ସାଇବର୍ ଠକଙ୍କ ପାଖରେ ନିଯୁକ୍ତି ଆଶାୟୀଙ୍କ ଜନ୍ମକୁଣ୍ଡଳୀ, ଚାକିରିର ପ୍ରଲୋଭନ ଦେଖାଇ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର : ହାଲୋ: ପ୍ରିୟଙ୍କା କହୁଛନ୍ତି କି? ମୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କହୁଛି। ଆପଣ ମାଲକାନଗିରି ଜିଲ୍ଲାରେ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ପଦ ପାଇଁ ଆବେଦନ କରିଛନ୍ତି। ଆପଣଙ୍କ ଫାଇଲ୍ ମୋ ପାଖକୁ ଆସିଛି। ଆପଣ ଜିଆରଏସ୍ ଚାକିରି କରିବାକୁ ଆଗ୍ରହୀ ଅଛନ୍ତି? ଯଦି ହଁ, ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ଆପଣ ଟଙ୍କା ଦେଲେ, ଆପଣଙ୍କ ଫାଇଲ୍ ଆଗକୁ ଯିବ। ମାଲାକାନଗିରି ଜିଲ୍ଲାର ଜଣେ ଛାତ୍ରୀଙ୍କୁ ଚାକିରି ଦେବାକୁ କହି ଏପରି ଭାବେ ଟଙ୍କା ଦାବି କରୁଛନ୍ତି ସାଇବର୍ ଠକ। ଅଫିସ୍ ସମୟ ହେଉହେଉ ଅର୍ଥାତ୍ ଦିନ ୧୦ଟା ହେଲେ ଆଶାୟୀଙ୍କୁ ଫୋନ୍ କରିବା ଆରମ୍ଭ କରୁଛନ୍ତି। ମାଲକାନଗିରି ଜିଲ୍ଲା ଏମ୍ଭି-୭୯ର ପ୍ରିୟଙ୍କାଙ୍କୁ ଏମିତି ଏକ ଫୋନ୍ କଲ୍ ଆସିଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଠକଙ୍କ ପାଖରେ ପ୍ରିୟଙ୍କାଙ୍କ ସମସ୍ତ ବ୍ୟକ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତାର ତାଲିକା ଥିଲା। ମାଟ୍ରିକ୍ଠାରୁ ଆରମ୍ଭ କରି କୋଉ ପରୀକ୍ଷାରେ କେତେ ନମ୍ବର ରଖିଛନ୍ତି, କୋଉ ସ୍କୁଲ/କଲେଜ ଓ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ଆଧାର କାର୍ଡ ନମ୍ବର କ’ଣ, କେତେ ଜନ୍ମ ହୋଇଥିଲେ; ଠକଜଣଙ୍କ ସବୁ ଠିକ୍ଠିକ୍ ପ୍ରିୟଙ୍କାଙ୍କୁ କହିଦେଇଥିଲା। ଏମିତି କହି ସେ ପ୍ରିୟଙ୍କାଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଚେଷ୍ଟା କରିଥିଲା। ତେବେ ଘରେ ଆଲୋଚନା କରି କହିବି ବୋଲି ପ୍ରିୟଙ୍କା କହିବାରୁ ‘ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ; ଆପଣ ନିଜେ ବିଚାର କରନ୍ତୁ’ କହି ଫୋନ୍ କାଟି ଦେଇଥିଲା।
ବଡ଼ କଥା ହେଲା, ପ୍ରିୟଙ୍କାଙ୍କ ତଥ୍ୟ ସମ୍ପୃକ୍ତ ବ୍ୟକ୍ତି ପାଇଲେ କିପରି? ତାଙ୍କୁ ଦେଲା କିଏ? ଅନଲାଇନ୍ ଆବେଦନ ହୋଇଥିଲେ କୌଣସି ଡାଟାବେସ୍ରୁ ଅସାଧୁ ଉପାୟରେ ତଥ୍ୟ ସଂଗ୍ରହ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଇପାରେ। ହେଲେ ଏହା ଅଫଲାଇନ୍ ଆବେଦନ ହୋଇଥିବାରୁ ତଥ୍ୟ କିଏ ସାଇବର୍ ଠକଙ୍କୁ ଦେଉଛି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଖାଲି ପ୍ରିୟଙ୍କା ନୁହଁନ୍ତି, ନିଯୁକ୍ତି ଆଶାୟୀ ଏମିତି ଅନେକ ଯୁବକ/ଯୁବତୀଙ୍କ ପାଖକୁ ସାଇବର୍ ଠକ ଏମିତି ଫୋନ୍ କଲ୍ କରୁଥିବା ଅଭିଯୋଗ ହୋଇଛି। ଯିଏ ସେମାନଙ୍କ ଜାଲରେ ଫସୁଛି, ସେମାନେ ପର୍ଯ୍ୟାୟକ୍ରମେ ତା’ଠାରୁ ଲକ୍ଷାଧିକ ଟଙ୍କା ନେବା ପରେ ଅନ୍ତର୍ଧ୍ୟାନ ହୋଇଯାଉଛନ୍ତି।
ଆଇଟି ବିଶେଷଜ୍ଞଙ୍କ କହିବା କଥା, ଜିଆରଏସ୍ ଅଫଲାଇନ୍ରେ ଆବେଦନ ହେଉଥିବାରୁ ସମସ୍ତଙ୍କ ତଥ୍ୟ ନିଯୁକ୍ତି ପ୍ରଦାନକାରୀ କାର୍ଯ୍ୟାଳୟ ବା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ରହୁଛି। ସେଠାରୁ କେହି ଆଶାୟୀଙ୍କ ତଥ୍ୟ ଅନ୍ୟକୁ ଦେଇଥାଇ ପାରନ୍ତି। ଦିନକୁ ଦିନ ସାଇବର୍ ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବାରୁ ସତର୍କତା ହିଁ ଏକମାତ୍ର ସୁରକ୍ଷିତ ବାଟ ବୋଲି ସେ କହିଛନ୍ତି।


