ମୃତ ନୌସେନା ଅଧିକାରୀ ୬ ଦିନ ପୂର୍ବେ ବିବାହ କରିଥିଲେ

ଶ୍ରୀନଗର: ହରିୟାଣାର ବିନୟ ନରୱାଲ୍ (୨୬) ଏପ୍ରିଲ ୧୬ ତାରିଖରେ ହିମାନ୍ସିଙ୍କୁ ବିବାହ କରିଥିଲେ। ବିବାହର ୩ ଦିନ ପରେ ଭୋଜି ଆୟୋଜନ ହୋଇଥିଲା ଏବଂ ଏହାପରେ ଉକ୍ତ ଦମ୍ପତି ହନିମୁନ ପାଇଁ କାଶ୍ମୀର ଯାଇଥିଲେ। କିନ୍ତୁ କାଶ୍ମୀରରେ ଉଭୟ ୪୮ ଘଣ୍ଟା ସମୟ ଅତିବାହିତ କରିବାପରେ ନୌସେନା ଅଧିକାରୀ ବିନୟ ଗତକାଲି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଛନ୍ତି। ହିମାନ୍ସି ଜଣେ ଶିକ୍ଷୟିତ୍ରୀ।
ସେମାନେ ସ୍ବିଜରଲାଣ୍ଡ୍ ଯିବାପାଇଁ ସ୍ଥିର କରିଥିଲେ। କିନ୍ତୁ ସ୍ବିଜରଲାଣ୍ଡ ଯିବା ପ୍ରକ୍ରିୟା ଟିକେ ବିଳମ୍ବ ହେବାରୁ ବିନୟ ନରୱାଲ ଏବଂ ହିମାନ୍ସି କାଶ୍ମୀର ଯିବାପାଇଁ ସ୍ଥିର କରିଥିଲେ ବୋଲି ପରିବାର ସଦସ୍ୟ କହିଛନ୍ତି। ବୁଧବାର ଲେଫ୍ଟନାଣ୍ଟ ନରୱାଲଙ୍କ ମର ଶରୀର କଫିନରେ ଦିଲ୍ଲୀ ଅଣାଯାଇଛି ଏବଂ ପତ୍ନୀ ହିମାନ୍ସି ତାଙ୍କୁ ସାଲ୍ୟୁଟ୍ କରିବା ଏବଂ କଫିନକୁ ଜାବୁଡ଼ି ଧରି କାନ୍ଦୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ନୌସେନା ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ହିମାନ୍ସିଙ୍କୁ ସମବେଦନା ଜଣାଇଛନ୍ତି।