ଇଏମ୍ଆଇ ବଢ଼ିବନି: ଋଣ ସୁଧ ଚୟନରେ ମିଳିବ ସ୍ବାଧୀନତା – Utkal Mail
ନୂଆଦିଲ୍ଲୀ: ମୁଦ୍ରାନୀତି ଉପରେ ଦୁଇ ଦିନ ମାନସମନ୍ଥନ କରିବା ପରେ ଲଗାତାର ତୃତୀୟ ଥର ପାଇଁ ସୁଧ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ରେପୋ ହାର ପୂର୍ବଭଳି ୬.୫% ରହିବ। ତେଣୁ ଆଗାମୀ ଦିନରେ ଘର, ଗାଡ଼ି ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକଙ୍କ ଇଏମ୍ଆଇ ବା ମାସିକ କିସ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅନ୍ତତଃ ଇଏମ୍ଆଇ ବଢ଼ିବନି। ତେବେ ଦରଦାମ୍କୁ ନେଇ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏଥର ଆକଳନ କରାଯାଇଛି। ପୂର୍ବରୁ କୁହାଯାଇଥିଲା ଯେ ଏହି ହାର ୫.୧ ପ୍ରତିଶତ ମଧ୍ୟରେ ରହିବ। ମାତ୍ର ଜୁଲାଇ ପରଠାରୁ ଟମାଟୋ ସମେତ ବିଭିନ୍ନ ଖାଦ୍ୟସାମଗ୍ରୀ ଦାମ୍ରେ ହୋଇଥିବା ବୃଦ୍ଧି ବିଚାରକୁ ନେବା ପରେ ରିଜର୍ଭ ବ୍ୟାଙ୍କ ଏହାର ପୂର୍ବାନୁମାନ ବଦଳାଇଛି। ତେବେ ଦେଶର ଅଭିବୃଦ୍ଧି ହାର ୨୦୨୩-୨୪ ଆର୍ଥିକ ବର୍ଷରେ ୬.୫% ରହିବ ବୋଲି ଏହା ଜଣାଇଛି। ବ୍ୟାଙ୍କ ଶିଳ୍ପରେ ଥିବା ଅତିରିକ୍ତ ନଗଦ ରାଶିକୁ ପ୍ରତ୍ୟାହାର କରିବା ଲାଗି ବର୍ଦ୍ଧିତ ନଗଦ ଜମା ଅନୁପାତ (ଆଇସିସିଆର୍)୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହାର ପ୍ରଭାବରେ ବଜାରରୁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ରିଜର୍ଭ ବ୍ୟାଙ୍କ ପାଖକୁ ଚାଲିଯିବ। ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବା ପରେ ବ୍ୟାଙ୍କ ପାଖରେ ବିପୁଳ ନଗଦ ରାଶି ପହଞ୍ଚିଥିଲା।
ଋଣ ସୁଧ ଚୟନରେ ମିଳିବ ସ୍ବାଧୀନତା
ମୁମ୍ବାଇ: ଗାଡ଼ି, ଘର ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକଙ୍କୁ ସୁଧରେ ଅଧିକ ସ୍ବାଧୀନତା ପ୍ରଦାନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏହା ଜରିଆରେ ଫ୍ଲୋଟିଂ ରେଟ୍ରେ ଋଣ ନେଇଥିବା ଗ୍ରାହକମାନେ ଚାହିଲେ ଫିକ୍ସଡ୍ ରେଟ୍ ଢାଞ୍ଚାକୁ ଚୟନ କରିପାରିବେ।



