ଆଇସିସି ଓଡ଼ିଶା-ଓୟୁଏଟି ମଧ୍ୟରେ ଏମ୍ଓୟୁ – Utkal Mail
ଭୁବନେଶ୍ବର: ଶିଳ୍ପ ସଂଘ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ଓଡ଼ିଶା ଶାଖା ପରିଷଦ ଓ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଛାତ୍ରଛାତ୍ରୀମାନେ ଯେଭଳି ପାଠପଢ଼ା ସହିତ ଶିଳ୍ପରେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ହୋଇପାରିବେ ସେଥିପ୍ରତି ଉଭୟ ସଂସ୍ଥା ଧ୍ୟାନ ଦେବେ। ବୁଧବାର ଭୁବନେଶ୍ବରରେ ଆୟୋଜିତ ଖାଦ୍ୟ ଓ କୃଷି କନ୍କ୍ଲେଭ୍ ଅବସରରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
ଏହି ଅବସରରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ଯେ ଏହି ବୁଝାମଣାର ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ଓ ଶିଳ୍ପ ଜଗତ ମିଳିତ ଭାବେ କାର୍ଯ୍ୟ କରିବା। ବିଶ୍ବବିଦ୍ୟାଳୟରେ ଯେଉଁ ପ୍ରଯୁକ୍ତି ବିକାଶ କରାଯାଉଛି ତାହା କିଭଳି ଶିଳ୍ପ ସଂସ୍ଥାରେ ବ୍ୟବହାର ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ଗବେଷଣା କ୍ଷେତ୍ରରେ ଶିଳ୍ପର ସହଯୋଗ ରହିବ। ଶିଳ୍ପ ଜଗତ ଆବଶ୍ୟକ କରୁଥିବା ଦକ୍ଷତା କିଭଳି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ସେ ଉପରେ ମଧ୍ୟ ଉଭୟ ସଂସ୍ଥା ଧ୍ୟାନ ଦେବେ। ଏହି ଅବସରରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ସୁଧାଂଶୁ କେ କେ ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିବା ବେଳେ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି, ବରିଷ୍ଠ ଉପାଧ୍ୟକ୍ଷ ରାଜୀବ ସାହୁ, ଆଇସିସି ଓଡ଼ିଶାର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ଚିଫ୍ ମେଣ୍ଟର ଡକ୍ଟର ପ୍ରଦୀପ୍ତ ମହାନ୍ତି ଓ କମିଟିର ସଂଯୋଜକ ଶ୍ରୀରାମ ପଣ୍ଡା ଉପସ୍ଥିତ ଥିଲେ। ଆଇସିସି ଓଡ଼ିଶା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ସହ ସଂଯୋଜକ ସୁଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଦୁଇଟି ବୈଷୟିକ ଅଧିବେଶନରେ ଷ୍ଟାର୍ଟଅପ୍ ସ୍ଥାପନ ଓ ଆହ୍ବାନଗୁଡ଼ିକ ବିଷୟରେ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ଓ ନେତୃବୃନ୍ଦ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୧୨୦ରୁ ଅଧିକ କୃଷି ଓ ଖାଦ୍ୟ କ୍ଷେତ୍ରର ଷ୍ଟାର୍ଟଅପ୍ ପ୍ରତିନିଧି ଉପସ୍ଥିତି ଥିଲେ।