ଦେଶ ବିଦେଶ

ଅବତରଣ ଆଗରୁ ଚନ୍ଦ୍ରର ଅପରପାର୍ଶ୍ବର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ-୩ – Utkal Mail


ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଐତିହାସିକ ଅବତରଣ ପୂର୍ବରୁ ‘ଏଲ୍‌ପିଡସି’ କ୍ୟାମେରାଦ୍ବାରା ଚନ୍ଦ୍ରଯାନ-୩ ଉଠାଇଥିବା ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଚମତ୍କାର ଫଟୋ ଆଜି ‘ଇସ୍ରୋ’ ସେୟାର୍‌ କରିଛି।

ସେୟାର୍‌ କରିଥିବା ଫଟୋ ସହିତ ‘ଏକ୍ସ୍‌’ କରି ‘ଇସ୍ରୋ’ ଲେଖିଛି: ‘ଲ୍ୟାଣ୍ଡର୍‌ ହଜାର୍ଡ ଡିଟେକ୍‌ସନ୍‌ ଆଣ୍ଡ୍‌ ଆଭଏଡାନ୍‌ସ୍‌ କ୍ୟାମେରା’ଦ୍ବାରା ଉତ୍ତୋଳିତ ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଫଟୋ ଦେଖନ୍ତୁ। ‘ସାକ୍‌/ଇସ୍ରୋ’ଦ୍ବାରା ବିକଶିତ ଏହି କ୍ୟାମେରା ଅବତରଣ ସମୟରେ ଶିଳାଖଣ୍ଡ ଅଥବା ଗଭୀର ଖାତ ନ ଥିବା ଭଳି ନିରାପଦ ଅବତରଣ କ୍ଷେତ୍ର ଠାବ କରିବାରେ ଚନ୍ଦ୍ରଯାନ-୩କୁ ସାହାଯ୍ୟ କରିବ।

ଶନିବାର ଦିନ ଉଠିଥିବା ଏହି ସଦ୍ୟତମ ଫଟୋ ସବୁରେ ଚନ୍ଦ୍ରର ଅପରପାର୍ଶ୍ବ ପୃଷ୍ଠରେ ଥିବା ଗହ୍ବର ସବୁ ସ୍ପଷ୍ଟ ଭାବେ ଦେଖାଯାଉଛି। ଏହି ଗହ୍ବରଗୁଡ଼ିକର ନାଁ ହେଉଛି ହେଇନ୍‌, ବସ୍‌ ଏଲ୍‌, ମେୟାର୍‌ ହମ୍ବୋଲ୍‌ଡସିଅନମ୍‌ ଓ ବେଲ୍‌କୋଭିଚ୍।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ରବିବାର ସକାଳେ ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗହ୍ରାସ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।

ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଜୁଲାଇ ୧୪ ତାରିଖ ଦିନ ଉତ୍‌କ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ-୩ ଅଗଷ୍ଟ ୫ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button