ଦେଶ ବିଦେଶ

ହ୍ବାଇଟ୍‌ହାଉସ୍‌ ଅନର୍ଥ ନେଇ ୟୁରୋପ ସ୍ତବ୍ଧ: ୟୁକ୍ରେନ ପ୍ରତି ସମର୍ଥନ ଦୋହରାଇଲା ୟୁରୋପୀୟ ସଂଘ

ପ୍ୟାରିସ୍‌: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଠକରେ ଘଟି ଯାଇଥିବା ଅନର୍ଥ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ୟୁକ୍ରେନ-ଆମେରିକା ସଂପର୍କ ଅଚାନକ  ବିଗିଡ଼ି ଯିବା ଏବଂ ଏହା ରୁଷ୍‌କୁ ସୁହାଉଥିବାରୁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଚିନ୍ତାରେ ପଡ଼ିଯାଇଛନ୍ତି।  ଅଧିକାଂଶ ୟୁରୋପୀୟ ନେତା ଜେଲେନସ୍କିଙ୍କୁ ଦୃଢ଼ ସମର୍ଥନ ଘୋଷଣା କରିଥିବା ବେଳେ  ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଇଟାଲୀ ସମେତ ୨୦ରୁ ଅଧିକ ରାଷ୍ଟ୍ର ଏ ବାବଦରେ ତୁରନ୍ତ ବୈଠକ କରି ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବାକୁ ମତ ରଖିଛନ୍ତି।  ୟୁରୋପୀୟ ସଂଘ ମଧ୍ୟ ୟୁକ୍ରେନ ପ୍ରତି ପୂର୍ଣ୍ଣ ସମର୍ଥନ ଘୋଷଣା ସହ ଜେଲେନସ୍କିଙ୍କ ନେତୃତ୍ବକୁ ପ୍ରଶଂସା କରିଛି।   ଅନ୍ୟପକ୍ଷରେ ଗତକାଲିର ଘଟଣା ଉପରେ ପ୍ରତିକ୍ରିୟା ରଖି ଆମେରିକାରେ ରିପବ୍ଲିକାନ୍‌ ପାର୍ଟିର ଜଣେ ସିନେଟର ଲିଣ୍ଡ୍‌ସି ଗ୍ରାହାମ କହିଛନ୍ତି, ଜେଲେନସ୍କି ଟ୍ରମ୍ପଙ୍କୁ କ୍ଷମା ମାଗିବା ଉଚିତ। ଅନ୍ୟଥା ପରିସ୍ଥିତି ସୁଧୁରିବା ଭଳି ଲାଗୁନାହିଁ।  ତେବେ ଡେମୋକ୍ରାଟିକ୍‌ ଦଳର ଶୀର୍ଷ ନେତାମାନେ ଟ୍ରମ୍ପଙ୍କ ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି।  ସିନେଟ୍‌ ସଂଖ୍ୟାଲଘୁ ନେତା ଚୁକ୍‌ ସ୍କୁମର କହିଛନ୍ତି, ଟ୍ରମ୍ପ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି।

ଆମେରିକା-ୟୁକ୍ରେନ ତିକ୍ତତାକୁ ନେଇ ଆମେରିକାରେ ଡେମୋକ୍ରାଟ ଓ ରିପବ୍ଲିକାନ ନେତା ମୁହାଁମୁହିଁ ହୋଇଥିବା ବେଳେ  ୟୁକ୍ରେନକୁ ୟୁରୋପରୁ ସମର୍ଥନର ସୁଅ ଛୁଟିଛି।  ୟୁରୋପୀୟ ସଂଘ କମିସନ୍‌ ସଭାପତି ଉର୍‌ସୁଲା ଭୋନ୍‌ ଡେର୍‌ ଲେୟେନ ଏକ୍ସରେ ଏକ ପୋଷ୍ଟ୍‌ କରି ଜେଲେନସ୍କିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଆପଣଙ୍କ ମର୍ଯ୍ୟାଦା ୟୁକ୍ରେନ୍ ଲୋକଙ୍କ ସାହସକୁ ସମ୍ମାନିତ କରୁଛି।  ଦୃଢ଼ ହୁଅନ୍ତୁ, ସାହସୀ ହୁଅନ୍ତୁ ଏବଂ ନିର୍ଭୀକ ହୁଅନ୍ତୁ।  ୟୁକ୍ରେନ ହେଉଛି ୟୁରୋପ। ଆମେ ୟୁକ୍ରେନ ସହ ଅଛୁ। ୟୁରୋପୀୟ ସଂଘର ବିଦେଶ ନୀତି ମୁଖ୍ୟ କାଜା କାଲ୍ଲାସ କହିଛନ୍ତି, ଏହା ସ୍ପଷ୍ଟ ହୋଇସାରିଛି ଯେ ଏକ ମୁକ୍ତ ବିଶ୍ବ ଜଣେ ନୂଆ ନେତାଙ୍କୁ ଆବଶ୍ୟକ କରୁଛି।  ଫ୍ରାନ୍ସ ରାଷ୍ଟ୍ରପତି ଇମା‌ନୁଏଲ ମାକ୍ରନ କହିଛନ୍ତି, ରୁଷ୍‌ ହେଉଛି ୟୁକ୍ରେନ ଯୁଦ୍ଧରେ ଆକ୍ରମଣକାରୀ ଏବଂ ୟୁକ୍ରେନ ବାସିନ୍ଦା ହେଉଛନ୍ତି ଆକ୍ରମଣର ଶିକାର ହୋଇଥିବା ଲୋକ।  ଜର୍ମାନୀର ବିଦାୟୀ ଚାନ୍ସେଲର ଓଲାଫ୍‌ ସ୍କଲ୍‌ଜ କହିଛନ୍ତି, ୟୁକ୍ରେନ ‌ଜର୍ମାନୀ ଏବଂ ୟୁରୋପ ଉପରେ ନିର୍ଭର କରିପାରିବ।

ୟୁକ୍ରେନ ନାଗରିକଙ୍କଠାରୁ କେହି ଅଧିକ ଶାନ୍ତି ଚାହାନ୍ତିନି।  ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର ମଧ୍ୟ ୟୁକ୍ରେନକୁ ସମର୍ଥନ ଜାରି ରହିବ ବୋଲି ଘୋଷଣା କରିଛନ୍ତି।  ଷ୍ଟାର୍ମର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସମେତ ଅନ୍ୟ ୟୁରୋପୀୟ ନେତାଙ୍କ ସହିତ  ଏକ ବୈଠକ  କରିଛନ୍ତି।  ୟୁକ୍ରେନ ପ୍ରତି ସେ ତାଙ୍କ ସମର୍ଥନ ଜାରି ରଖିଥିବା ଏଥିରେ ସୂଚନା ଦେଇଛନ୍ତି।  ସେହିପରି ଆୟରଲାଣ୍ଡ୍‌, କାନାଡ଼ା, ନରୱେ, ସ୍ବିଡେନ୍‌, ଫିନଲାଣ୍ଡ୍‌,  ନେଦରଲାଣ୍ଡ୍‌, ସ୍ପେନ୍‌ ୟୁକ୍ରେନକୁ ସମର୍ଥନ କରିଛନ୍ତି।  ସେହିପରି ଅଷ୍ଟ୍ରିଆ, ବେଲ୍‌ଜିୟମ, ଅଷ୍ଟ୍ରେଲିଆ ମଧ୍ୟ ୟୁକ୍ରେନକୁ ସମର୍ଥନ କରିଛନ୍ତି।  ସ୍ଲୋଭେନିଆ କହିଛି, ‘ଓଭାଲ୍‌ ଅଫିସରେ ଅନ୍ତର୍ଜାତୀୟ ଆଇନକୁ ଅପମାନିତ କରାଯାଇଛି। ଆମେ ୟୁକ୍ରେନର ସାର୍ବଭୌମତ୍ବକୁ ସମ୍ମାନ ଦେଉଛୁ।’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button