କ୍ରାଇମ

ଆଇନ ପଢ଼ି ନିଜ ମାମଲା ନିଜେ ଲଢ଼ି ଦୋଷମୁକ୍ତ ହେଲେ ନରହତ୍ୟା ଅଭିଯୋଗରେ ଫସିଥିବା ଅଭିଯୁକ୍ତ – Utkal Mail


ମିରଟ: ୧୨ ବର୍ଷ ତଳେ ନରହତ୍ୟା ଅଭିଯୋଗରେ ଫସିଥିବା ଉତ୍ତର ପ୍ରଦେଶର ମିରଟ୍‌ରେ ଜଣେ ବ୍ୟକ୍ତି ଆଇନ ପଢ଼ିବା ପରେ ନିଜ ମାମଲା ନିଜେ ଲଢ଼ି ଦୋଷମୁକ୍ତ ହୋଇଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ୧୨ ବର୍ଷ ତଳେ ଅମିତ ଚୌଧୁରୀ ନାମରେ ଜଣେ ୧୮ ବ‌ର୍ଷିୟ ତରୁଣ ନ କରିଥିବା ଅପରାଧରେ ଅଭିଯୁକ୍ତ ହୋଇଥିଲେ। ଭୁଲ୍‌କ୍ରମେ ତାଙ୍କୁ ଜଣେ ‘ଗ୍ୟାଙ୍ଗ୍‌ଷ୍ଟର୍‌’ ମନେକରି ମିରଟ୍‌ରେ ୨ଜଣ କନେଷ୍ଟବଳଙ୍କୁ ହତ୍ୟା କରିଥିବା ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯାଇଥିଲା।

ମୃତ ବ୍ୟକ୍ତିଦ୍ବୟ ପୁଲିସ କର୍ମଚାରୀ ହୋଇଥିବାରୁ ଉତ୍ତର ପ୍ରଦେଶର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଆଦେଶ ଦେଇଥିଲେ।

ଘଟଣା ସମୟରେ ଭଉଣୀ ସହିତ ଶାମ୍‌ଲିରେ ଥିଲେ ବି ଅମିତ ଚୌଧୁରୀଙ୍କୁ ଏହି ମାମଲାରେ ସମ୍ପୃକ୍ତ ଥିବା ୧୭ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟତମ ଦର୍ଶାଇ ତାଙ୍କ ନାଁ’ରେ ‘ଆଇପିସି’ ଓ ‘ଏନ୍‌ଏସ୍‌ଏ’ରେ ଥିବା କଠୋର ଦଫା ଲଗାଯାଇଥିଲା। ପ୍ରକୃତରେ ହତ୍ୟା ଷଡ଼ଯନ୍ତ୍ର କରିଥିଲା ‘କାଳି ଗ୍ୟାଙ୍ଗ୍‌’। ଅମିତ ଚୌଧୁରୀଙ୍କୁ ସେ ଗ୍ୟାଙ୍ଗ୍‌ର ସଦସ୍ୟ ବିଚାରି ୨ ବର୍ଷ ଜେଲ୍‌ରେ ରଖାଗଲା।

କିନ୍ତୁ, ଜେଲ୍‌ରେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରି ଜାମିନରେ ଆସିବା ପରେ ନିଜେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ଲାଗି ବାଗପଟ ଅନ୍ତର୍ଗତ କିର୍ଥାଲ୍‌ ଗାଁ’ର କୃଷକ ପୁଅ ଅମିତ ଚୌଧୁରୀ ଆଇନ ପଢ଼ିଲେ।

Image Courtesy of Times Now

ସେ କହନ୍ତି, ମୁଜାଫରନଗର ଜେଲ୍‌ରେ ଅନୀଲ ଦୁଜାନା ଓ ଭିକି ତ୍ୟାଗୀଙ୍କ ଭଳି ଭୟଙ୍କର ଗ୍ୟାଙ୍ଗ୍‌ଷ୍ଟର୍‌ମାନେ ମତେ ସେମାନଙ୍କ ଗ୍ୟାଙ୍ଗ୍‌ରେ ଭର୍ତ୍ତି କରାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଜେଲର୍‌ ଉତ୍ତମ ସ୍ବଭାବସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କୁ ରଖାଯାଉ ନ ଥିବା ଗୋଟାଏ ବାରାକ୍‌ରେ ମତେ ରଖିଲେ।

୨୦୧୩ରେ ଜାମିନରେ ଜେଲ୍‌ରୁ ମୁକୁଳି ଅମିତ ଚୌଧୁରୀ ଆଇନ ପଢ଼ିବା ପାଇଁ ‘ବି.ଏ.’, ‘ଏଲ୍‌ଏଲ୍‌ବି’ ଓ ‘ଏଲ୍‌ଏଲ୍‌ଏମ୍‌’ ପଢ଼ି ଶେଷରେ ବାର୍‌ କାଉନ୍‌ସିଲ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ତା’ପରେ ନିଜ ମାମଲା ନିଜେ ଲଢ଼ିବାକୁ ମନସ୍ଥ କଲେ।

କୌଣସି ବୟାନ ରେକର୍ଡ କରା ନ ଯାଇ ଅଦାଲତରେ ସେ ମାମଲାର ବିଚାର ବଡ଼ ମନ୍ଥର ଗତିରେ ଚାଲୁଥାଏ। ଜଣେ ଓକିଲ ଭାବେ ମୁଁ ନିଜେ ମୋ ମାମଲା ଲଢ଼ିବାକୁ ଅଦାଲତରେ ହାଜର ହେଲି। କାଠଗଡ଼ାରେ ଠିଆ ହୋଇଥିବା ଅଫିସର୍‌ଙ୍କ ସମ୍ମୁଖରେ ଠିଆ ହେବା ସତ୍ତ୍ବେ ସେ ମତେ ଚିହ୍ନଟ କରିପାରିଲେ ନାହିଁ। ଏହା ବିଚାରପତିଙ୍କୁ ବିସ୍ମିତ କଲା। ତାଙ୍କର ହୃଦ୍‌ବୋଧ ହେଲା ଯେ, ମତେ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଛି।

ପ୍ରମାଣ ମିଳୁ ନ ଥିବା ଦର୍ଶାଇ ଅଳ୍ପ ଦିନ ତଳେ ଅଦାଲତ ଅମିତ ଚୌଧୁରୀଙ୍କ ସମେତ ୧୩ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button