ସ୍ୱାସ୍ଥ୍ୟ

ନା ଦେଖା ଯାଇଥାଏ କୌଣସି ଲକ୍ଷଣ, ନା ଆସିଥାଏ କୌଣସି କଷ୍ଟ, ଲୋକଙ୍କୁ ଆସିଥାଏ ଏପରି ଅଚାନକ ହାର୍ଟ ଆଟାକ

ଗତ କିଛି ବର୍ଷ ମଧ୍ୟରେ ଦେଶରେ ବହୁ ମାତ୍ରାରେ ହୃଦୟ ଜନିତ ରୋଗ ଏବଂ ହୃଦଘାତ ମାମଲା ବୃଦ୍ଧି ପାଇଛି। ହୃଦୟ ସମ୍ବନ୍ଧୀୟ ସମସ୍ୟା ଆଉ କୌଣସି ନିର୍ଦ୍ଦିଷ୍ଟ ବୟସ ବର୍ଗର ଲୋକଙ୍କ ପାଇଁ ସୀମିତ ନୁହେଁ। ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଭଳି ରୋଗ ହୃଦଘାତକୁ ଆମନ୍ତ୍ରଣ କରିଥାଏ।

ଏହା ବ୍ୟତୀତ ଆଥେରୋସ୍କ୍ଲେରୋସିସ୍ ମଧ୍ୟ ଏପରି ଏକ ଅବସ୍ଥା ଯାହା ଲୋକଙ୍କୁ ହଠାତ୍ ହୃଦଘାତରେ ଆକ୍ରାନ୍ତ କରିଥାଏ। ଏଥିରେ ହୃଦୟର ଧମନୀରେ କ୍ରାମ୍ପ ଆସିଯାଏ ଯାହାଫଳରେ ରକ୍ତ ପ୍ରବାହ କମିଯାଏ, ଯାହା ପରେ ହୃଦଘାତ ଆସିଥାଏ। ଡେନମାର୍କରେ କରାଯାଇଥିବା ଏକ ରିସର୍ଚ୍ଚରେ ଜଣାପଡିଛି ଯେ ଯଦି ଆପଣଙ୍କର ଆଥେରୋସ୍କ୍ଲେରୋସିସ୍ ଅଛି, ତେବେ ହୃଦଘାତର ଆଶଙ୍କା ଆଠ ଗୁଣ ଅଧିକ ହୋଇପାରେ।

ଆଥେରୋସ୍କ୍ଲେରୋସିସ୍ କାହିଁକି ବିପଜ୍ଜନକ?

ଆଥେରୋର ଅର୍ଥ ହେଉଛି ଚର୍ବି ଏବଂ ସ୍କ୍ଲେରୋସିସ୍ ଅର୍ଥ ଜମା ହେବା। ଯଦି ହୃଦୟର ଧମନୀରେ ଚର୍ବି କିମ୍ବା କୋଲେଷ୍ଟ୍ରଲ ଜମା ହୁଏ, ତେବେ ଏହି ଅବସ୍ଥାକୁ ଆଥେରୋସ୍କ୍ଲେରୋସିସ୍ କୁହାଯାଏ। ଏଥିରେ ଧମନୀ ଅବରୋଧ ହୋଇଯାଏ ଏବଂ ହୃଦଘାତର ଆଶଙ୍କା ବଢିଯାଏ। କିନ୍ତୁ ଏହି ରୋଗ ବିଷୟରେ ସବୁଠାରୁ ଭୟଭୀତ କଥା ହେଉଛି ଏହାର ଲକ୍ଷଣ ଶୀଘ୍ର ଦେଖାଯାଏ ନାହିଁ ଏବଂ ଏହି କାରଣରୁ ଅଧିକାଂଶ ରୋଗୀ ଏହି ରୋଗ ବିଷୟରେ ଅବଗତ ହୋଇପାରନ୍ତି ନାହିଁ।

ଡେନମାର୍କର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଅନୁଯାୟୀ, ଏହି ଅବସ୍ଥାରେ ଧୀରେ ଧୀରେ ଆପଣଙ୍କ ଧମନୀରେ ଚର୍ବି ଜମା ହୋଇଯାଏ, ଯେଉଁ କାରଣରୁ ସେଗୁଡ଼ିକ ସଂକୀର୍ଣ୍ଣ ହୋଇଯାଏ ଏବଂ ତାପରେ ଏହା ମଧ୍ୟରେ ରକ୍ତ ପ୍ରବାହ ହୋଇପାରେ ନାହିଁ। ଏହି ରୋଗର ଲକ୍ଷଣ ଅନେକ ଲୋକଙ୍କଠାରେ ଦେଖାଯାଏ ନାହିଁ କିନ୍ତୁ ଏହା ହୃଦୟ ଜନିତ ସମସ୍ୟା ଏବଂ ହୃଦଘାତର ଆଶଙ୍କା ବଢ଼ାଇଥାଏ।

ଏନ୍ନଲ୍ସ ଅଫ୍ ଇଣ୍ଟର୍ନାଲ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ଅନେକ ଲୋକ ଅଳ୍ପ ବୟସରେ ଆଥେରୋସ୍କ୍ଲେରୋସିସ୍ ରୋଗରେ ଜଡିତ ଥାଆନ୍ତି। ବୟସ ବଢ଼ିବା ସହ ଏହି ରୋଗ ବଢି ଚାଲେ ଆଉ ଶେଷକୁ ହୃଦଘାତ ସମସ୍ୟା ଦେଖାଦିଏ।

ଡେନମାର୍କର କୋପେନହେଗନର ଅନୁସନ୍ଧାନକାରୀମାନେ 9,000 ରୁ ଅଧିକ ଲୋକଙ୍କୁ ଅଧ୍ୟୟନ କରିଥିଲେ ଯେଉଁମାନେ 40 କିମ୍ବା ତଦୁର୍ଦ୍ଧ୍ୱ ବୟସର ଥିଲେ। ଏହି ଲୋକମାନେ କୌଣସି ହୃଦଘାତରେ ପୀଡିତ ନଥିଲେ। ଅଧ୍ୟୟନ ପାଇଁ, ସେ କମ୍ପ୍ୟୁଟେଡ଼ ଟମୋଗ୍ରାଫି ଏନ୍ଜିଓଗ୍ରାଫି ବ୍ୟବହାର କରିଥିଲେ, ଯେଉଁଥିରେ ସେ ସେହି ଲୋକମାନଙ୍କର ହୃଦୟ ଏବଂ ଧମନୀଗୁଡ଼ିକର ସମ୍ପୂର୍ଣ୍ଣ ଏକ୍ସ-ରେ କରିଥିଲେ।

ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ଲୋକମାନଙ୍କ ମଧ୍ୟରୁ 46 % ଲୋକ ସବକ୍ଲିନିକାଲ୍ କରୋନାରି ଆଥେରୋସ୍କ୍ଲେରୋସିସ୍ ରୋଗର ଅବସ୍ଥା ଦେଖିବାକୁ ମିଳିଥିଲା। ଏଠାରେ ସବକ୍ଲିନିକାଲ୍ ର ଅର୍ଥ ହେଉଛି ଯେ କୌଣସି ରୋଗରେ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ।

ଏକ ମାସରୁ ନଅ ବର୍ଷ ମଧ୍ୟରେ ଏହି ଅଂଶଗ୍ରହଣକାରୀଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରେ 71 ଜଣଙ୍କର ହୃଦଘାତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ 193 ଜଣଙ୍କର ମୃତ୍ୟୁ ହୋଇଥିଲା। ରିସର୍ଚ୍ଚରୁ ଏହା ଜଣା ପଫିଛି ଯେ ଆଥେରୋସ୍କ୍ଲେରୋସିସ୍ ରୋଗୀଙ୍କ ପାଇଁ ହୃଦଘାତର ଆଶଙ୍କା ଆଠଗୁଣରୁ ଅଧିକ ଅଟେ।

ଆଥେରୋସ୍କ୍ଲେରୋସିସ୍ ଏଡାଇବା ପାଇଁ କଣ କରିବା ଉଚିତ୍।

ଚର୍ବି, କାର୍ବୋହାଇଡ୍ରେଟ୍ ଏବଂ ଚିନି ଯେଉଁ ଖାଦ୍ୟରେ ସୀମିତ ପରିମାଣର ଥିବ କେବଳ ତାକୁ ହିଁ ଖାଆନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ। ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ। ମଧୁମେହ ରୋଗୀମାନେ ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖିବା ଉଚିତ୍। ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରୁହନ୍ତୁ। ବ୍ୟାୟାମ କିମ୍ବା ଚାଲିବା ସମୟରେ ଯଦି ଛାତିରେ ଯନ୍ତ୍ରଣା, ଗୋଡରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ସମସ୍ୟା ଦେଖା ଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button