ଦେଶ ବିଦେଶ

ବଳାତ୍କାର ମାମଲାରେ ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ବଳାତ୍କାର ମାମଲାରେ ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି । ବଳାତ୍କାର ନେଇ ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଦେଶକୁ ହୁସେନ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ତାଙ୍କୁ ସୁପ୍ରିମକୋର୍ଟ କୌଣସି ଆଶ୍ବସ୍ତି ଦେଇ ନାହାଁନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହୁସେନ୍‌ଙ୍କ ଓକିଲଙ୍କୁ ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ ଏବଂ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ପ୍ରଥମେ ଏହି ମାମଲାରେ ତାଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରାଯାଉ। ଯଦି କିଛି ପ୍ରମାଣ ନ ମିଳେ ତେବେ ସେ ଦୋଷମୁକ୍ତ ହୋଇଯିବେ ।

ହୁସେନଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଏବଂ ସିଦ୍ଧାର୍ଥ ଲୁଥ୍ରା ହାଜର ହୋଇଥିଲେ । ହୁସେନ୍‌ଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ।

ତେବେ ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଛନ୍ତି।

ଗତ ବର୍ଷ ଅଗଷ୍ଟ ୧୭ରେ ହାଇକୋର୍ଟ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ହୁସେନ୍‌ଙ୍କ ଆବେଦନକୁ ଖାରଜ କରି କହିଥିଲେ ଯେ ଏହି ଆଦେଶରେ କିଛି ଭୁଲ୍ ନାହିଁ। ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ୨୦୧୮ରେ ଏକ ତଳକୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲା ।

ସର୍ବୋଚ୍ଚ ନ୍ୟାୟାଳୟ ୨୨ ଅଗଷ୍ଟ ୨୦୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ ।

୨୦୧୮ରେ ଦିଲ୍ଲୀର ଜଣେ ମହିଳା ହୁସେନଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣି ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ମାଜିଷ୍ଟ୍ରେଟ୍ କୋର୍ଟ ୭ ଜୁଲାଇ ୨୦୧୮ରେ ହୁସେନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ବିଜେପି ନେତା ଏକ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ତାଙ୍କ ଆବେଦନ ଖାରଜ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button