଥିଲେ। ଏଥିରେ କେବଳ ସରକାରଙ୍କ ଅଂଶଧନ ବିକ୍ରି କରାଯାଇଥିଲା। କମ୍ପାନିର ସେୟାର ପିଛା ଦାମ୍ ୯୪୯ ଟଙ୍କା ରହିଥିଲା। ବର୍ତ୍ତମାନ ଏଲ୍‌ଆଇସିର ସେୟାର ମୂଲ୍ୟ ଯେଉଁ ସ୍ତରରେ ରହିଛି ଯଦି ଏବେ ଅଂଶଧନ ବିକ୍ରି କରାଯିବ ତେବେ ଆଇପିଓ ବେଳେ ଯେତିକି ଟଙ୍କା ମିଳିଥିଲା ସେହି ପରିମାଣର ଟଙ୍କା ମିଳିବ।

ଏଲ୍‌ଆଇସି ପାଇଁ ସର୍ବନିମ୍ନ ସାର୍ବଜନୀନ ଅଂଶଧନ ନିୟମକୁ ୨୦୨୩ ଡିସେମ୍ବରରେ କୋହଳ କରାଯାଇଥିଲା। ଏହି ନିୟମ ପାଳନ ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କମ୍ପାନିକୁ ୨୦୩୨ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ୨୦୨୪ରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଏହି ନିୟମ ପାଳନ କରିବା ଲାଗି କମ୍ପାନି ୨୦୨୭ ମେ’ ୧୬ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କିଛି ଦିନ ପୂର୍ବେ ଏଲ୍‌ଆଇସିର ଏମ୍‌ଡି ଓ ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ ଯେ ବଜାର ଅଂଶ ବଢ଼ାଇବା ସହ ଅଂଶଧନକାରୀମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବା ଉପରେ କମ୍ପାନି ଧ୍ୟାନ ଦେଉଛି। ଚଳିତ ବର୍ଷ ମୋଟ୍‌ ପ୍ରିମିୟମ୍‌ରେ ହୋଇଥିବା ବୃଦ୍ଧି ଯଦିଓ ସ୍ଥିର ରହିଥିଲା, କିନ୍ତୁ ବଜାର ଅଂଶ ବଢ଼ାଇବା ଲାଗି କମ୍ପାନି ସବୁ ପ୍ରକାର ଉଦ୍ୟମ କରିବ ବୋଲି ସେ କହିଥିଲେ। ଗତକାଲି କମ୍ପାନି ପକ୍ଷରୁ ଯୁବା ଟର୍ମ, ଡିଜି ଟର୍ମ, ଯୁବା କ୍ରେଡିଟ୍ ଲାଇଫ୍‌ ଓ ଡିଜି କ୍ରେଡିଟ୍‌ ଲାଇଫ୍ ନାମକ ଚାରିଟି ପ୍ଲାନ୍‌ ଘୋଷଣା କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button