୧୦ବର୍ଷ ପରେ ଶ୍ବଶୁର ଘରେ ପହଞ୍ଚି ରାଗିଗଲେ ଲାଲୁ କଲେ ଏଭଳି ଜିଦ – Utkal Mail
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମଜାଳିଆ ଶୈଳୀ ପାଇଁ ପ୍ରାୟତଃ ଚର୍ଚ୍ଚାକୁ ଆସିଥାଆନ୍ତି। ୭ବର୍ଷ ପରେ ଲାଲୁ ଗତ ମଙ୍ଗଳବାର ନିଜର ପୈତୃକ ଗ୍ରାମ ଫୁଲବରିୟାରେ ପହଞ୍ଚିଥିଲେ। ଏଠାରୁ ସେ ନିଜ ଶ୍ବଶୁର ଘରକୁ ଯାଇଥିଲେ।
ସେଲାର କଲା ଗ୍ରାମରେ ଜ୍ବାଇଁ ଲାଲୁ ଓ ଝିଅ ରାବଡ଼ି ଦେବୀଙ୍କୁ ୧୦ବର୍ଷ ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ଲାଲୁ ଓ ରାବଡ଼ି ଦୁହେଁ ଗାଡ଼ିରେ ବସିଥିଲେ। କିଛିସମୟ ପରେ କିଛି ମହିଳା ଆସି ରାବଡ଼ି ଦେବୀଙ୍କୁ ଡାକି ଘରକୁ ପାଛୋଟି ନେଇଥିଲେ। ରାବଡ଼ିଙ୍କ ସହିତ ତାଙ୍କ ପୁଅ ତେଜ ପ୍ରତାପ ବି ଯାଇଥିଲେ, କିନ୍ତୁ ଲାଲୁ ରାଗିଯାଇ ଗାଡ଼ିରେ ବସିଥିଲେ।
ସେ କହିଥିଲେ, ‘ଯେ ପର୍ଯ୍ୟନ୍ତ ମୋତେ ସ୍ବାଗତ କରିବା ପାଇଁ ରାବଡ଼ିଙ୍କ ଭାଇମାନେ ଆସି ନାହାନ୍ତି, ମୁଁ କାରରୁ ଓହ୍ଲରାଇବି ନାହିଁ।’ ଲାଲୁଙ୍କ ଏଭଳି ଜିଦ ବିଷୟରେ ଖବର ପାଇବା ପରେ ରାବଡ଼ିଙ୍କ ସମ୍ପର୍କୀୟ ଭାଇ ରାମାକାନ୍ତ ଯାଦବ ଘଟଣାସ୍ଥଳରେ ପହଞ୍ଚିଥିଲେ।
କାରଣ ରାବଡ଼ିଙ୍କ ନିଜ ଭାଇ ପ୍ରଭୁନାଥ ଯାଦବ, ସାଧୁ ଯାଦବ ଓ ସୁଭାଶ ଯାବଦ ସେ ସମୟରେ ଗ୍ରାମରେ ନଥିଲେ। ତେଣୁ ସମ୍ପର୍କୀୟ ଭାଇ ରାମାକାନ୍ତ ଯାଦବ ଲାଲୁଙ୍କ ଗାଡ଼ି ପାଖରେ ପହଞ୍ଚି ରାଗଶାନ୍ତ କରିବା ପାଇଁ ହାତଯୋଡ଼ି ଅନୁରୋଧ କରିଥିଲେ। ଏହାପରେ ଲାଲୁ ଶାନ୍ତ ହୋଇ ତାଙ୍କ ଶ୍ବଶୁର ଘରକୁ ଯାଇ କିଛି ସମୟ ବିତାଇଥିଲେ।