ହୃଦ୍ଘାତରେ ଚୀନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ୍ଙ୍କ ଦେହାନ୍ତ – Utkal Mail
ବେଜିଙ୍ଗ୍: ଶୁକ୍ରବାର ଦିନ ଆକସ୍ମିକ ହୃଦ୍ଘାତରେ ଚୀନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ୬୮ ବର୍ଷିୟ ଲି କେକ୍ବିଆଙ୍ଗ୍ଙ୍କର ଦେହାନ୍ତ ଘଟିଥିବା କଥା ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ଚାଇନା ସେଣ୍ଟ୍ରାଲ୍ ଟେଲିଭିଜନ୍’ (ସିସିଟିଭି) ରିପୋର୍ଟ କରିଛି।
‘ସିସିଟିଭି’ କହିଛି, ସମ୍ପ୍ରତି ସାଙ୍ଘାଇରେ ରହୁଥିବା କମ୍ରେଡ୍ ଲି କେକ୍ବିଆଙ୍ଗ୍ ଅକ୍ଟୋବର ୨୬ ତାରିଖ ଦିନ ହଠାତ୍ ହୃଦ୍ଘାତର ସରବ୍ୟ ହୋଇଥିଲେ। ତାଙ୍କୁ ବଞ୍ଚାଇବାର ସମସ୍ତ ଉଦ୍ୟମ ବୃଥା ହେଲା। ରାତି ୧୨.୧୦ ମିନିଟ୍ରେ ସାଙ୍ଘାଇରେ ତାଙ୍କର ମୃତ୍ୟୁ ଘଟିଲା।
ପରେ ତାଙ୍କ ମୃତ୍ୟୁ ସଂକ୍ରାନ୍ତ ବିବରଣୀ ବା ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ‘ସିସିଟିଭି’ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି।

ଉଲ୍ଲେଖଯୋଗ୍ୟ, ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଶାସନକାଳରେ ଦେଶର ଦ୍ବିତୀୟ ନେତା ଭାବେ ଲି କେକ୍ବିଆଙ୍ଗ୍ ୨୦୧୩ରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୨୩ ମାର୍ଚ ମାସରେ ସେ ଅବସର ଗ୍ରହଣ କରିବା ପରେ ଲି କ୍ବିଆଙ୍ଗ୍ ଦେଶର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ।
ପ୍ରଖ୍ୟାତ ପେକିଙ୍ଗ୍ ବିଶ୍ବବିଦ୍ୟାଳରୁ ଶିକ୍ଷାଲାଭ କରିଥିବା ଅର୍ଥନୀତିଜ୍ଞ ଲି କେକ୍ବିଆଙ୍ଗ୍ଙ୍କୁ ଏକଦା ଚୀନା କମ୍ୟୁନିଷ୍ଟ୍ ପାର୍ଟିର ନେତୃତ୍ବ ନିମନ୍ତେ ଶ୍ରେଷ୍ଠ ପ୍ରତିଦ୍ବନ୍ଦ୍ବୀ ବୋଲି ବିବେଚନା କରାଯାଉଥିଲା। କିନ୍ତୁ, ଅଳ୍ପ କିଛି ବର୍ଷ ହେବ ଚୀନ୍ର ରାଷ୍ଟ୍ରପତି ସି’ ଜିନ୍ପିଙ୍ଗ୍ ତାଙ୍କୁ ଉପେକ୍ଷା କରି ଆସୁଛନ୍ତି।
୨୦୨୦ରେ ସେ ଦେଇଥିବା ଅନ୍ୟତମ ସ୍ମରଣୀୟ ଭାଷଣରେ ଦେଶର ଦାରିଦ୍ର୍ୟ ଓ ଅସନ୍ତୁଳିତ ଆୟ ଉପରେ ଜାତୀୟ ବିତର୍କ ପାଇଁ ଆହ୍ବାନ ଦେଇ କହିଥିଲେ ଯେ, ଚୀନ୍ର ୬୦୦ ନିୟୁତ ଜନତା ମାସକୁ ୧୪୦ ଡଲାର୍ରୁ କମ୍ ଉପାର୍ଜନ କରନ୍ତି।