ଦେଶ ବିଦେଶ

ଆମେରିକା ବିଦା କରୁଥିବା ବେଆଇନ ଭାରତୀୟଙ୍କୁ ଆଶ୍ରୟ ଦେବ କୋଷ୍ଟାରିକା

ସାନ୍‌ଜୋସ୍‌: ଆମେରିକାରେ ବେଆଇନଭାବେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ଟ୍ରମ୍ପ ପ୍ରଶାସନ ବିଦା କରୁଛି। ବେଆଇନ ଭାରତୀୟ ପ୍ରବାସୀମାନେ ମଧ୍ୟ ଏଥିରେ ଅଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ଦେଖାଦେଇଥିବାବେଳେ ପାନାମା ଓ ଗୁଏଟମାଳା ପରେ କୋଷ୍ଟାରିକା ଏକ ବଡ଼ ଘୋଷଣା କରିଛି। ଆମେରିକାରେ ରହୁଥିବା ଭାରତ ଏବଂ କେନ୍ଦ୍ରୀୟ ଏସିଆର ବେଆଇନ ପ୍ରବାସୀମାନଙ୍କୁ ତାଙ୍କ ଦେଶ ଗ୍ରହଣ କରିବାକୁ ଆଗ୍ରହୀ ଅଛି। କୋଷ୍ଟାରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିବୃତି ଜାରି ହୋଇଛି। ସେଥିରେ କୁହାଯାଇଛି ଭାରତ ଏବଂ କେନ୍ଦ୍ରୀୟ ଏସିଆର ୨୦୦ ପ୍ରବାସୀ ଆମେରିକାରୁ ଏକ ବାଣିଜ୍ୟିକ ବିମାନ ଜରିଆରେ ତାଙ୍କ ଦେଶରେ ବୁଧବାର ପହଞ୍ଚିବେ।

ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରହିବେ
ପରବର୍ତ୍ତୀ ପର୍ଯ୍ୟାୟରେ ଦେଶକୁ ପଠାଇବ

କୋଷ୍ଟାରିକା ସରକାର ଆମେରିକା ସହିତ ଏ କ୍ଷେତ୍ରରେ ସହଯୋଗ କରିବାକୁ ଆଗ୍ରହୀ ଅଛି। କୋଷ୍ଟାରିକାର ଯୋଜନା ମୁତାବକ ଆମେରିକାରୁ ପ୍ରଥମ ପର୍ଯ୍ୟାୟରେ ଆସିବାକୁ ଥିବା ବେଆଇନ ପ୍ରବାସୀମାନେ ତାଙ୍କ ଦେଶରେ ପହଞ୍ଚିବା ପରେ ସେମାନଙ୍କୁ ଏକ ଅସ୍ଥାୟୀ ପ୍ରବାସୀ ଯତ୍ନ କେନ୍ଦ୍ରକୁ ନିଆଯିବ। ଏହି କେନ୍ଦ୍ର ପାନାମା ସୀମାରେ ସ୍ଥାପନ କରାଯାଇଛି। ତାହା ପରେ ସେମାନଙ୍କୁ ସେମାନଙ୍କ ମୂଳ ଦେଶକୁ ପଠାଯିବ। କୋଷ୍ଟାରିକା ଏହା ମଧ୍ୟ ଘୋଷଣା କରିଛି ଯେ ଏଥିପାଇଁ ଆବଶ୍ୟକ ଅର୍ଥ ସଂପୂର୍ଣ୍ଣ ଭାବେ ଆମେରିକା ସରକାର ଯୋଗାଇ ଦେବେ। ଅନ୍ତର୍ଜାତୀୟ ଦେଶାନ୍ତର ସଂଗଠନ (ଆଇଓଏମ୍‌)ର ନିରୀକ୍ଷଣରେ ଏହି କାର୍ଯ୍ୟ ସଂପାଦନ ହେବ।  ପ୍ରବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ପୂର୍ବରୁ ପାନାମା ଓ ଗୁଏଟମାଳା ସହଯୋଗ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button