ଶ୍ରୀମନ୍ଦିରରେ ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଜୋରଦାର ପ୍ରସ୍ତୁତି, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଦୀପାବଳି ଦୁଇଟି ତାରିଖରେ ପଡୁଥିବାରୁ ଏବେ ବି ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଲାଗି ରହିଛି ଦ୍ୱନ୍ଦ । ପାଞ୍ଜି ସମନ୍ୱୟ ବୈଠକ ପରେ ମଧ୍ୟ ବିଭିନ୍ନ ପର୍ବପର୍ବାଣିକୁ ନେଇ ଲୋକେ ଦ୍ୱନ୍ଦରେ । ଗତବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପଞ୍ଜିକାରେ ଦୁଇଦିନ ଦୀପାବଳୀ, ଦୀପଦାନ ପୟାଶ୍ରାଦ୍ଧ ରହିଛି । ଶ୍ରୀମନ୍ଦିର ସ୍ବୀକୃତି ପ୍ରାପ୍ତ ରାଧାରମଣ, କୋହୀନୂର, ଅରୁଣଦ୍ଵୟ, ଭାଗ୍ୟଜୋତି ଓ ଜି ଏନ୍ ତ୍ରିପାଠୀ ପଞ୍ଜିକାରେ ୨୦ ତାରିଖରେ ଶ୍ୟାମାପୂଜା, ଦୀପଦାନ ଓ ପୟାଶ୍ରାଦ୍ଧ ଲେଖାଯାଇଛି ।
ଏହା ଅର୍ଥ ସେହିଦିନ ଦିନଠାରୁ ରାତି ପର୍ଯ୍ୟନ୍ତ ଓ ତା ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହୁଥିବାରୁ ଦୀପଦାନ, ପୟାଶ୍ରାଦ୍ଧ କରିପାରିବେ ବୋଲି ମୁକ୍ତିମଣ୍ଡପ ପଣ୍ଡିତସଭା ତରଫରୁ କୁହାଯାଇଛି । ପ୍ରତେକ ବର୍ଷ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ସହ ଶ୍ରୀମନ୍ଦିର ନିକଟରେ ବଡ଼ ବଡୁଆ ଡାକୁଥାନ୍ତି ଭକ୍ତ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ପିତୃ ପକ୍ଷ ସମୟରେ ମର୍ତ୍ତ୍ୟଲୋକକୁ ଆସିଥିବା ପିତୃପୁରୁଷମାନେ କାର୍ତ୍ତିକ ଅମାବାସ୍ୟାରେ ପିତୃ ଲୋକ ପତ୍ୟାବର୍ତ୍ତନ କରିଥାନ୍ତି । ଭକ୍ତ ଶ୍ରଦ୍ଧାଳୁମାନେ କାଉଁରିଆ କାଠି ଜାଳି ଆଲୋକର ମାର୍ଗ ଦେଖାଇ ବଡ଼ ବଡୁଆ ଡାକି ପିତୃପୁରୁଷଙ୍କୁ ମେଲାଣି ଦେଇଥାନ୍ତି ।
ସେପଟେ ସରକାର ଆସନ୍ତାକାଲି ଓ ତାପରଦିନକୁ ଅର୍ଥାତ ୨୦ ଓ ୨୧ ତାରିଖକୁ ଛୁଟି ଘୋଷଣା କରିଥିବାରୁ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି । ତେଣୁ ପ୍ରଶାସନ ତରଫରୁ ଦୁଇଦିନକୁ ଦୃଷ୍ଟିରେ ରଖି ପୟାଶ୍ରାଦ୍ଧ ବା ବଡବଡୁଆ ଡାକ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଏସପି । ଭକ୍ତଙ୍କ ସୁରକ୍ଷା ସହ ଶୃଙ୍ଖଳିତ ଭାବେ ବଡବଡୁଆ ଡାକିବା ପାଇଁ ଏମାରମଠ ଚକଡାରେ ଲୁହା ବ୍ୟାରିକେଡ୍ ମାଧ୍ୟମରେ ୪ଟି ସ୍ଥାନ ନିରୂପଣ କରାଯିବା ସହ ସୁରକ୍ଷା ଦାୟିତ୍ୱରେ ସମୁଦାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।
ତେବେ ସରକାର ଦୁଇଦିନ ଛୁଟି ଘୋଷଣା କରିଥିବାରୁ ପ୍ରଶାସନ ତରଫରୁ ଦୁଇଦିନ ପାଇଁ ପୟାଶ୍ରାଦ୍ଧ ଦେବା ବ୍ୟବସ୍ଥା ସହ ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ ହେବ ବୋଲି ଏସପି ପ୍ରତୀକ୍ ସିଂହ କହିଛନ୍ତି । ଅନ୍ୟପଟେ ଆସନ୍ତାକାଲି ମାର୍କେଟଛକ ଠାରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି । ଦୁଇଦିନ ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ଦ୍ୱନ୍ଦ ରହିଥିବାରୁ ସରକାର ମଧ୍ୟ ଦୁଇଦିନଛୁଟି ଘୋଷଣା କରିଛନ୍ତି । ତେଣୁ ପୁରୀ ପ୍ରଶାସନ ମଧ୍ୟ ଦୁଇଦିନ ବଡବଡୁଆ ଡାକ ପାଇଁ ବ୍ୟବସ୍ଥା କରିଛି ।


