ଆମିଷ ଖାଇବା ଓ ମଦ ପିଇବାକୁ ପରିତ୍ୟାଗ କରିଦେଲେ ରଣବୀର; କାରଣ ଜାଣିଲେ ଆପଣ ବି କହିବେ ସାବାସ୍! – Utkal Mail
ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ରଣବୀର କପୁରଙ୍କ ବିଷୟରେ ଶୁଣିବାକୁ ମିଳୁଥିଲା ଯେ ସେ ଆମିଷ ଖାଇବା ଏବଂ ମଦ୍ୟପାନ କରିବା ବନ୍ଦ କରି ଦେଇଛନ୍ତି। ଏହାର କାରଣ ହେଉଛି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’। ନୀତିଶ ତିୱାରୀଙ୍କ ଆଗାମୀ ମେଗା ବଜେଟ୍ ଚଳଚ୍ଚିତ୍ରରେ ରଣବୀର କପୁର ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିବେ। ଏହି କାରଣରୁ ଅଭିନେତା ମଦ-ମାଂସକୁ ପରିତ୍ୟାଗ କରି ଚରିତ୍ରକୁ ଅନୁଭବ କରିବାକୁ ଚାହାନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ଏବେ ଏହି ଖବରକୁ ଖଣ୍ଡନ କରିଛନ୍ତି ରଣବୀର। ସେ ମଦ-ମାଂସ ଛାଡ଼ିଥିବା କଥା ସତ। ମାତ୍ର ତାହାର କାରଣ ‘ରାମାୟଣ’ ନୁହେଁ। ରଣବୀର କପୁର ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଏକ ଭିଡିଓରେ ସେ ଆମିଷ ଓ ମଦ ତ୍ୟାଗ କରିବାର କାରଣ କହୁଥିବାର ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ରଣବୀର କାହିଁକି ଏସବୁ ଛାଡ଼ିଛନ୍ତି?
ନିକଟରେ ରଣବୀର କପୁର ଜୁମ୍ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇଥିଲେ। ଏଠାରେ ସେ ପତ୍ନୀ ଆଲିଆ ଭଟ୍ଟ ଏବଂ ଝିଅ ରାହା କପୁରଙ୍କ ବିଷୟରେ ମଧ୍ୟ ଅନେକ କଥା ହୋଇଥିଲେ। ଅନେକ ବ୍ୟକ୍ତିଗତ ଏବଂ ବୃତ୍ତିଗତ ବିଷୟ ଉପରେ ଖୋଲାଖୋଲି ଭାବରେ କଥା ହୋଇଥିଲେ ରଣବୀର।
ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହୁଛନ୍ତି ଯେ ସେ ମଦ-ମାଂସକୁ ସଂପୂର୍ଣ୍ଣ ଛାଡ଼ି ଦେଇଛନ୍ତି। ତାହାର କାରଣ ତାଙ୍କ ଝିଅ ରାହା। ନିଜ ଝିଅକୁ ଏକ ସୁସ୍ଥକର ପରିବେଶ ଦେବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ସେ। ତାଙ୍କର ଏହି ନିଷ୍ପତ୍ତି ପରେ ରଣବୀର ଜଣେ ଭଲ ବାପା ବୋଲି ପ୍ରମାଣିତ ହୋଇଛି।
୨୦୨୩ ନଭେମ୍ବର ୬ ତାରିଖରେ ଆଲିଆ ଭଟ୍ଟଙ୍କ ଝିଅକୁ ଏକ ବର୍ଷ ପୂରିଯିବ। ଏଥିପାଇଁ ଆଲିଆ ଏବଂ ରଣବୀର ଘରେ ଏକ ଛୋଟ ଜନ୍ମଦିନ ପାର୍ଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି।