ଓଡିଶା

ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ୩୪୯ ନୂଆ ଆମ୍ବୁଲାନ୍ସ – Utkal Mail



ଭୁବନେଶ୍ୱର:ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ୩୪୯ ନୂଆ ଆାମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଆମ୍ବୁଲାନ୍ସକୁ ଆଜି ଲୋକାର୍ପିତ କରିଛନ୍ତି । ଏଥିପାଇଁ ୧୪୮.୪୫ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିମଧ୍ୟରୁ ୨୭୯ଟି ଆମ୍ବୁଲାନ୍ସ  ୧୦୮ ଫ୍ଳିଟ୍‌ରେ ଯୋଡି ହୋଇଥିବାବେଳେ, ୭୦ଟି ଆମ୍ବୁଲାନ୍‌ସ ସରକାରୀ ମେଡିକାଲ  ଏବଂ ଜିଲ୍ଲା ମୁଖ୍ୟାଳୟ ହସ୍‌ପିଟାଲ ପାଇଁ ସେବା ଯୋଗାଇବେ। ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ ।

ଏହାକୁ ମିଶାଇଲେ ଏବେ ୧୦୮ ଫ୍ଲିଟ୍‌ରେ ଆମ୍ବୁଲାନ୍‌ସ ସଂଖ୍ୟା ୧୩୬୬କୁ ବୃଦ୍ଧି ପାଇଛି ।  ଫଳରେ ଆଗରୁ ୩୦ ମିନିଟରେ ରୋଗୀଙ୍କୁ ଡାକ୍ତରଖାନା ଆଣୁଥିବାବେଳେ  ଏଣିକି ୨୦ ମିନିଟ୍‌ ମଧ୍ୟରେ ରୋଗୀଙ୍କୁ ଡାକ୍ତରଖାନା ଆଣିବ ଆମ୍ବୁଲାନ୍‌ସ । ଏହା ଦେଶର ସର୍ବଶ୍ରେଷ୍ଠ ରେସ୍‌ପନ୍‌ସ ଟାଇମ । ଏହାଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି  କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା ଏହି ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବ । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର  ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,  ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ।’

ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ୧୦୮-ଆମ୍ବୁଲାନ୍ସ ସେବା ଆହୁରି ତ୍ଵରିତ ଏବଂ ସୁବିଧାଜନକ ହେବ । ସେହିପରି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗାଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତରରେ ବ୍ୟବହାର ହେବା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୁରଣରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ଅଧ୍ୟକ୍ଷ  ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ   ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button