ଓଡିଶା

ରାଜଧାନୀରେ ହଇଚଇ: ମା’ କୋଳରୁ ଶିଶୁକୁ ନେଇଗଲା

ଭୁବନେଶ୍ବର: ରାମମନ୍ଦିର ସମ୍ମୁଖରେ ଭିକ ମାଗୁଥିବା ଜଣେ ଦୃଷ୍ଟିବାଧିତ ମା’ କୋଳରୁ ଦେଢ଼ବର୍ଷର ପୁଅକୁ କେହି ଚୋରି କରିନେଇଛି। ଯୋଜନାବଦ୍ଧ ଭାବେ ଫଳ ରସ (ଜୁସ୍‌) ପିଇବାକୁ ଯାଚି ଭିକାରି ବେଶରେ ଥିବା ଛଦ୍ମବେଶୀ ଦୁର୍ବୃତ୍ତଜଣକ କୁନି ପିଲାଟିକୁ କାଖରେ ଧରି ପଳାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଏହି ଅଭାବନୀୟ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁତ୍ରହରା ମା’ ଆଜି ଖାରବେଳନଗର ଥାନାରେ କାନ୍ଦିକାନ୍ଦି ତା’ ପିଲାକୁ ଫେରାଇ ଆଣିବାକୁ ଗୁହାରି କରିଛି। ସିସିଟିଭିରେ ପିଲାଚୋରିର ଦୃଶ୍ୟ ରହିଛି ଏବଂ ପୁଲିସ ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛି।

ସବୁଦିନ ଭଳି ଗତକାଲି ଜୟନ୍ତୀ ମଲ୍ଲିକ ରାମମନ୍ଦିର ସମ୍ମୁଖରେ ଭିକ ମାଗୁଥିଲେ। ପାଖରେ ବସିଥିଲା ୬ ବର୍ଷ ବୟସର ଝିଅ ଓ କାଖରେ ଥିଲା ଦେଢ଼ବର୍ଷର ପୁଅ କେଶବ। ମଝିରେ ମଝିରେ ବଡ଼ଭଉଣୀ ମ‌ା’ କାଖରୁ କେଶବକୁ ନେଇ ଧରୁଥିଲା ଓ ଖେଳାଉଥିଲା। ସନ୍ଧ୍ୟାରେ ଜୟନ୍ତୀ ଶୈଳଶ୍ରୀବିହାରସ୍ଥିତ ଆଶ୍ରୟସ୍ଥଳ (ସେଲ୍‌ଟର ହୋମ୍‌)କୁ ଫେରିଯିବା କଥା। ମାତ୍ର ହଠାତ ମେଘପବନ ସହ କାଳବୈଶାଖୀ ମାଡ଼ି ଆସିଥିଲା। ଫଳରେ ଜୟନ୍ତୀ ଛୁଆ ଦୁଇଜଣକୁ ଧରି ରାମମନ୍ଦିର ନିକଟରେ ରହିଗଲେ। ରାତିରେ ଖାଇସାରିବା ପରେ ବଡ଼ଝିଅଟି ଶୋଇଗଲା। କିନ୍ତୁ ଭଲରେ ନିଦ ହେଉନଥିଲା ଜୟନ୍ତୀଙ୍କୁ। କୁନି ପୁଅଟି ମଝିରେ ମଝିରେ କୌଣସି କାରଣରୁ ଅଝଟ ହେଉଥିବାରୁ ଜୟନ୍ତୀ ତାକୁ ବାରମ୍ବାର ବୁଝାଉଥିଲେ। ଏତିକିବେଳେ କିଛି ଦୂରରେ ଶୋଇଥିବା ଜଣେ ବ୍ୟକ୍ତି କୁନି ପୁଅକୁ ଜୁସ୍ ପିଇବାକୁ ଯାଚିଲା।

ରାମମନ୍ଦିର ସାମ୍ନାରେ ଅଭାବନୀୟ ଘଟଣା
ସିସିଟିଭିରେ ପିଲାଚୋରିର ଦୃଶ୍ୟ

ରାତି ଅଧରେ ଜୁସ୍‌ କେଉଁଠୁ ଆଣିଲ ବୋଲି ଜୟନ୍ତୀ ପଚାରିବାରୁ ସଂପୃକ୍ତ ବ୍ୟକ୍ତିଜଣକ ନିଜ ପାଖରେ ଏକ ଜୁସ୍‌ ପ୍ୟାକେଟ୍‌ ରଖିଛି ବୋଲି କହି କେଶବକୁ କାଖରେ ଉଠାଇଲା। ଜୟନ୍ତୀ ଦେଖି ପାରୁ ନଥିବାରୁ ପ୍ରତିବାଦ କରିପାରି ନଥିଲେ। କିଛି ସମୟ ପର୍ଯ୍ୟନ୍ତ କେଶବର ସୋରଶବ୍ଦ ନ ଶୁଭିବାରୁ ଜୟନ୍ତୀ ବଡ଼ ପାଟିରେ ଡାକ ପକାଇଥିଲେ। ମାତ୍ର ସେତେବେଳକୁ ଜୁସ୍ ଯାଚିଥିବା ବ୍ୟକ୍ତି କେଶବକୁ ନେଇ ସେଠାରୁ ଚମ୍ପଟ ମାରିଥିଲା। ଜୟନ୍ତୀଙ୍କ କାନ୍ଦ ଶୁଣି ଫୁଟ୍‌ପାଥ୍‌ରେ ଶୋଇଥିବା ଲୋକେ ଉଠିପଡ଼ିଥିଲେ ଏବଂ କେଶବକୁ ଖୋଜାଖୋଜି କରିଥିଲେ। ପିଲାଚୋରି ହୋଇଥିବା ନିଶ୍ଚିତ ହେବା ପରେ ସେମାନେ ଜୟନ୍ତୀଙ୍କୁ ନେଇ ଖାରବେଳନଗର ଥାନାରେ ପହଞ୍ଚିଥିଲେ। ପୁଲିସ ନିକଟସ୍ଥ ସିସିଟିଭି ଯାଞ୍ଚ କରି ଦେଖିଲା ଯେ ଜଣେ ବ୍ୟକ୍ତି ପିଲାକୁ କାଖେଇ ମାଷ୍ଟର୍‌କ୍ୟାଣ୍ଟିନ୍‌ ଛକ ଦିଗରେ ଚାଲିଯାଉଛି।

ଜୟନ୍ତୀଙ୍କ କହିବା କଥା, ଗତକାଲି ଦିନବେଳା ଜଣେ ବ୍ୟକ୍ତି କେଶବକୁ ବାରମ୍ବାର ପାଖକୁ ଡାକି ମୋବାଇଲ୍‌ ଦେଖାଇ ଖେଳାଉଥିଲା। ତେଣୁ ସେହି ଲୋକ ହିଁ ତାଙ୍କ ପିଲାକୁ ଚୋରି କରିନେଇଛି। ବଡ଼ କଥା ହେଉଛି ଜୟନ୍ତୀ ଦେଖି ପାରୁ ନଥିବାରୁ ସନ୍ଦିଗ୍ଧର ଚେହେରା ବାବଦରେ କୌଣସି ସୂଚନା ଦେଇ ପାରୁନାହାନ୍ତି। ସେହିଭଳି ସିସିଟିଭି ଫୁଟେଜ୍‌ରୁ ମଧ୍ୟ ସନ୍ଦିଗ୍ଧର ଚେହେରା ଭଲ ଭାବେ ବାରି ହେଉନାହିଁ। ତେଣୁ ପୁଲିସ ପାଇଁ ସମସ୍ୟା ହୋଇଛି। ଅନୁମାନ କରାଯାଉଛି ସଂପୃକ୍ତ ବ୍ୟକ୍ତି ଜୟନ୍ତୀଙ୍କ ଛୁଆ ଚୋରି କରିବା ପାଇଁ ବହୁ ପୂର୍ବରୁ ପିଛା କରିଥିଲା। ଦିନବେଳା ସମ୍ଭବ ହୋଇପାରୁନଥିଲା। ସବୁଦିନ ସନ୍ଧ୍ୟାରେ ଜୟନ୍ତୀ ରାମମନ୍ଦିରରୁ ସେଲ୍‌ଟର ହୋମ୍‌କୁ ଫେରି ଯାଉଥିବାରୁ ଦୁର୍ବୃତ୍ତକୁ ମଉକା ମିଳୁନଥିଲା। ଗତକାଲି ତାକୁ ସୁଯୋଗ ମିଳିଗଲା। କାଳବୈଶାଖୀ ଜୟନ୍ତୀଙ୍କ ପାଇଁ କାଳ ସାଜିଲା ଏବଂ ଦୁର୍ବୃତ୍ତ ପାଇଁ ସୁଯୋଗ ସୃଷ୍ଟି କଲା। ପୁଲିସ ଟିମ୍‌ ଏବେ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ଭଳି ଜାଗାରେ ସିସିଟିଭି ଦରାଣ୍ଡି ଖୋଳତାଡ଼ ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button